ପୂର୍ତ୍ତ ବିଭାଗର କେଳେଙ୍କାରୀ : ଡ୍ରେନ୍‌ ସଫାରେ ଅଧକୋଟି ହରିଲୁଟ୍‌

ଡ୍ରେନ୍‌ ସଫାରେ ଅଧକୋଟି ହରିଲୁଟ୍‌

ଭୁବନେଶ୍ୱର: ସାମାନ୍ୟ ବର୍ଷାରେ ନିୟମିତ ଭୁବନେଶ୍ୱର ଭାସିବା ପରେ ପୂର୍ତ୍ତ ବିଭାଗକୁ ଦୋଷ ଦେଇଥିଲା ବିଏମ୍‌ସି। ବିଏମ୍‌ସି ଅଞ୍ଚଳରେ ଥିବା ପୂର୍ତ୍ତ ବିଭାଗର ଡ୍ରେନ୍‌ ବର୍ଷ ବର୍ଷ ଧରି ସଫା ହେଉନଥିବାରୁ ଭୁବନେଶ୍ୱର ଭାସୁଛି ବୋଲି ବିଏମ୍‌ସି କର୍ପୋରେସନ ବୈଠକରେ ତନାଘନା ହୋଇଥିଲା। ତା’ ସହିତ ପୂର୍ତ୍ତ ବିଭାଗ ସଫା ନ କଲେ ବିଏମ୍‌ସି ସଫା କରିବ ଓ ଏହାର ଖର୍ଚ୍ଚ ପୂର୍ତ୍ତ ବିଭାଗ ଭରଣା କରିବେ ବାଲି ସଫା ସଫା ଶୁଣାଇ ଦେଇଥିଲା ବିଏମ୍‌ସି। ଏହା ପରେ ପୂର୍ତ୍ତ ବିଭାଗ ତତ୍ପର ହୋଇଥିଲା। ସହର‌ରେ ଥିବା ପ୍ରାୟ ୨୩ କିଲୋମିଟର ଡ୍ରେନ୍‌ ସଫା କରିବା ପାଇଁ ଟେଣ୍ଡର ଡାକିଥିଲା। ଏଥିରେ ୧ କୋଟି ୫୮ ଲକ୍ଷ ୯୮ ହଜାର ୫୭ ଟଙ୍କା ବ୍ୟୟ ଅଟକଳ ରହିଥିଲା। ଏବେ ଏହିସବୁ ଡ୍ରେନ୍‌ ସଫା ହୋଇଯାଇଛି ବୋଲି ଠିକାଦାରମାନେ ଦର୍ଶାଇ ବିଲ୍‌ ଦାଖଲ କରିଛନ୍ତି। କିନ୍ତୁ ବାସ୍ତବରେ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି କେତେକ କର୍ପୋରେଟର ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଅଧକୋଟିରୁ ଊର୍ଦ୍ଧ୍ବ ଟଙ୍କା ହରିଲୁଟ୍‌ ହୋଇଛି, ଫଳରେ ପୂର୍ବଭଳି ଭୁବନେଶ୍ୱର ଭାସିବ ବୋଲି ସ୍ପଷ୍ଟ ହୋଇ ଯାଇଛି।
ଗତ ଜୁନ୍‌ମାସରେ ୧୦ଟି ମୁଖ୍ୟ ଡ୍ରେନର ସଫେଇ ସାଙ୍ଗକୁ ବିଏମ୍‌ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନଂ-୪, ୫ ଓ ୫୦ର ଡ୍ରେନ କାମ ପାଇଁ ୨୨ଟି ପ୍ରକଳ୍ପରେ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲା। କେବଳ ନଳା ସଫା ଓ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ବିଏମ୍‌ସି ୫୭ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ଇଣ୍ଟରନାଲ୍‌ ଡ୍ରେନ୍‌ ସବୁ ନିୟମିତ ସଫା ହେଉଥିବା ବିଏମ୍‌ସି ଦର୍ଶାଉଛି। ଏଭଳି ଖର୍ଚ୍ଚ ନିୟମିତ ହେଉଛି। ହେଲେ ପ୍ରତ୍ୟେକ ବର୍ଷାରେ ଭୁବନେଶ୍ୱର ଭାସୁଛି। ଏଭଳି ନିୟମିତ ହେବାରୁ ବିଏମ୍‌ସି ପୂର୍ତ୍ତ ବିଭାଗ ଦୋଷ ଦେଇଥିଲା। ଏକ କର୍ପୋରେସନ ବୈଠକରେ ଏ ନେଇ ହୋହଲ୍ଲା ହେବା ସହ ପୂ୍ର୍ତ୍ତ ବିଭାଗ ସହ ସ୍ୱତନ୍ତ୍ର ବୈଠକ ବସିଥିଲା। ପୂର୍ବରୁ ପୂର୍ତ୍ତ ବିଭାଗ ବିନା ଟେଣ୍ଡରରେ ଏହି ଡ୍ରେନ୍‌ ସଫା ଦଫାଦଫାରେ କରୁଥିବା ବେଳେ ପ୍ରଥମ ଥର ପାଇଁ ୭ଟି ପ୍ୟାକେଜ୍‌ରେ ୨୩ କିଲୋମିଟର ଡ୍ରେନ୍‌ ଏକ ସମୟରେ ସଫା କରିବା ପାଇଁ ଟେଣ୍ଡର ଡାକିଥିଲା। ୟୁନିଟ୍‌-୫ ଅଞ୍ଚଳ ଡ୍ରେନ୍‌ ପାଇଁ ୯ ଲକ୍ଷ ୭୪ ହଜାର ୧୫୫ ଟଙ୍କା ଖର୍ଚ୍ଚ ଅଟକଳ ରହିଥିବା ବେଳେ ଲକ୍ଷ୍ମୀସାଗର, ଜଗନ୍ନାଥ ଆଶ୍ରମ, ରେଳଷ୍ଟେସନ ପ୍ରଭୃତି ଅଞ୍ଚଳ ପାଇଁ ୧୦ ଲକ୍ଷ ୧୪ ହଜାର ୮୨୧ ଟଙ୍କା, ମହାତ୍ମାଗାନ୍ଧୀ ମାର୍ଗ, କେଶରୀ ହଲ୍‌ରୁ ଜନପଥ ପାଇଁ ୬ ଲକ୍ଷ ୬୯ ହଜାର ୦୧୮, ବିଜେବି ନଗର ଅଞ୍ଚଳ ପାଇଁ ୪୪ ଲକ୍ଷ ୬ ହଜାର ୯୯୪, ୟୁନିଟ୍‌-୩ ଅଞ୍ଚଳ ପାଇଁ ୨୩ ଲକ୍ଷ ୩୮ ହଜାର ୭୧୫, ପୂର୍ତ୍ତ ବିଭାଗ ସେକ୍ସନ-୩ ଅଧୀନରେ ରସୁଲଗଡ଼ରୁ ଲକ୍ଷ୍ମୀସାଗର ଛକ, ଜେଲ୍‌ ଛକରୁ କରୋଡ଼ କଣ୍ଟା, ଗଣେଶମଣ୍ଡପରୁ ଭଗବାନ ଟାୱାର, ଦୟା ୱେଷ୍ଟ ‌କେନାଲ୍‌ ଉଭୟପାର୍ଶ୍ଵ, ଜଗନ୍ନାଥ ନଗରରୁ ଜିଜିପି କଲୋନି ପାଇଁ ୪୭ ଲକ୍ଷ ୬୩ ହଜାର ୩୦୭ ଏବଂ ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ମେଡିକାଲ୍‌ ରାସ୍ତା ଓ ଲକ୍ଷ୍ମୀସାଗର ଅଞ୍ଚଳର କିଛି ରାସ୍ତା ପାଇଁ ୧୭ ଲକ୍ଷ ୩୧ ହଜାର ଟଙ୍କା ଅଟକଳ ରହିଥିଲା। ଏଭଳି ମୋଟ୍‌ ୧ କୋଟି ୫୮ ଲକ୍ଷ ୯୮ ହଜାର ୫୭ ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା ହୋଇଥିଲା।
ତେବେ ସବୁଠାରୁ ଅଧିକ ଅଭିଯୋଗ ରହିଥିଲା ସେକ୍ସନ-୩ ଅଧୀନରେ ଥିବା ରସୁଲଗଡ଼ରୁ ଲକ୍ଷ୍ମୀସାଗର ଛକ, ଜେଲ୍‌ ଛକରୁ କରୋଡ଼ କଣ୍ଟା, ଗଣେଶମଣ୍ଡପରୁ ଭଗବାନ ଟାୱାର, ଦୟା ୱେଷ୍ଟ ‌କେନାଲ୍‌ ଉଭୟପାର୍ଶ୍ବ, ଜଗନ୍ନାଥ ନଗରରୁ ଜିଜିପି କଲୋନିରେ ହୋଇଥିବା ଡ୍ରେନ୍‌ ସଫା କାମରେ। ଏଥିପାଇଁ ୪୭ ଲକ୍ଷ ୬୩ ହଜାର ୩୦୭ ଟଙ୍କା ଖର୍ଚ୍ଚ ହୋଇଥିବା ଠିକାଦାର ଦର୍ଶାଇଥିଲେ। ଏ ନେଇ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କୁମାରେନ୍ଦ୍ର ମହାପାତ୍ର କହିଛନ୍ତି, ସଫା ହେବା ସମୟରେ ବିଭାଗ କିମ୍ବା ଠିକାଦାର ଜନପ୍ରତିନିଧିମାନଙ୍କୁ ଜଣାଇନଥିଲେ। ବିଏମ୍‌ସିର ଯାହା କାମ ହେଉଛି ତାହା ଆମ ତତ୍ବାବଧାନରେ ହେଉଛି। ଆମେ ସେଥିପାଇଁ ଲୋକଙ୍କ ପାଖରେ ଉତ୍ତରଦାୟୀ ରହୁଛୁ। ପୂର୍ତ୍ତ ବିଭାଭ ପକ୍ଷରୁ ନଳାସଫା ଧର୍ମକୁ ଆଖିଠାର ଭଳି ହୋଇଛି। ଏ ନେଇ ଆମେ ସରକାରଙ୍କୁ ଲେଖିବୁ। ତେବେ କେବଳ କୁମାରେନ୍ଦ୍ର ନୁହନ୍ତି, ଏକାଧିକ କର୍ପୋରେଟର ମଧ୍ୟ ଏଭଳି ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ ଅଞ୍ଚଳର କନିଷ୍ଟ ଯନ୍ତ୍ରୀମାନଙ୍କ ଜରିଆରେ ଏହି ନଳା ସଫା କାମର ତଦାରଖ କରାଯାଇଛି। ନିର୍ଦ୍ଦିଷ୍ଟ ଅଭିଯୋଗ ହେଲେ ସମ୍ପୃକ୍ତ ନଳା ଯାଞ୍ଚ କରା ଯାଇପାରେ। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ପୂର୍ତ୍ତ ବିଭାଗ ଅଧୀନରେ ୩୮୦ କିମି ଡ୍ରେନ୍‌ ରହିଥିବା ବେଳେ ବିଏମ୍‌ସି ଅଧୀନରେ ୬୩୩ କିମି ଡ୍ରେନ୍‌ ରହିଛି।

Share Now:

Kalinga News Beuro

Next Post

କୋଟିଆରେ ପୁଣି ପଶିଲା ଆନ୍ଧ୍ର : ଲୋକଙ୍କୁ ଗାଡ଼ିରେ ବୋହିଲେ, ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା କଲେ

Sat Oct 21 , 2023
କୋରାପୁଟ: ଆନ୍ଧ୍ର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ କୋରାପୁଟ ଜିଲ୍ଲାର କୋଟିଆରେ ପୁଣି ଥରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି। କୋଟିଆ ଗାଁର ଲୋକଙ୍କୁ ପ୍ରଲୋଭିତ କରି ସ୍ୱାସ୍ଥ୍ୟ ପରୀକ୍ଷା ସହ ଜରୁରୀ ଔଷଧ ବିତରଣ କରିଛି। ସୂଚନା ଅନୁସାରେ ଶନିବାର କୋଟିଆର ପାଟୁସିନେରି ଠାରେ ସାଲୁର ମଣ୍ଡଳର ମେଡିକାଲ ଟିମ୍ ଆଜି ପହଞ୍ଚି ଥିଲେ। କୋଟିଆ ପଞ୍ଚାୟତର ଅନେକ ଗାର ଲୋକଙ୍କୁ ଗାଡ଼ିରେ ବୋହିଥିଲେ। ପାଟୁସିନେରି ଠାରେ ଆନ୍ଧ୍ର ସରକାରଙ୍କ […]
କୋଟିଆରେ ପୁଣି ପଶିଲା ଆନ୍ଧ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial