ରାଜ୍ୟ ସରକାରଙ୍କ ପକ୍ଷରୁ ‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’ ପାଇଁ ଆହ୍ୱାନ

ଖଲିପତ୍ର, କପଡ଼ାରେ ପ୍ରସ୍ତୁତ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ–‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଏବେ ପିକନିକ ୠତୁ ଆରମ୍ଭ ହୋଇଯାଇଛି। ବଣ ଭୋଜି କରିବା ପାଇଁ ରାଜ୍ୟର ବିଭିନ୍ନ ପିକନିକ ସ୍ପଟରେ ଭିଡ଼ ଜମୁଛି। ଭୋଜି ପରେ ପିକନିକ ସ୍ପଟରେ ଏଣେତେଣେ ପ୍ଲାଷ୍ଟିକ୍ ପ୍ଲେଟ୍, ବାଉଲ୍, ଗ୍ଲାସ୍, ଚାମଚ, ସ୍ନାକ୍ସ ଜରି, ସୋଲ ଥାଳି ଓ ପଲିଥିନ୍ ପଡ଼ିରହୁଛି। ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ବଣଭୋଜି ବେଳେ ପରିବେଶ-ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି। ‘‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ତଥା ସୁନ୍ଦର ପରିବେଶର ଆବଶ୍ୟକତା ରହିଛି। ତେଣୁ ପରିବେଶକୁ କିପରି ସୁରକ୍ଷିତ ରଖିବା ସେଥିପାଇଁ ଏବେଠୁ ସମସ୍ତେ ଯତ୍ନବାନ ହେବାର ବେଳ ଆସିଛି। ପିକନିକ ବେଳେ ପୁନଃବ୍ୟହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ସହ ପରିବେଶକୁ କିପରି ସଫା ସୁତରା ରଖିବା ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସନ୍ତୁ’’, ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ ଅଭିଯାନ ଅବସରରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଏଥର ପିକନିକ ପ୍ଲାନ୍ କରିବା ବେଳେ ପ୍ଲାଷ୍ଟିକ୍ ଜିନିଷ ଓ ପଲିଥିନ ବଦଳରେ ଖଲିପତ୍ର ଏବଂ ଦନା ବ୍ୟବହାର କରିପାରିବେ। ସେହିପରି ଟିସୁ ପେପର ବଦଳରେ କପଡ଼ା ରୁମାଲ ବା ଟାୱେଲ୍ ଏବଂ କପଡ଼ା ବ୍ୟାଗ୍ ଆଦି ସାଙ୍ଗରେ ନେଇପାରିବେ। ପିକନିକ ସ୍ଥାନରେ ଆବର୍ଜନାଗୁଡ଼ିକୁ ଏଣେତେଣେ ନପକାଇ ଡଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’ କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ଓଲିଉଡ୍‌ ଅଭିନେତା ସବ୍ୟସାଚି ମିଶ୍ର ସାମିଲ ହୋଇ ପିକନିକ ବେଳେ ପ୍ଲାଷ୍ଟିକ ଜିନିଷ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ‘‘ପ୍ଲାଷ୍ଟିକ୍‌ ଏବଂ ପଲିଥିନ୍‌ ଭଳି ପ୍ରଦୂଷଣକାରୀ ଜିନିଷ ଆମ ପରିବେଶ ପାଇଁ କ୍ଷତିକାରକ। ତେଣୁ ପ୍ରାକୃତିକ ସ୍ଥାନରେ ପିକନିକ କରିବା ବେଳେ ଏଭଳି ସାମଗ୍ରୀ ବ୍ୟବହାର କରିବା ନାହିଁ। ଏହି ପ୍ରଦୂଷଣକାରୀ ଜିନିଷ ମଣିଷ ସମାଜକୁ ବିପଦରେ ପକାଇବା ସହିତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ପ୍ଲାଷ୍ଟିକ ମୁକ୍ତ ପିକନିକ ଅଭିଯାନରେ ସାମିଲ ହୋଇ ପରିବେଶକୁ ସୁରକ୍ଷିତ ରଖନ୍ତୁ’’, ଏହି ଆହ୍ୱାନ ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର କେ ମୁରୁଗେସନ। ପ୍ଲାଷ୍ଟିକ୍ ଓ ପଲିଥିନଜାତୀୟ ଆବର୍ଜନା ବର୍ଷ ବର୍ଷ ପରେ ବି ମାଟିରେ ମିଶିପାରେ ନାହିଁ। ଏହା ମାଟିର ଉର୍ବରତା ନଷ୍ଟ କରିବା ସହ ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ। ଖୋଲାଜାଗାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା ଗଦା ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ତେଣୁ ଏସବୁ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରିବାରେ ‘ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ’ ବିଶେଷ ସହାୟକ ହେବ। ଚଳିତବର୍ଷ ୧୭୬ଟି ପ୍ରମୁଖ ପିକନିକ ସ୍ଥାନରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି। ଏ ବିଷୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ଇକୋ କ୍ଲବର ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲୋକମାନଙ୍କୁ ସଚେତନ କରୁଛନ୍ତି। ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍‌ ଫର୍‌ ୱାଟର ଅଭିଯାନ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
‘‘ପ୍ରକୃତି ଆମକୁ ବହୁତ କିଛି ଦେଉଛି। ତେଣୁ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ସୃଷ୍ଟି କରି ପରିବେଶକୁ ପ୍ରଦୂଷିତ କରିବା ନାହିଁ। ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଯୁବପିଢ଼ିମାନେ ସକଳ୍ପବଦ୍ଧ ହେବା ଦରକାର’’, କହିଛନ୍ତି ୟୁଥ ଫର୍‌ ୱାଟର ଅଭିଯାନର ପ୍ରତିଷ୍ଠାତା ତଥା ଓଡ଼ିଶାର ୱାଟର ମ୍ୟାନ ଭାବେ ପରିଚିତ ରଞ୍ଜନ ପଣ୍ଡା। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଏବଂ ୧୨୦ ମାଇକ୍ରନରୁ କମ୍‌ ପତଳା ପଲିଥିନ ବ୍ୟାଗ ଆଦି ବ୍ୟବହାରକୁ ନିଷେଧ କରାଯାଇଛି। ୨୦୨୨ ଡିସେମ୍ବର ୩୧ରୁ ଏହି ନିୟମ ଲାଗୁ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ପିକନିକ ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ କରାଯାଇଛି।

Share Now:

Kalinga News Beuro

Next Post

ବିଜେଡି ସହ ହେବ ମୁହାଁମୁହିଁ ଲଢେଇ - ବିରୋଧୀ ଦଳ ନେତା ଜୟନାରାୟଣ

Sat Dec 30 , 2023
ଭୁବନେଶ୍ୱର: ବିଜେପି ପଦାଧିକାରୀ ବୈଠକ ଶେଷ ହେବା ପରେ ବଡ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ୨୦୨୪ ନିର୍ବାଚନ ପାଇଁ ବିଜେପିର ରଣନୀତିକୁ ନେଇ ଜୟନାରାୟଣ କହିଛନ୍ତି, ଜାନୁଆରୀ ୫ ପରେ ସଂଘର୍ଷ ଆରମ୍ଭ ହେବ। କାର୍ଯ୍ୟକର୍ତାଙ୍କ ମଧ୍ୟରେ ଘର ବଂଟନ ହେବ। ଜଣେ ଜଣେ କାର୍ଯ୍ୟକର୍ତାଙ୍କୁ ଗୋଟିଏ ଗୋଟିଏ ଘରର ଦାୟିତ୍ୱ ଦିଆଯିବ। କଂଗ୍ରସ ମୈଦାନରେ ନଥିବାରୁ ୨୦୨୪ରେ ବିଜେଡି ସହ ୱାନ ଟୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial