ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର : ବର୍ଷା ହେଲେ ପ୍ରବେଶ ପଥରେ ଆଣ୍ଠୁଏ ପାଣି

ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର

ବାଲିଅନ୍ତା ବଜାର: ଓଡ଼ିଶା ସରକାର ପୁରାତନ ସରକାରୀ ବିଦ୍ୟାଳୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ସ୍କୁଲଗୁଡ଼ିକୁ ୫ଟି’ରେ ସାମିଲ କରିବା ସହ ସ୍କୁଲର ରୂପରେଖ ପରିବର୍ତ୍ତନ କରିବା ଦିଗରେ ତ୍ୱରିତ କାର୍ଯ୍ୟ କରିଥିଲେ। ଏହି ଭଳି ବାଲିଅନ୍ତା ବ୍ଲକର ଦୁଇଟି ବିଦ୍ୟାଳୟକୁ ପ୍ରଥମେ ଚୟନ କରାଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଇଥିଲା। ମାତ୍ର ଲଗାଣ ବର୍ଷା ୫ଟି ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର ପଦାରେ ପକାଇଦେଲା। ସ୍କୁଲ ପ୍ରବେଶ ପଥରେ ଏବେ ଆଣ୍ଠୁଏ ବର୍ଷା ପାଣି ଜମି ରହିଥିବାରୁ ପିଲାମାନେ ସେ ପାଣିରେ ପଶି ଯିବା ଆସିବା କରୁଛନ୍ତି। ସ୍କୁଲ ପରିସରରେ ଅନେକ ଦିନରୁ ପାଣି ଜମି ରହିବା ସହ ଦୁର୍ଗନ୍ଧ ହେଉଛି। ଏନେଇ ଅଭିଭାବକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ବ୍ଲକ୍ ପ୍ରଶାସନକୁ ଦୋଷ ଦେଇଛନ୍ତି। ସେପଟେ ପ୍ରଧାନ ଶିକ୍ଷୟତ୍ରୀ ଭବାନୀ କୁମାରୀ ମହାପାତ୍ର ଦୁଇଥର ବିଧାୟକଙ୍କୁ ଜଣାଇବା ସହ ବ୍ଲକ୍ ପ୍ରଶାସନକୁ ମଧ୍ୟ ଜଣାଇବା କଥା କହୁଛନ୍ତି।
ସୂଚନାଯୋଗ୍ୟ ଯେ ବାଲିଅନ୍ତା ବିଦ୍ୟାଳୟ ୭୫ ବର୍ଷର ଶିକ୍ଷାଅନୁଷ୍ଠାନ ହୋଇଥିବା ବେଳେ ବର୍ଷେ ତଳେ ୫ଟି ବିଦ୍ୟାଳୟରେ ପରିଣତ ହୋଇଥିଲା। ଏଥିରେ ୨ଟି ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ବିଜ୍ଞାନଗାର, ଇ-ପାଠାଗାର, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଏବେ ପାନୀୟ ଜଳ ସମସ୍ୟା ଦେଖାଯିବା ସହ ଶୌଚାଳୟ ମରାମତି ତଥା ସ୍କୁଲ ପରିସରର ଡ୍ରେନେଜ ନିହାତି ଦରକାର ହେଉଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର କହିଛନ୍ତି। ଏନେଇ ସ୍କୁଲ କମିଟି ଓ ଅଭିଭାବକ ସଂଘ ପକ୍ଷରୁ ବୈଠକ ଡକାଯାଇଥିଲା। ସମସ୍ୟା ବିଷୟରେ ପୁନଶ୍ଚ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରିନଥିବା କଥା କହିଛନ୍ତି ଅଭିଭାବକମାନେ। ସେମାନେ ଅଭି‌ଯୋଗ କରିଛନ୍ତି ଯେ ସ୍କୁଲ ପରିସରରେ ଜମି ରହିଥିବା ପଚା ପାଣିରେ ସବୁଦିନେ ଯିବାଆସିବା କରିବା ଦ୍ୱାରା ପିଲାମାନେ ଥଣ୍ଡାଜ୍ୱର ଓ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି।

Share Now:

Kalinga News Beuro

Next Post

ମହିଳା ୫୦ ମିଟର୍‌ ରାଇଫଲ୍‌ ୩ରେ ବିଶ୍ୱ ରେକର୍ଡ କରି ସ୍ଵର୍ଣ୍ଣ ପଦକ ଜିଣିଲେ ସିଫ୍ଟ ସିମ୍‌ରା ଓ କାଂସ୍ୟ ଜିଣିଲେ ଆଶି ଚୌକ୍ସି

Wed Sep 27 , 2023
ହାଙ୍ଗ୍‌ଚୌ: ଚୀନ୍‌ର ହାଙ୍ଗ୍‌ଚୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୫୦ ମିଟର୍‌ ରାଇଫଲ୍‌ ୩ ପୋଜିସନ୍‌ରେ ସିଫ୍ଟ କୌର ସିମ୍‌ରା ଓ ଆଶି ଚୌକ୍‌ସି ଯଥାକ୍ରମେ ସ୍ଵର୍ଣ୍ଣ ଓ କାଂସ୍ୟ ପଦକ ବିଜୟ ହୋଇଛନ୍ତି। ଏହଛଡ଼ା, ଏହି ଟୁର୍ଣ୍ଣାମେଣ୍ଟ୍‌ର ଇତିହାସରେ ଉପରୋକ୍ତ ରାଇଫଲ୍‌ ଚାଳନାରେ ପ୍ରଥମ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇ ଭାରତ ରେକର୍ଡ ସୃଷ୍ଟି କରିଛି। ସିମ୍‌ରା ୪୬୯.୬ ପଏଣ୍ଟ୍‌ ହାସଲ କରି ବିଶ୍ୱ ରେକର୍ଡ ଭାଙ୍ଗି […]
ସ୍ବର୍ଣ୍ଣ ପଦକ ଜିଣିଲେ ସିଫ୍ଟ୍‌ ସିମ୍‌ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial