ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ନିବାରଣ ଆଇନ, ୨୦୦୨ (ପିଏମ୍ଏଲ୍ଏ) ଆଇନ ଅଧୀନରେ ୬୯,୦୪୫.୮୯ କୋଟି ଟଙ୍କାର ଅପରାଧିକ ଆୟକୁ ଜବତ କରିଛି ବୋଲି କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଗତ ୪ ବର୍ଷ ମଧ୍ୟରେ ଅର୍ଥନୈତିକ ଅପରାଧୀ ଓ ପଳାତକଙ୍କ ଠାରୁ ସମ୍ପତ୍ତି ଆଦାୟ ସମ୍ପର୍କରେ ପଚାରିଥିବା ଜଣେ ସଦସ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର କାର୍ମିକ, ଜନଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି।
ଶ୍ରୀ ସିଂହ କହିଛନ୍ତି ଯେ ୨୦୧୯ ଏପ୍ରିଲ ପହିଲାରୁ ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ୬୯,୦୪୫.୮୯ କୋଟି ଟଙ୍କା ଜବତ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୪ ଜାନୁଆରି ପହିଲାରୁ ୨୦୨୩ ଅକ୍ଟୋବର ୩୧ ମଧ୍ୟରେ ୧,୧୬,୭୯୨ କୋଟି ଟଙ୍କା ଜବତ କରିବା ସହ ପିଏମଏଲଏ ଅଧୀନରେ ୧୬,୬୩୭.୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ପଳାତକ ଅର୍ଥନୈତିକ ଅପରାଧୀ ଆଇନ, ୨୦୧୮ ଅଧୀନରେ ୧୬,୭୪୦.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ଏବଂ ଏହା ଅଧୀନରେ ୧୫,୦୩୮.୩୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ୨୦୧୯ ଜାନୁଆରି ପହିଲାରୁ ଆଜି ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୪ ଜଣଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାରେ ସଫଳ ହୋଇଛି ଏବଂ ଆଉ ୩ ଜଣଙ୍କ ପ୍ରତ୍ୟର୍ପଣ ଆଦେଶ ସକ୍ଷମ ଅଦାଲତ ଜାରି କରିଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି।
୪ ବର୍ଷରେ ୬୯ କୋଟିରୁ ଅଧିକ ଟଙ୍କାର ଅପରାଧିକ ଆୟକୁ ଜବତ କଲା ଇଡି

Share Now: