କରଣୀ ସେନା ମୁଖ୍ୟ ହତ୍ୟାକାଣ୍ଡ : ଗିରଫ ହେଲେ ୨ ‘ସୁଟର୍‌’ଙ୍କ ସମେତ ୩ଜଣ ବ୍ୟକ୍ତି

ଚଣ୍ଡୀଗଡ଼: ‘ରାଷ୍ଟ୍ରୀୟ ରାଜପୁତ କରଣୀ ସେନା’ର ମୁଖ୍ୟ ଶୁକଦେବ ସିଂହ ଗୋଗା ମେଡ଼ୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଗୁଳି ଚାଳନାକାରୀଙ୍କ (ସୁଟର୍‌) ସମେତ ଶନିବାର ବିଳମ୍ବିତ-ରାତ୍ରରେ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ ପୁଲିସ ଓ ରାଜସ୍ଥାନ ପୁଲିସ ଚଣ୍ଡୀଗଡ଼ରେ ମିଳିତ ଅଭିଯାନ ଚଳାଇ ରୋହିତ ରାଠୋର୍‌ ଓ ନୀତିନ୍‌ ଫୌଜି ନାମରେ ୨ଜଣ ‘ସୁଟର୍‌’ଙ୍କୁ ଗିରଫ କରିଛନ୍ତି। ତାଙ୍କ ସହିତ ଥିବା ଉଧାମ ସିଂହ ନାମରେ ଆଉ ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ସେ ଗୋଗାମେଡ଼ୀ ହତ୍ୟାକାଣ୍ଡରେ ତାଙ୍କର ଭୂମିକା ଥିଲା କି, ନାହିଁ, ତାହା ତଦନ୍ତ ଚାଲିଛି। ଦିଲ୍ଲୀ ପୁଲିସ ରୋହିତ ଓ ଉଧାମଙ୍କୁ ଦିଲ୍ଲୀ ନେଇ ଆସିଥିବା ବେଳେ ନୀତିନ୍‌ ଫୌଜି ରାଜସ୍ଥାନ ପୁଲିସ ହାଜତରେ ରହିଛି। ରୋହିତ ଓ ନୀତିନ୍‌ଙ୍କ ବିଷୟରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ଘୋଷଣା କରିଥିଲା।
ପୁଲିସ କହିଛି, ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସେମାନଙ୍କ ଅସ୍ତ୍ର ସବୁ ଲୁଚାଇ ଦେଇ ରାଜସ୍ଥାନରୁ ଖସିଯାଇ ହରିୟାଣାର ହିସାର୍‌ରେ ପହଞ୍ଚି ଥିଲେ। ତା’ପରେ ସେମାନେ ହିମାଚଳ ପ୍ରଦେଶର ମନାଲିକୁ ଗଲେ। ପରେ ପୁଣି ସେମାନେ ଚଣ୍ଡୀଗଡ଼କୁ ଫେରି ଆସିଥିଲେ। ସେଠାରୁ ସେମାନଙ୍କୁ ଗିରଫ କରାଯାଇଛି। ମୋବାଇଲ୍‌ ଫୋନ୍‌ ଲୋକେସନ୍‌କୁ ଅନୁସରଣ କରି ପୁଲିସ ଦୁହିଁଙ୍କର ଅବସ୍ଥିତି ବିଷୟରେ ଅବଗତ ହୋଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ପୁଲିସ ୪ଜଣଙ୍କୁ ଗିରଫ କରିସାରିଲାଣି। ଶନିବାର ଦିନ ରାଜସ୍ଥାନ ପୁଲିସ ରାମବୀର ଜାଟ୍‌ ନାମରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ‘ସୁଟର୍‌’ ରୋହିତ ଓ ନୀତିନ୍‌ଙ୍କୁ ଘଟଣାସ୍ଥଳରୁ ବାଇକ୍‌ରେ ବସାଇ ନେଇ ଆଜ୍‌ମେର୍‌ ରୋଡ୍‌ରେ ଛାଡ଼ିଥିଲେ। ସୂଚନାଯୋଗ୍ୟ ମଙ୍ଗଳବାର ଦିନ ଜୟପୁରସ୍ଥିତ ବାସଭବନରେ ଶୁକଦେବ ସିଂହ ଗୋଗାମେଡ଼ୀଙ୍କ ସହିତ ବସି ଚା ପାନ କରିସାରିବା ପରେ ସେମାନେ ତାଙ୍କ ଉପରକୁ ଅତି ନିକଟରୁ ଏକାଧିକ ବାର ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୨ଜଣ ଫେରାର୍‌ ହୋଇ ଯାଇଥିଲେ।

Share Now:

Kalinga News Beuro

Next Post

ଢେଙ୍କାନାଳରେ ୨୨ ଟିକିଆ ହାତୀପଲ : ଏକର ଏକର ଫସଲ ନଷ୍ଟ

Sun Dec 10 , 2023
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବାଇସିଙ୍ଗା ପଞ୍ଚାୟତ ବଲ୍ଲଭ ଗାଁ ନିକଟରେ ୨୨ ଟିକିଆ ହାତୀ ପଲକୁ ଦେଖିବାକୁ ମିଳିଛି। ଗାଁରେ ପଶି ହାତୀ ପଲ ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଏହି ହାତୀ ପଲ ଭୂବନ ପଟୁ ନଦୀ ପାର ହୋଇ ଗାଁ ଭିତରେ ପଶି ଆତଙ୍କ ଖେଳାଇଚାଲିଛନ୍ତି। ସେହିଭଳି ଚାଷ ଜମିରେ ହାତୀ ପଲ ପଶି ରହିଛନ୍ତି। ବର୍ଷକ ଅମଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial