ଆରମ୍ଭ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’: ଯୋଗଦେବେ ୨ ହଜାର ଛାତ୍ରଛାତ୍ରୀ

ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ମୁଖ୍ୟ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିୟନ୍‌

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହେବାକୁ ଯାଉଛି। ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ତିନି ଦିନିଆ ମହୋତ୍ସବର ମୁଖ୍ୟ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିୟନ୍‌’। ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଆକାଂକ୍ଷୀ ପାଠ୍ୟକ୍ରମ ଓ କ୍ଲବ୍ କାର୍ଯ୍ୟକ୍ରମଗୁଡ଼ିକ ଏହି ପାଭିଲିୟନ୍‌ରେ ପ୍ରଦର୍ଶିତ ହେବ। ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଧୀନରେ ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିନବ ପଦକ୍ଷେପକୁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଦର୍ଶକମାନେ ଦେଖିପାରିବେ। ଏଠାରେ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଜିଲ୍ଲାସ୍ତରରୁ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ପ୍ରତିଯୋଗିତାରେ ବିଜେତା ଛାତ୍ରଛାତ୍ରୀଙ୍କୁ ଉଦ୍‌ଯାପନୀ ଉତ୍ସବରେ ପୁରସ୍କୃତ କରାଯିବ।
‘ସୁରଭି’ର ଉଦ୍‌ଘାଟନୀ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀମାନେ ଖଣ୍ଡିଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ଓ ନ୍ୟଚୁରାଲ ହିଷ୍ଟ୍ରି ଅଫ୍ ମ୍ୟୁଜିୟମ୍ ପରିଦର୍ଶନ କରିବାର ବ୍ୟବସ୍ଥା ହୋଇଛି। ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ଛାୟା ମିଳିତ ଜାତିସଂଘ’ ଅନୁଷ୍ଠିତ ହେବ। ଏଥିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଯୋଗଦେବେ। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା (ଶିକ୍ଷା) ଓ ଓଡି଼ଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି।

Share Now:

Kalinga News Beuro

Next Post

ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

Tue Nov 14 , 2023
ପୁରୀ: ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଅବଶ୍ୟ ଲିଭାଇବାରେ ସକ୍ଷମ ହୋଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଛି। ତଦନ୍ତ ପାଇଁ ରେଳବାଇ ଟିମ ଖୋର୍ଦ୍ଧାରୁ ଆସୁଥିବା ଜଣାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଥିବା ଟ୍ରେନ୍ର ବଗିଗୁଡ଼ିକର […]
ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial