କଚ୍ଛପ ଗତିରେ ଭୂତଳ କେବୁଲ୍‌ କାମ: ଖୋଳାଖୋଳି ଯନ୍ତ୍ରଣାରୁ ମିଳୁନି ମୁକ୍ତି

କଚ୍ଛପ ଗତିରେ ଭୂତଳ କେବୁଲ୍‌ କାମ

୨୦୨୫ ଭିତରେ କାମ ସରିବ ନାହିଁ, ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା କେବେ?


ଭୁବନେଶ୍ୱର : ଭୂତଳ କେବୁଲ୍‌ରେ ବିଦ୍ୟୁତ୍‌ ସେବା ନେଇ ୨୦୧୫ରେ ଟ୍ୱିନସିଟିବାସୀଙ୍କୁ ରାଜ୍ୟ ସରକାର ସ୍ଵପ୍ନ ଦେଖାଇଥିଲେ। ଲକ୍ଷ୍ୟ ଥିଲା ୨୦୨୦ ଡିସେମ୍ବର ସୁଦ୍ଧା ଉଭୟ ସହରବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ପହଞ୍ଚାଇବା। ଇତି ମଧ୍ୟରେ ୨୦୨୩ ସରିବାକୁ ବସିଲାଣି। ମାତ୍ର କାମ ଯେତିକି ଆଗେଇବା କଥା ତାହା ହୋଇପାରି ନାହିଁ। କେଉଁଠି ଅଧାରେ ଅଟକି ଯାଇଛି। ତ ଆଉ କେଉଁଠି ସରିବାକୁ ୨୦୨୫-୨୬ ଆର୍ଥିକ ବର୍ଷ ଲାଗିଯିବ। ପ୍ରତିଦିନ ସହରର କେଉଁଠି ନା କେଉଁଠି ଗାତ ଖୋଳାଯାଇ ବିଦ୍ୟୁତ୍‌ ତାର ବିଛାଯିବା କାର୍ଯ୍ୟ ଚାଲିଛି, ଯେଉଁଥିପାଇଁ ସହରବାସୀଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। କେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ ଏବଂ ୨୪ ଘଣ୍ଟା ବିଦ୍ୟୁତ୍‌ ସେବା ଘରେ ପହଞ୍ଚିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ରିପୋର୍ଟ କାର୍ଡ ପ୍ରଦାନ ସମୟରେ ଖୁବ୍‌ଶୀଘ୍ର ଭୂତଳ କେବୁଲ୍‌ କାମ ‌ସରିବା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ। ମାତ୍ର କାଣିଚାଏ କାର୍ଯ୍ୟ ମଧ୍ୟ ଏଯାଏ ଆଗେଇପାରି ନାହିଁ। ଶକ୍ତି ବିଭାଗ ସୂଚନା ଅନୁଯାୟୀ ଷ୍ଟେଟ୍‌ କ୍ୟାପିଟାଲ ରିଜନ୍‌ ଇମ୍‌ପ୍ରୁଭ୍‌ମେଣ୍ଟ ଅଫ୍‌ ପାୱାର ସିଷ୍ଟମ(ସ୍କ୍ରିପ୍ସ୍‌) ଯୋଜନାରେ ସହରର କିଛି ପ୍ରମୁଖ ଅଞ୍ଚଳର ୪୧୨ ସର୍କିଟ କିମି(ସିକେମି) ଭୂତଳ କେବୁଲ୍‌ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ହେଉଛି। ଯେଉଁଥିରେ ୩୦ ସିକିମିର ୧୩୨ କେଭି ରହିଥିବା ବେଳେ ୩୯ ସିକିମିର ୩୩କେଭି, ୨୨୭ ସିକିମିର ୧୧ କେଭି ଓ ୧୧୬ ସିକେମିର ଏଲ୍‌ଟି ଲାଇନ୍‌ ରହିଛି। ଓପିଟିସିଏଲ୍‌ ଦ୍ୱାରା ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ୩୫ ସିକେମି ୧୩୨ କେଭି ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟ ଚାଲୁ ରହିଛି, ଯାହାକି ୨୦୨୪-୨୫ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ଡିଜାଷ୍ଟର ରେଜିଲେଣ୍ଟ ପାୱାର ସିଷ୍ଟମ(ଡିଆରପିଏସ୍‌)-୨ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୪.୭ ସିକେମି ଭୂତଳ କେବୁଲ୍‌ ବିଛାଇବା କାର୍ଯ୍ୟକୁ ୨୦୨୫-୨୬ ସୁଦ୍ଧା ଶେଷ କରାଯିବ। ସେହିପରି ଟିପିସିଓଡିଏଲ୍‌ର ୨୦୨୧-୨୨ କାପେକ୍ସ ଯୋଜନାରେ ୯ ସିକେମି(୩୩ କେଭିର ୮ସିକେଏମ୍‌, ୧୧କେଭିର ୧ ସିକେମି) ବିଛାଯାଇଛି। ୨୦୨୨-୨୩ରେ କାମ୍ପେକ୍ସ ଯୋଜନାରେ ୪୪.୫୩ ସିକେମି ଭୂତଳ କେବୁଲ୍‌ ବିଛାଇବା କାର୍ଯ୍ୟ ଚାଲୁଛି, ଯେଉଁଥିରେ ୩୩କେଭିର ୧୦.୧ ସିକେମି, ୧୧କେଭିର ୩୪.୪୩ ସିକେମି ରହିଛି।
ଓପିଟିସିଏଲ୍‌ ଦ୍ୱାରା ସ୍କ୍ରିପ୍ସ୍‌ ଯୋଜନାରେ ଭୁବନେଶ୍ୱରରେ ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଜନା ବ୍ୟବସ୍ଥା ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧୨ ସିକିମିର ୧୩୨ କେଭି ଭୂତଳ କେବୁଲ ହୋଇଥିବା ବେଳେ ୩୨ ସିକିମିର ୩୩ କେଭି ଓ ୧୫୫ ସିକିମିର ୧୧ କେଭି ଭୂତଳ କେବୁଲ୍‌ ବିଛାଯାଇଛି। ୨୦୨୦-୨୧ରେ ଯଥାକ୍ରମେ ୧୮ ସିକିମି, ୭ ସିକିମି ଓ ୭୩ ସି‌କିମି ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହୋଇଛି। ଏବେ କେଶୁରାଠାରୁ ବଡ଼ଗଡ଼ ପର୍ଯ୍ୟନ୍ତ ୬.୫ କିମିର ୧୩୨ କେଭି କାମ ଚାଲିଛି, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ ହେବାର ଥିଲା। ୧୩୨ କେଭିର ସତ୍ୟନଗରରୁ ବଡ଼ଗଡ଼ ୬.୫ କିମି, ସତ୍ୟନଗରରୁ ୟୁନିଟ୍‌-୮ ପର୍ଯ୍ୟନ୍ତ ୩.୮ କିମି, ମଞ୍ଚେଶ୍ୱରରୁ ସତ୍ୟନଗର ପର୍ଯ୍ୟନ୍ତ ୬ କିମି, ନୟାପଲ୍ଲୀରୁ ୟୁନିଟ୍‌-୮ ପର୍ଯ୍ୟନ୍ତ ୩ କିମି, ସତ୍ୟନଗରରୁ କୁଆଖାଇ ପର୍ଯ୍ୟନ୍ତ ୪.୫ କିମି ଭୂତଳ କେବୁଲ୍‌ କାର୍ଯ୍ୟ ୨୦୨୪-୨୫ ଆର୍ଥିକ ବର୍ଷରେ ଶେଷ ହେବ। ମଞ୍ଚେଶ୍ୱରରୁ ନୟାପଲ୍ଲୀ ପର୍ଯ୍ୟନ୍ତ ୫ କିମି କେବୁଲ୍‌ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି। ଓପିଟିସିଏଲ୍‌ ଦ୍ବାରା ଡିଆରପିଏସ୍‌-୨ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଭୂତଳ କେବୁଲ୍‌ ଦ୍ୱାରା ବିଦ୍ୟୁତ୍‌ ଯୋଗାଣ ପାଇଁ ପ୍ରସ୍ତାବ ରହିଛି। ମେଣ୍ଢାଶାଳରୁ ଚନ୍ଦକା ପର୍ଯ୍ୟନ୍ତ ୨୩ କିମି, ଅରଗୁଳଠାରୁ ରଣସିଂହପୁର ପର୍ଯ୍ୟନ୍ତ ୨୪.୭ କିମି, ଚନ୍ଦକାଠାରୁ ବ୍ରଜବିହାରିପୁର ପର୍ଯ୍ୟନ୍ତ ୨୭ କିମି ୧୩୨ କେଭି ଭୂତଳ କେବୁଲ କାର୍ଯ୍ୟ ୨୦୨୫-୨୬ ଆର୍ଥିକ ବର୍ଷରେ ଶେଷ କରିବାକୁ ‌ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍କ୍ରିପ୍ସ ଯୋଜନା ମାଧ୍ୟମରେ ଭୁବନେଶ୍ୱର ଓ ଆଖାପାଖ ଅଞ୍ଚଳରେ ୧୧୬ ସର୍କିଟ୍‌ କିମି ଏଲ୍‌ଟି ଭୂତଳ କେବୁଲ ବିଛାଯାଇ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୮ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ବାରମ୍ବାର ସମୀକ୍ଷା ହେଉଛି। ଭୂତଳ କେବୁଲ୍‌ ବିଛା କାର୍ଯ୍ୟ କେତେ ବାଟ ଗଲା? କେବେ ସରିବ? କେତେ କିଲୋମିଟର କେବୁଲ୍‌ ବିଛା ସରିଲାଣି? ଆଉ କେତେ ବାକି ରହିଛି? ଏମିତି ଅନେକ ବିଷୟରେ ବିଭାଗୀୟ ସଚିବମାନେ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ବି ଦେଉଛନ୍ତି। ମାତ୍ର ଫଳ ଶୂନ। ଯେଉଁଥିପାଇଁ ଦୁଲୁକାଏ ପବନ ଦେଲେ ୨୦ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀରେ ବିଦ୍ୟୁତ୍‌ ସେବା ଠପ୍‌ ହୋଇଯାଉଛି।

Share Now:

Kalinga News Beuro

Next Post

ବଜ୍ରାଘାତରେ ଛେଳିଚରାଳିଙ୍କ ମୃତ୍ୟୁ

Sun Sep 24 , 2023
ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୁଳିପୁରା ପଞ୍ଚାୟତ ନଖରା ଗାଁରେ ରବିବାର ବିନା ବର୍ଷାରେ ହୋଇଥିବା ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ଵର୍ଗତ ଉପେନ୍ଦ୍ର ପାଳଙ୍କ ପୁଅ ସୁଦର୍ଶନ (୪୫)। ସୂଚନା ମୁତାବକ ସୁଦର୍ଶନ ଅପରାହ୍ନରେ ନିଜ ଗ୍ରାମ ପୋଖରୀ ନିକଟକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ବିନା ବର୍ଷାରେ ବଜ୍ରାଘାତ ହେବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ। ହେଲେ […]
ବିନା ବର୍ଷାରେ ବଜ୍ରାଘାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial