ପାର୍ଲାମେଣ୍ଟ୍‌ ସୁରକ୍ଷାରେ ସାଙ୍ଘାତିକ ତ୍ରୁଟି : ଲୋକସଭାରେ ଭିତରେ ହଳଦିଆ ଧୂଆଁ ସ୍ପ୍ରେ କଲେ ୨ ସନ୍ଦିଗ୍ଧ ବ୍ୟକ୍ତି

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ୨ଜଣ ବ୍ୟକ୍ତି ଲୋକସଭା ଭବନର ‘ଭିଜିଟର୍ସ ଗ୍ୟାଲେରି’ରୁ ତଳକୁ ଡେଇଁପଡ଼ି ଗୃହ ଭିତରେ ଦୌଡ଼ାଦୌଡ଼ି କରିବା ସହ ହଳଦିଆ ରଙ୍ଗର ବାଷ୍ପ ସ୍ପ୍ରେ କରିବା ଭଳି ଅପ୍ରତ୍ୟାଶିତ ଘଟଣା ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଲୋକସଭା ଭିତ‌ରକୁ କିଭଳି ସେମାନେ ପ୍ରବେଶ କଲେ ଓ ସାଥିରେ ଗ୍ୟାସ ସ୍ପ୍ରେୟର ନେଲେ ତାହା ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂସଦ ଭବନର ସୁରକ୍ଷାରେ ଗୁରୁତର ଛିଦ୍ର ଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଉପରୋକ୍ତ କାଣ୍ଡ ଘଟାଇଥିବା ବ୍ୟକ୍ତି ଦୁହେଁ ‘ଗ୍ୟାସ୍‌ କେନିଷ୍ଟର୍‌’ ଧରିଥିଲେ। ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରି ଜଣେ ସାଂସଦ କହିଛନ୍ତି, ହଠାତ୍‌ କୁଆଡୁ ୨ଜଣ ବ୍ୟକ୍ତି ଚାଲିଆସିଲେ ଓ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଗଲା। ସଦ୍ୟତମ ସୂଚନା ଅନୁସାରେ, ଲୋକସଭା ଗୃହ ମଧ୍ୟକୁ ଦର୍ଶକ ଗ୍ୟାଲେରିରୁ ଡେଇଁ ଥିବା ୨ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ନାଁ ସାଗର ଶର୍ମା ହୋଇଥିବା ବେଳେ ଅନ୍ୟଜଣକ ହେଉଛନ୍ତି ମନୋରଞ୍ଜନ। ଦୁହିଁଙ୍କ ଘର ମହୀଶୂର ବୋଲି ଜଣାପଡ଼ିଛି। ପୁଲିସ୍ ଏହି ଦୁଇ ସନ୍ଦିଗ୍ଧଙ୍କୁ ଧରିନେଇ ପଚରାଉଚରା ଆରମ୍ଭ କରିଛି। ତେଣେ ସୂଚନା ମିଳିଛି କି ମହୀଶୂରର ବିଜେପି ସାଂସଦ ପ୍ରତାପ ସିମ୍‌ହା ସାଗର ଶର୍ମାଙ୍କୁ ଦର୍ଶକ ପାସ୍ ପ୍ରଦାନ କରିଥିଲେ।
ପାର୍ଲାମେଣ୍ଟ୍‌ ସୁରକ୍ଷାରେ ତ୍ରୁଟି ଘଟିଥିବା କାରଣରୁ ଲୋକସଭାକୁ ମୁଲତବୀ ରଖାଯାଇଛି ଓ ସାଂସଦମାନେ ତୁରନ୍ତ ଗୃହରୁ ବାହାରି ଆସିଛନ୍ତି। ସେମାନେ କହିଛନ୍ତି କି, ଉକ୍ତ ବାଷ୍ପ ପ୍ରଭାବରେ ଆଖି କୁଣ୍ଡେଇ ହେବା ସହିତ ଅନ୍ୟାନ୍ୟ ଅସୁବିଧା ହୋଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ‘ପବ୍ଲିକ୍‌ ଗ୍ୟାଲେରି’ରୁ ଲୋକସଭା ଚେମ୍ବର୍‌କୁ ଡେଇଁଥିବା ସେ ଦୁଇ ବ୍ୟକ୍ତିଙ୍କୁ ସାଂସଦମାନେ କାବୁ କରି ନେଇଛନ୍ତି। ପବ୍ଲିକ୍‌ ଗ୍ୟାଲେରିରେ ଓହଳି ଥିବା ଦ୍ବିତୀୟ ବ୍ୟକ୍ତିଜଣକ ‘ବାଷ୍ପ’ ସ୍ପ୍ରେ କରିବାରୁ ଆଖି କୁଣ୍ଡାଇ ହେଲା। ସେମାନେ ‘ସ୍ଲୋଗାନ୍‌’ ଦେଇ ଗ୍ୟାସ୍‌ ସ୍ପ୍ରେ’ କଲେ ବୋଲି ତୃଣମୂଳ କଂଗ୍ରେସ ନେତା କାକଳି ଦାସ୍ତିଦାର କହିଛନ୍ତି। ସୂଚନାଯୋଗ୍ୟ, ୨୦୦୧ ମସିହାର ଆଜି ଦିନରେ ସଂସଦରେ ସଶସ୍ତ୍ର ଆତଙ୍କବାଦୀମାନେ ପ୍ରବେଶ କରି ଆକ୍ରମଣ କରିଥିଲେ ଏବଂ ଆଜି ତାହାର ୨୨ତମ ବାର୍ଷିକୀ।

Share Now:

Kalinga News Beuro

Next Post

ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସରେ ଆସିଥିଲେ ଅନୁପ୍ରବେଶକାରୀ

Wed Dec 13 , 2023
ନୂଆଦିଲ୍ଲୀ: ବୁଧବାର ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିବା ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି। ତେବେ ଏତେ କଡ଼ା ସୁରକ୍ଷାକୁ ଡେଇଁ ସେମାନେ କିପରି ଗୃହ ମଧ୍ୟରେ ପ୍ରବେଶ କଲେ ତାହାକୁ ସମସ୍ତେ ସହଜରେ ହଜମ କରିପାରୁନାହାନ୍ତି। ତେବେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଠାରୁ ମିଳିଥିବା ଭିଜିଟର ପାସରୁ ଜଣାପଡ଼ିଛି ଯେ ସେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial