ବାରିପଦାରେ ରାଷ୍ଟ୍ରପତି : ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦଘାଟନ କଲେ

ବାରିପଦାରେ ରାଷ୍ଟ୍ରପତି

ବାରିପଦା: ଭାରତର ପ୍ରଥମ ନାଗରିକ ମୟୂରଭଞ୍ଜ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ବିତୀୟ ଥର ପାଇଁ ନିଜ ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି ସହିଦ ସ୍ମୃତି ଭବନରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହା ପରେ ସେ ଅପରାହ୍ଣ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ। ନଭେମ୍ବର ୨୧ତାରିଖ (ମଙ୍ଗଳବାର) ରାଷ୍ଟ୍ରପତିଙ୍କୁ ମୟୂରଭଞ୍ଜର ପାହାଡପୁର ଗ୍ରାମବାସୀ ପୂର୍ବାହ୍ନ ୮ଟା ୧୫ରୁ ୯ଟା ୧୫ ମଧ୍ୟରେ ସ୍ବାଗତ କରିବେ। ସେଠାରେ ରାଷ୍ଟ୍ରପତି ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ପରେ ସେ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ କରିବେ। ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍ଏଲଏସ୍ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧୀ ସ୍ଥଳକୁ ଯିବେ। ସେଠାରେ ଏସ୍ଏଲଏସ୍ ଟ୍ରଷ୍ଟ ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଂପର୍କୀୟଙ୍କୁ ସମ୍ବୋଧିତ କରିବେ। ଏହା ପରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ମହାମହିମ ଏହି ଦିନ ସକାଳ ୯ଟା ୧୫ରୁ ୧୦ଟା ୪୫ ଭିତରେ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ ଏବଂ ବାଦାମପାହାଡ଼–ଶାଲିମାର ସାପ୍ତାହିକ ଏକ୍ସପ୍ରେସ। ରାଷ୍ଟ୍ରପତିଙ୍କ ଦ୍ବାରା ନୂଆ ରାଇରଙ୍ଗପୁର ଡାକ ଡିଭିଜନ ଉଦ୍ଘାଟନ କରାଯିବ। ସେ ମଧ୍ୟ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏଥିସହିତ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ସେ ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ମଙ୍ଗଳବାର ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ସେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ। ଆସନ୍ତା ୨୨ ତାରିଖ ପୂର୍ବାହ୍ନ ୧୦ଟା ୨୦ରୁ ୧୧ଟା ୨୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥାଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାକୁ ଶୁଭାରମ୍ଭ କରିବେ। ଏହାପରେ ରାଷ୍ଟ୍ରପତି ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

Share Now:

Kalinga News Beuro

Next Post

ଉପବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସାଲୁଗା ପ୍ରଧାନ

Tue Nov 21 , 2023
ଭୁବନେଶ୍ବର: ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେଲେ ନୂଆ ଉପବାଚସ୍ପତି। ଉପବାଚସ୍ପତି ଭାବେ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି ଭାବେ ସାଲୁଗା ପ୍ରଧାନଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହାକୁ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ କରିଥିଲେ। ଠିକ୍ ସେହିପରି କଂଗ୍ରେସ ପକ୍ଷରୁ ବି ତାଙ୍କୁ ସମର୍ଥନ ଦିଆଯାଇଥିଲା। ଏହାପରେ ନୂତନ ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ବକ୍ତବ୍ୟ ରଖି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial