ଶହ ଶହ ବେକାରଙ୍କୁ ଲୁଟିଛି ‘ସୁରଧାନୀ’ ସଂସ୍ଥା

କେବଳ ନୟାଗଡ଼ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ବି ଠକେଇ, ଟାଉନ ଥାନାରେ ବାଣପୁରର ୧୮ ଯୁବକଙ୍କ ଏତଲା, ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ

ନୟାଗଡ଼ : ନୟାଗଡ଼ର ଖଣ୍ଡପଡ଼ା ରୋଡ୍‌ ଲକ୍ଷ୍ମଣନଗରରେ ଅବସ୍ଥିତ ସୁରଧାନୀ ଟ୍ରାଭେଲିଂ ଏଜେନ୍ସି କେବଳ ନୟାଗଡ଼ ଜିଲ୍ଲାରେ ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଠକେଇ କରିଥିବା ଜଣାଯାଇଛି। ରଣପୁରରେ ଠକେଇର ଶିକାର ‌ହୋଇଥିବା ୧୮ ଜଣ ଯୁବକ ଗତ ୨୧ ତାରିଖରେ ରଣପୁର ଥାନାରେ ଏତଲା ଦେବା ପରେ ପୁଲିସ ଉକ୍ତ ସଂସ୍ଥାର ୩ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରିଛି। ସଂସ୍ଥାର ମୁଖ୍ୟ ଶରଣକୁଳ ଥାନା ଅଧୀନ ହରିହରପୁର ଗ୍ରାମର ରବୀନ୍ଦ୍ର ପାଢୀ ଓ ତାଙ୍କ ପତ୍ନୀ ସୁରଧାନୀ ପଣ୍ଡା ଫେରାର ଅଛନ୍ତି। ପ୍ରାୟ ୫୦୦ ଯୁବକ ସୁରଧାନୀ ସଂସ୍ଥା ଦ୍ୱାରା ଠକେଇର ଶିକାର ‌ହୋଇଥିବା ଏତଲାକାରୀ କହିଥିବା ବେଳେ, ସମସ୍ତେ ସଂସ୍ଥା ବିରୋଧରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ରଣପୁର ପରେ ଆଜି ପ‌ଡ଼ୋଶୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ଵର ଗ୍ରାମର ଯୁବକ ସର୍ବେଶ୍ଵର ପଲାଇ, ସାଗର ସ୍ୱାଇଁ, ସୁବ୍ରତ ମିଶ୍ରଙ୍କ ସମେତ ୧୮ ଜଣ ଯୁବକ ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ସୁରଧାନୀ ସଂସ୍ଥା ମାଲେସିଆ, ଦୁବାଇ, ଥାଇଲାଣ୍ଡ ଭଳି ଦେଶ‌ର ସପିଂ ମଲ୍‌ରେ ଚାକି‌ରି ଦେବାକୁ କହି ବେକାର, ଶ୍ରମିକ ଯୁବକଙ୍କଠାରୁ ୬୦ରୁ ୬୫ ହଜାର ଲେଖାଏଁ ଲୁଟିଛି। ଉଭୟ ଖୋର୍ଦ୍ଧା‌ ଓ ନୟାଗଡ଼ ଜିଲ୍ଲାରୁ ୫ ଶହରୁ ଅଧିକ ଯୁବକ ଏହିଭଳି ଠକେଇର ଶିକାର ହୋଇଥିବା କୁହାଯାଉଛି। ଠକେଇର ପରିମାଣ ୩ କୋଟିରୁ ଅଧିକ ହୋଇପାରେ। ପ୍ରାୟ ଏକ ମାସ ତଳେ ରଣପୁର ଥାନା ଅଧୀନ ଗୋଡ଼ିପଡ଼ାର ୫ ଜଣ ଯୁବକ ଉକ୍ତ ସଂସ୍ଥା ଜରିଆରେ ମାଲେସିଆରେ ଚାକିରି ‌ଉଦ୍ଦେଶ୍ୟ‌ରେ ଯାଇ ନିର୍ଯ‌ାତନା ଭୋଗୁଥିବା ଖବର ପଦାକୁ ଆ‌ସିବା ପରେ ଏହି ଠକେଇ ସଂସ୍ଥାର ଗୁମର ଧୀରେ ଧୀରେ ଖୋଲିଥିଲା। ଏହା ପରେ ଗତ ୧୮ ତାରିଖ ଦିନ ରଣପୁରର ୧୮ ଜଣ ଯୁବକ ସୁରଧାନୀ ସଂସ୍ଥାର ସୂଚନା ଅନୁଯାୟୀ ମା‌ଲେସିଆ ଯିବା ନିମନ୍ତେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ, ଏହି ସଂସ୍ଥାର କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ପାଇନଥିଲେ। ଏପରିକି ଫୋନ୍ କରିଥିଲେ ମଧ୍ୟ ସଂସ୍ଥାର କର୍ମକର୍ତ୍ତା ଶତ୍ରୁଘ୍ନ ବେହେରା, ପ୍ରଫୁଲ୍ଲ କୁମାର ପ୍ରଧାନ, ଦୀନବନ୍ଧୁ ପ୍ରଧାନ ସଭିଙ୍କ ମୋବାଇଲ ବନ୍ଦ ରହିଥିଲା। ଏହି ତିନି କର୍ମକର୍ତ୍ତାଙ୍କୁ ରଣପୁର ପୁଲିସ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଛି। ଗଣମାଧ୍ୟମରେ ଏହି ସଂସ୍ଥାର ଠକେଇ, ସହଯୋଗୀ ଗିରଫ ଓ ମାଲିକ ଫେରାର ଖବର ଜାଣି ବାଣପୁର ଅଞ୍ଚଳର ୧୮ ଜଣ ଯୁବକ ଆଜି ନୟାଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ଘଟଣାର ଅନୁସନ୍ଧାନ କରାଯାଉଥିବା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଟ୍ରାଫିକ ନିୟମ କୋହଳ ସମୟସୀମା ୩ ମାସ ବଢ଼ିଲା:ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ

Fri Nov 29 , 2019
ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଠିକ କରିପାରି ନଥିବା ଅଥବା ଡ୍ରାଇଭିଂ ଲାଇସେନ୍ସ ନ ଥିବା ବ୍ୟକ୍ତିଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ବିଭିନ୍ନ ଆରଟିଓ ଅଫିସରେ ଲୋକଙ୍କର ପ୍ରବଳ ଭିଡ ଓ ସେମାନେ ସାମ୍ନା କରୁଥିବା ଅସୁବିଧାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଟ୍ରାଫିକ ନିୟମ ଲାଗୁ କ୍ଷେତ୍ରରେ କୋହଳ ସମୟସୀମାକୁ ଆଉ ତିନି ମାସ ବୃଦ୍ଧି କରିଛନ୍ତି। ଆଜି ବିଧାନସଭାରେ ଦଳ ନିର୍ବିଶେଷରେ ବିଧାୟକମାନେ ସାଧାରଣ ଲୋକ ସାମ୍ନା କରୁଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial