ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ : ୧୯ ଆହତ

ଟ୍ରେନ୍‌ରେ ଅଗ୍ନିକାଣ୍ଡ

ଇଟାୱା: ଗୁରୁବାର ରାତିରେ ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳରେ ‘ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଗୋଟିଏ କୋଚ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପାଣ୍ଟ୍ରି କାର୍‌ ନିକଟ କୋଚ୍‌ ବା ବଗିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖା ଦେବାରୁ ୧୧ଜଣ ଯାତ୍ରୀଙ୍କୁ ‘ପିଜିଆଇ’କୁ ‘ରେଫର୍‌’ କରାଯାଇଛି। ପୋଡ଼ିଯାଇ ସାମାନ୍ୟ ଆହତ ହୋଇଥିବା ବାକି ୮ଜଣ ଯାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜାଣିବା ଲାଗି ତଦନ୍ତ କରାଯିବ।
ସୂଚନାଯୋଗ୍ୟ, ଏହା ହେଉଛି ଇଟାୱାରେ ଟ୍ରେନ୍‌ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ଦ୍ବିତୀୟ ଘଟଣା। ବୁଧବାର ଦିନ ଏଠାରେ ‘ନୂଆଦିଲ୍ଲୀ-ଦରଭଙ୍ଗା ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅଳ୍ପ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଥିଲେ। ସଂଗୃହୀତ ସୂଚନା ଅନୁସାରେ, ଟ୍ରେନ୍‌ରେ ନିଆଁ ଲାଗିବାକ୍ଷଣି କେତେଜଣ ଯାତ୍ରୀ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ର କ୍ଷମତାଠାରୁ ଯାତ୍ରୀସଂଖ୍ୟା ଅଧିକ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଇଟାୱାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି, ବିଜୁଳି ‘ସର୍ଟ ସର୍କିଟ୍‌’ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

Share Now:

Kalinga News Beuro

Next Post

ରାଜଧାନୀରେ ଟ୍ରାଫିକ ନିୟନ୍ତ୍ରଣ ବାହାରେ : ନିୟମ ଲାଗୁ କରିବାରେ ପ୍ରଶାସନ ଢିଲା, ଲୋକ ବି ସମ୍ବେଦନହୀନ

Thu Nov 16 , 2023
ଭୁବନେଶ୍ବର: ସଙ୍କଟାପନ୍ନ ରୋଗୀଙ୍କୁ ଧରି ଡାକ୍ତରଖାନା ଅଭିମୁଖେ ସାଇରନ୍‌ ବଜାଇ ତୀବ୍ରଗତିରେ ଧାଉଁଛି ଆମ୍ବୁଲାନ୍ସ। ଏ ସମୟରେ ଆଶା କରାଯାଏ ଯେ ଆଗରେ ଥିବା ଚାରି ଚକିଆ, ଦୁଇ ଚକିଆ ଓ ଅନ୍ୟ ସବୁ ଶ୍ରେଣୀର ଗାଡ଼ି ଯେତେ ଜରୁରୀ କାର୍ଯ୍ୟରେ ଯାଉଥାଆନ୍ତୁ ନା କାହିଁକି, ଆମ୍ବୁଲାନ୍ସକୁ ପ୍ରଥମେ ବାଟ ଛାଡ଼ିଦେବେ। କିନ୍ତୁ ରାସ୍ତାରେ ଭିଡ଼ ନଥିଲେ ହେଁ ଆଜିକାଲି କ୍ବଚିତ୍‌ ଗାଡ଼ି ଚାଳକ ମାନବିକତା ଦୃଷ୍ଟିରୁ ଅନ୍ତତଃ ଆଡ଼େଇ […]
ଟ୍ରାଫିକ୍‌ରେ ନିତିଦିନ ବାଜିରେ ଲାଗୁଛି ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial