ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କେନାଲ୍‌ ଖୋଳିବା ପ୍ରସଙ୍ଗ : ସାଂସଦଙ୍କୁ କିରୁଥିକାଙ୍କ ନୋଟିସ

ସାଂସଦ ଅପରାଜିତା ଷଡ଼ଙ୍ଗୀ କେନାଲ ଖୋଳିବା ପ୍ରସଙ୍ଗ

‘ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଅପରାଜିତା’-ପାଲଟା ଜବାବରେ ଗୁମର ଖୋଲିଲେ ସାଂସଦ

ଭୁବନେଶ୍ୱର: ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ ପାଣି ଆଣିବା ପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନାଲ ଖୋଳିବା ପ୍ରସଙ୍ଗ ବିବାଦୀୟ ହେବାରେ ଲାଗିଛି। ସାଂସଦ ସାମ୍ବାଦିକ ସମ୍ମିଳନୀ କରି କିରୁଥିକା ପ୍ରଭାକରନ୍‌ଙ୍କୁ ଜମି ଦଲାଲ୍‌, ଗୁଣ୍ଡା, ଅଣଓଡ଼ିଆ ତାମିଲ୍‌ କହିବା ଫଳରେ ତାଙ୍କର ସମ୍ମାନହାନୀ ‌ହୋଇଛି। ଏଣୁ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କିରୁଥିକା ତାଙ୍କ ଓକିଲଙ୍କ ଜରିଆରେ ନୋଟିସ୍‌ ପଠାଇଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏଭଳି ନ କଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ନୋଟିସ୍‌ରେ ସେ ଲେଖିଛନ୍ତି କି ସେ ବ୍ୟବସାୟ କରନ୍ତି। ବର୍ଷକୁ ୪୦ କୋଟି ଟଙ୍କାର କାରବାର କରନ୍ତି। କୃଷି ଉତ୍ପାଦ ପାଇଁ ସେ ଜମି କିଣନ୍ତି। ସମାଜରେ ତାଙ୍କର ପ୍ରତିଷ୍ଠା ରହିଛି। ପ୍ରତିଟି ଜମିର କାଗଜପତ୍ର ଯାଞ୍ଚ କରିବା ପରେ କିଣିଥାନ୍ତି। ଗିରିଙ୍ଗାପୁଟ ଓ ଭଗବତୀପୁରରେ ଉଚିତ କାଗଜପତ୍ର ଆଧାରରେ ଜମି କିଣିଛନ୍ତି। ଏଭଳି ଅପଶବ୍ଦ ବ୍ୟବହାର କରି ସାଂସଦ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ନିର୍ଯାତନା ଦେଇଛନ୍ତି। ବିନାନୁମତିରେ ଘରୋଇ ଜମିରେ ପଶି ଅପରାଧ କରିଛନ୍ତି। ଏଣୁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ। ଯେଭଳି ସାମ୍ବାଦିକ ସମ୍ମିଳନୀ କରି ଅସମ୍ମାନ କରିଛନ୍ତି ଠିକ୍‌ ‌ସେହିଭଳି ସାମ୍ବାଦିକ ସମ୍ମିଳନୀ କରି କ୍ଷମାପ୍ରାର୍ଥନା କରନ୍ତୁ ବୋଲି ସେ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି।
ଏଣେ ନୋଟିସ୍‌ ଆଧାରରେ ସାଂସଦ କ୍ଷମାପ୍ରାର୍ଥନା କରିବେ କ’ଣ ପାଲଟା ଜବାବ ଦେଇଛନ୍ତି। କିଏ କ୍ଷମା ମାଗିବା ଦରକାର କହି ୩ଟି ବିନ୍ଦୁରେ କିରୁଥିକାଙ୍କ ନୋଟିସ୍‌ର ଉତ୍ତର ରଖିଛନ୍ତି। ସେ ଲେଖିଛନ୍ତି, ମୁଁ ବିଗତ ଦିନରେ ବହୁ ସଂଖ୍ୟାରେ ଚାଷୀ ଓ ଜନ ସାଧାରଣଙ୍କ ଏକାଧିକ ଲିଖିତ ଅନୁରୋଧ ପରେ ଅନୁସନ୍ଧାନ କରି ତଥ୍ୟ ଓ ତର୍କ ସହ ଦୁଇଟି ବିଷୟ ଉପସ୍ଥାପନା କରିଥିଲି। ତାହା ହେଉଛି ଚନ୍ଦକା ଠାରେ ବେଆଇନ ଅବରୋଧ କରି ସରକାରୀ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) କେନାଲ କିରୁଥିକା ପ୍ରଭାକରନଙ୍କ ଦ୍ୱାରା ପୋତି ଦିଆଯିବା ଦ୍ୱାରା ୩୦୦ ଏକର ଚାଷଜମି ଦୁଇ ବର୍ଷ ଧରି ଜଳସେଚନ ହୋଇ ପାରୁନାହିଁ। ଫଳରେ ଦୁଇବର୍ଷ ହେଲା ଚାଷ ବାଧାପ୍ରାପ୍ତ ହୋଇଛି।
ମୁଁ ଏବେ ବି ମୋ କଥାରେ ଏବେ ବି ଅଟଳ ଅଛି କି ଏହି ସରକାରୀ ଏମ୍‌ଆଇପି କେନାଲ ସମ୍ପୂର୍ଣ୍ଣ ଭାବେ ସରକାରୀ ଜମିରେ ରହିଛି ଯାହାର ଜବରଦଖଲ ସମ୍ପୂର୍ଣ୍ଣ ଭାବେ ବେଆଇନ। ୧୫୦ ଏକର ପରିମିତ ଅଞ୍ଚଳ ଯେଉଁଥିରେ ଏମ୍‌ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି। ଏହାକୁ ଜବରଦଖଲ ମୁକ୍ତ କରିବା ଦରକାର ଓ ଯାହାର ଜମି ତା’କୁ ଆଇନଗତ ଅଧିକାର ମିଳିବା ଦରକାର। ଏହାକୁ ‘ପାଣ୍ଡିଆନ ପ୍ରକଳ୍ପ’ କହି, ସରକାରଙ୍କ ଭୟ ଦେଖାଇ ଏଭଳି କାର୍ଯ୍ୟ ହେଉଥିବା ପ୍ରତ୍ୟେକ ଲୋକ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ କିରୁଥିକା ପ୍ରଭାକରନ ଓକିଲ ନୋଟିସ ମାଧ୍ୟମରେ ମୋତେ ସାର୍ବଜନୀନ ଭାବେ କ୍ଷମା ମାଗିବା ପାଇଁ କହିଛନ୍ତି। ଜନସାଧାରଣ ଓ ଓଡ଼ିଶାବାସୀ କୁହନ୍ତୁ କିଏ କ୍ଷମା ମାଗିବା ଦରକାର? କିରୁଥିକା ପ୍ରଭାକରନ ଗରିବ ଚାଷୀମାନଙ୍କ ୩୦୦ ଏକର ଜମିକୁ ଦୁଇ ବର୍ଷ ହେବ ପାଣି ବନ୍ଦ କରିଛନ୍ତି। ସରକାରୀ ଏମ୍‌ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ବେଆଇନ ଭାବେ ମାଡ଼ି ବସିଛନ୍ତି। ଏହା କେବଳ ଏକ ଉଦାହରଣ। ରାଜ୍ୟର ବିଭିନ୍ନ ଜାଗାରେ ଏହି ପ୍ରଭାବଶାଳୀ ମହିଳାଙ୍କ ଦ୍ୱାରା ଏଭଳି ବହୁ ଘଟଣା ଇତି ମଧ୍ୟରେ ସାମ୍ନାକୁ ଆସୁଛି ଏହି ସମସ୍ତ ବିଷୟ ପାଇଁ କିଏ କ୍ଷମା ମାଗିବା ଦରକାର ବୋଲି ସେ ପ୍ରଶ୍ନ କରିଛନ୍ତି। କିରୁଥିକାଙ୍କ ନୋଟିସ୍‌କୁ ଆଜି ୪୮ ଘଣ୍ଟା ପୂରିଛି। କ୍ଷମା ମାଗିବା ପରିବର୍ତ୍ତେ ସାଂସଦ ପାଲଟା ଜବାବ ରଖିଥିବାରୁ କିରୁଥିକା ନୋଟିସ୍‌ ମୁତାବକ ପଦକ୍ଷେପ ଗ୍ରହଣ କରୁଛନ୍ତି ନା ସାଂସଦଙ୍କ କଥାରେ ସତ୍ୟତା ଅଛି ତାହା ଦେଖିବାକୁ ବାକି ରହିଛି।

Share Now:

Kalinga News Beuro

Next Post

ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ

Mon Sep 11 , 2023
ନୂଆଦିଲ୍ଲୀ: ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, “ସହରରେ ଏହି ନିଷେଧାଦେଶ ଲାଗୁ କରିବାକୁ ଦିଲ୍ଲୀ ପୁଲିସକୁ କଡା ନିର୍ଦ୍ଦେଶ ଦିଆଯିବ। ପ୍ରଦୂଷଣକୁ […]
ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial