ଏଏସ୍‌ଆଇର ଉଦାସୀନତାରୁ ପାତାଳଗାମୀ ହେବ ଶ୍ରୀପାତାଳେଶ୍ୱର ମନ୍ଦିର

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ରହିଛି ଶହଶହ ମନ୍ଦିର। ଶ୍ରୀଲିଙ୍ଗରାଜ ମନ୍ଦିର ହେଉଛି ଏକାଦଶ ଶତାଦ୍ଦୀର ପୁରାତନ ମନ୍ଦିର। ଏହି ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଇତିହାସପ୍ରେମୀ ପର୍ଯ୍ୟଟକ ଆସିଥାନ୍ତି। ତେବେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଆହୁରି ବହୁ ପୁରାତନ ମନ୍ଦିର ଅଛି, ଯାହା ସଂପର୍କରେ ବେଶୀ ଲୋକ ଜାଣି ନାହାନ୍ତି। ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ଶ୍ରୀଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ଉପଯୁକ୍ତ ଭାବେ କରୁ ନଥିବାବେଳେ ଉକ୍ତ ପରିସରରେ ଥିବା ଅନ୍ୟ ମନ୍ଦିରଗୁଡ଼ିକର ସ୍ଥିତି ଆହୁରି ଶୋଚନୀୟ। ତା’ ଭିତରୁ ଅନେକ ମନ୍ଦିର ଯତ୍ନ ଅଭାବରୁ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ବଡ଼ କଥା ହେଉଛି, ମନ୍ଦିର ପରିସର ଭିତରକୁ କ୍ୟାମେରା ନେବା ଅନୁମତି ନଥିବାରୁ ଭାଙ୍ଗି ଯାଉଥିବା ଆମ ସୁବର୍ଣ୍ଣ ଇତିହାସର ସେ ଚିତ୍ର ବାହାରକୁ ମଧ୍ୟ ଆସି ପାରୁନାହିଁ। ସେହିପରି ଏକ ମନ୍ଦିର ହେଉଛି ଶ୍ରୀପାତାଳେଶ୍ୱର ମନ୍ଦିର। ଲିଙ୍ଗରାଜ ମନ୍ଦିର ପରିସରରେ ଆନନ୍ଦ ବଜାର ନିକଟସ୍ଥ ତୁଳସୀ ବଗିଚା ନିକଟରେ ଥିବା ଏହି ମନ୍ଦିରର ଅର୍ଦ୍ଧାଧିକ ଅଂଶ ଭାଙ୍ଗି ଗଲାଣି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲେ ମଧ୍ୟ ଏହା ଉପରେ କୌଣସି ଗୁରୁତ୍ବ ଦେବାଭଳି ଜଣା ପଡ଼େନାହିଁ। ବିଭାଗର ଉଦାସୀନତା ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମନ୍ଦିରଟି ଭୁଶୁଡ଼ି ଯିବାର ଆଶଙ୍କା ରହିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ରାଜା ଯଜାତି କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେହି ସମୟରେ ଲିଙ୍ଗରାଜ ମନ୍ଦିର ପରିସରରେ ଆହୁରି ବହୁ ମନ୍ଦିର ନିର୍ମାଣ କରା ଯାଇଥିଲା। ସେହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନ୍ୟତମ ଶ୍ରୀ ପାତାଳେଶ୍ୱର ମହାଦେବଙ୍କ ମନ୍ଦିର। ଲିଙ୍ଗରାଜ ମନ୍ଦିର ପରିସରରେ ଉତ୍ତର ଦିଗରେ ଆନନ୍ଦ ବଜାର ନିକଟରେ ଏହା ଅବସ୍ଥିତ। ଏହି ମନ୍ଦିର ଏବେ ଶତକଡ଼ା ୮୦ଭାଗ ଭାଙ୍ଗି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରଟିର ଏପରି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷାହେଲେ ଜରାଜୀର୍ଣ ଅବସ୍ଥାରେ ଥିବା ଏହି ମନ୍ଦିରରେ ବହୁ ମାତ୍ରାରେ ପାଣି ଗଳୁଛି।
ଜନ ନିଷ୍କାସନ ବ୍ୟବସ୍ଥାକୁ ସଜଡ଼ା ଯାଉ ନଥିବା କାରଣରୁ ଏପରିକି ଟିକିଏ ଅଧିକ ବର୍ଷାହେଲେ ଶ୍ରୀପାତାଳେଶ୍ୱର ମହାଦେବ ବର୍ଷାପାଣିରେ ବୁଡ଼ିଯାଆନ୍ତି। ସେହିପରି ମନ୍ଦିରଟିର ଦକ୍ଷିଣ-ପଶ୍ଚିମ ପାର୍ଶ୍ଵରେ ଅଧିକାଂଶ ପଥର ନାହିଁ। ଫଳରେ ସୂର୍ଯ୍ୟଙ୍କ କିରଣ ମନ୍ଦିରର ଗର୍ଭଗୃହରେ ସିଧା ପଡ଼ୁଛି। ଏଥିସହ ଏହାର ପରିସର ନିୟମିତ ଭାବେ ସଫା କରା ଯାଉ ନଥିବାରୁ ବାଲି ମାଟି ସେଠାରେ ପଡ଼ି ରହୁଛି। ସ୍ଥାନୀୟ ସେବାୟତ ଶରତ ଚନ୍ଦ୍ର ପଣ୍ଡା କହନ୍ତି, ପାତାଳେଶ୍ୱର ମନ୍ଦିର ୩୫ ବର୍ଷରୁ ଅଧିକ କାଳଧରି ଏପରି ପଡ଼ିରହିଛି। ସେହିପରି ପୂଜାପଣ୍ଡା ନିଯୋଗର ମଣ୍ଟୁ ପୂଜାପଣ୍ଡା କହନ୍ତି, ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରକୁ ନଜର ଦେଉନାହିଁ। ଏନେଇ ପ୍ରତ୍ନତତ୍ତ୍ୱ ବିଭାଗର ଭୁବନେଶ୍ୱର ମୁଖ୍ୟ ସୁଶାନ୍ତ କୁମାର ଗୋଚ୍ଛାୟତ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏସବୁ ଅଭିଯୋଗ ଓ ପ୍ରତିଶ୍ରୁତି ଭିତରେ ଯଦି ଶ୍ରୀପାତାଳେଶ୍ୱର ମନ୍ଦିରର ସୁରକ୍ଷା ପ୍ରତି ତୁରନ୍ତ ଆନ୍ତରିକତା ପ୍ରଦର୍ଶନ ନହୁଏ, ତେବେ ଏହି ପ୍ରାଚୀନ ମନ୍ଦିରଟି ଖୁବ୍‌ ଶୀଘ୍ର ପୂରା ନଷ୍ଟ ହୋଇଯିବ, ସେଥିରେ ସନ୍ଦେହ ନାହିଁ।

Share Now:

Kalinga News Beuro

Next Post

ହତାଶ କରୁଛି ହାଉସିଂବୋର୍ଡ : କେବେ ପାଣି ପାଇଁ ଆଉଟୁପାଉଟୁ, କେବେ ପାଣି କାଦୁଅରେ ଲତପତ

Wed Jan 3 , 2024
ଖଣ୍ଡଗିରି: କିଛି ମାସ ପୂର୍ବରୁ ଡୁମୁଡୁମାସ୍ଥିତ ସୁଦର୍ଶନ ଆପାର୍ଟମେଣ୍ଟରେ ଲୋକେ ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଥିଲେ। ପାନୀୟ ଜଳ ଯୋଗାଣ ଦାବିରେ ବାରମ୍ବାର ରାସ୍ତାକୁ ଓହ୍ଲାଉଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ବର୍ଷା ନଥିବା ଶୁଖିଲା ପାଗରେ ମଧ୍ୟ ୨ ମାସ ହେଲା ସେଠାରେ ପାଣି କାରଣରୁ ରାସ୍ତାଘାଟରେ କାଦୁଅ ପଚପଚ ହେଉଛି। ଏହି ଆପାର୍ଟମେଣ୍ଟକୁ ଯାଇଥିବା ପାଣି ପାଇପ୍‌ ଗୋଟିଏ ସ୍ଥାନରେ ଫାଟି ଯାଇଥିବାରୁ ସେଠାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial