ଭୁବନେଶ୍ୱର ୧ ନମ୍ବର ହାଟରେ ଅଚଳାବସ୍ଥା ଜାରି : ୫ କୋଟିର ବେପାର ଠପ

୧ ନମ୍ବର ହାଟରେ ଅଚଳାବସ୍ଥା ଜାରି

ଗ୍ରାହକ ହନ୍ତସନ୍ତ, ବେଫିକର ବିଏମ୍‌ସି

ଭୁବନେଶ୍ୱର: ୧ ନମ୍ବର ହାଟ ଚତୁଃପାର୍ଶ୍ଵରୁ ଜବରଦଖଲ ହଟାଇବା ଦାବିରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ୟୁନିଟ୍‌-୧ ହାଟକୁ ବନ୍ଦ ରଖିଛି। ଶତାଧିକ ବ୍ୟବସାୟୀ ଦୋକାନ ବନ୍ଦ କରି ହାଟ ସମ୍ମୁଖରେ ଗତ କାଲି ଠାରୁ ଧାରଣା ଦେଇଛନ୍ତି। ଫଳରେ ଏଠାରେ ଦୈନିକ ବ୍ୟବସାୟ ହେଉଥିବା ୫ରୁ ୬ କୋଟି ଟଙ୍କାର କାରବାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଏଣେ ପାର୍ବଣ ଋତୁ ହୋଇଥିବାରୁ ଗ୍ରାହକ ୧ ନମ୍ବର ହାଟରେ ପହଞ୍ଚି ନିରାଶ ହେଉଛନ୍ତି। ଏଣେ ବିଏମ୍‌ସି କଳି ମଞ୍ଜି ପୋତି ବେଫିକର ହୋଇ ବସି ରହିଛି। ଆସନ୍ତାକାଲି ରବିବାର ଓ ସୋମବାର ଗାନ୍ଧୀ ଜୟନ୍ତୀ ଥିବାରୁ କାର୍ଯ୍ୟାଳୟ ବନ୍ଦ ରହୁଛି। ଏଣୁ ଏ ବାବଦରେ ବ୍ୟବସାୟୀ ସଂଘ ସହ ମଙ୍ଗଳବାର ଆଲୋଚନା କରିବ ବୋଲି କହିଛି। ତେଣୁ ମଙ୍ଗଳବାର ପୂର୍ବରୁ ଏହି ହାଟ ନ ଖୋଲିବା ସ୍ପଷ୍ଟ ହୋଇଛି। ବିଏମ୍‌ସି ନିଜ ସୁବିଧା ଅନୁସାରେ ଆଲୋଚନା କରିବା ପାଇଁ ମଙ୍ଗଳବାର ଧାର୍ଯ୍ୟ କରିଥିବା ବେଳେ ବ୍ୟବସାୟୀମାନେ ମଧ୍ୟ ସମାଧାନ ପୂର୍ବରୁ ହାଟ ଖୋଲିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଧାରଣାାରେ ବସିଛନ୍ତି। ପ୍ରାୟ ୧୫ ହଜାର ବ୍ୟବସାୟୀ ଓ ହଜାର ହଜାର ଗ୍ରାହକଙ୍କ ସ୍ୱାର୍ଥ ସଂଯୁକ୍ତ ଥିବା ପ୍ରସଙ୍ଗରେ ବିଏମ୍‌ସି ଛୁଟି ପରେ ଆଲୋଚନା କରିବ ବୋଲି କହି ଯେଉଁ ନିଷ୍ଠୁର ଉଦାସୀନତା‌ ପ୍ରଦର୍ଶନ କରିଛି, ତାହାକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରା ଯାଉଛି। ଶୁକ୍ରବାର ଠାରୁ ହାଟ ବନ୍ଦ ରହିଥିଲେ ମଧ୍ୟ ଅନେକ ଗ୍ରାହକ ହାଟ ଖୋଲିବା ଆଶାରେ ପହଞ୍ଚୁଛନ୍ତି। ଆଜି ମଧ୍ୟ ଶତାଧିକ ଗ୍ରାହକ ହାଟରେ ପହଞ୍ଚି ନିରାଶ ହୋଇଥିଲେ। ଧଉଳିର ଓମ୍‌ପ୍ରକାଶ ସାହୁ କହିଛନ୍ତି, ‘‘୬ ତାରିଖରେ ଏକ ଉତ୍ସବ ରହିଛି। ତା’ପୂର୍ବରୁ କେତେକ ଲୁଗାପଟା କିଣିବା ଦରକାର ଅଛି। ଭୋଜି ପାଇଁ ଗ୍ରୋସରି ମଧ୍ୟ ଦରକାର ଅଛି। ଦୁଇଦିନ ତଳେ ମୁଁ ଆସି କଥା ହୋଇ ଯାଇଥିଲି। ଏବେ ବାହାରୁ ଜିନିଷ କିଣିଲେ କ୍ଷତିରେ ପଡ଼ିବି। ଏତେ ବଡ଼ ମାର୍କେଟ୍‌ ବନ୍ଦ ରହିଥିଲେ ମଧ୍ୟ ଏହାକୁ ଖୋଲିବାକୁ କେମିତି ତତ୍ପରତା ପ୍ରକାଶ ଯାଉନାହିଁ!’’ ଏଭଳି ଶହ ଶହ ଲୋକଙ୍କର ଅଭିଯୋଗ ଓ ଆଶଙ୍କା ରହିଛି।
ସେପଟେ ବ୍ୟବସାୟୀମାାନେ ମଧ୍ୟ ଖୁସିରେ ନାହାନ୍ତି। ଅନେକଙ୍କର ପେଟପାଟଣା ଏହି ବ୍ୟବସାୟ ଉପରେ ନିର୍ଭର କରୁଥିବାରୁ ସେମାନେ ପ୍ରମାଦ ଗଣୁଛନ୍ତି। ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ କହିଛନ୍ତି, ‘‘ଏଥିରେ ପ୍ରାୟ ୧୫ ହଜାର ଛୋଟବଡ଼ ବ୍ୟବସାୟୀଙ୍କର ପେଟପାଟଣା ରହିଛି। ସମସ୍ତେ ଚିନ୍ତାରେ ଅଛନ୍ତି। କିନ୍ତୁ ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ସମସ୍ତେ ଚାହୁଛନ୍ତି। ସେଥିପାଇଁ ଧାରଣାରେ ବସିଛନ୍ତି।’’ ଉଲ୍ଲେଖଯୋଗ୍ୟ, ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିସନର ଥିବା ବେଳେ ଏହି ହାଟ ପାଚେରିକୁ ଲାଗି କେତେକ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଭେଣ୍ଡିଂ ଜୋନ୍‌ ସ୍ବୀକୃତି ଦେଇଥିଲେ। ସେମାନେ ଯେତିକି ପରିମାଣର ଜାଗା ପାଇଥିଲେ ତାହାର ଦୁଇଗୁଣରୁ ବେଶି ବ୍ୟବହାର କରୁଛନ୍ତି। ସ୍ବୀକୃତିପ୍ରାପ୍ତ ବ୍ୟବସାୟୀଙ୍କ ଠାରୁ ସଂଖ୍ୟା ମଧ୍ୟ ବଢ଼ିଗଲାଣି। କେତେକ ଏହି ଭେଣ୍ଡିଂ ଜୋନ୍‌କୁ ଭଡ଼ା ଦେଇ ଦେଲେଣି। ଏ ସବୁର ତଦନ୍ତ କରିବା ସହ ଜବରଦଖଲ ହଟାଇବାକୁ ବହୁ ଦିନରୁ ଦାବି ହେଉଛି। ବିଏମ୍‌ସି ଏହି ସ୍ବୀକୃତି ଦେଇଥିଲେ ମଧ୍ୟ ଉଚ୍ଛେଦ କରିବାକୁ କୁନ୍ଥକୁନ୍ଥ ହେଉଛି। ପାର୍କିଂ ଓ ଯିବା ଆସିବା ସମସ୍ୟା ହେବାରୁ ଏଭଳି ପରିସ୍ଥିତି ଉପୁଜିଛି।

Share Now:

Kalinga News Beuro

Next Post

ଏସୀୟ କ୍ରୀଡ଼ା : ଭାରତକୁ ୩୦୦୦ ମିଟର ଷ୍ଟିପଲଚେଜ ଓ ସଟପୁଟରେ ଦୁଇଟି ସ୍ୱର୍ଣ୍ଣ

Sun Oct 1 , 2023
ହାଙ୍ଗଝୁ : ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ଏସୀୟ କ୍ରୀଡ଼ାରେ ୩୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବିନାଶ ସାବଲେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି। ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ୱ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ତେଜିନ୍ଦରପାଲ୍ ସିଂ ସଟପୁଟରେ ସ୍ୱର୍ଣ୍ଣ ଜିତିଛନ୍ତି। ସେ […]
ସଟପୁଟରେ ତେଜିନ୍ଦରଙ୍କୁ ସ୍ବର୍ଣ୍ଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial