ହତାଶ କରୁଛି ହାଉସିଂବୋର୍ଡ : କେବେ ପାଣି ପାଇଁ ଆଉଟୁପାଉଟୁ, କେବେ ପାଣି କାଦୁଅରେ ଲତପତ

ଖଣ୍ଡଗିରି: କିଛି ମାସ ପୂର୍ବରୁ ଡୁମୁଡୁମାସ୍ଥିତ ସୁଦର୍ଶନ ଆପାର୍ଟମେଣ୍ଟରେ ଲୋକେ ପାଣି ଟୋପେ ପାଇଁ ଆଉଟୁପାଉଟୁ ହେଉଥିଲେ। ପାନୀୟ ଜଳ ଯୋଗାଣ ଦାବିରେ ବାରମ୍ବାର ରାସ୍ତାକୁ ଓହ୍ଲାଉଥିଲେ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ବର୍ଷା ନଥିବା ଶୁଖିଲା ପାଗରେ ମଧ୍ୟ ୨ ମାସ ହେଲା ସେଠାରେ ପାଣି କାରଣରୁ ରାସ୍ତାଘାଟରେ କାଦୁଅ ପଚପଚ ହେଉଛି। ଏହି ଆପାର୍ଟମେଣ୍ଟକୁ ଯାଇଥିବା ପାଣି ପାଇପ୍‌ ଗୋଟିଏ ସ୍ଥାନରେ ଫାଟି ଯାଇଥିବାରୁ ସେଠାରୁ ଅନବରତ ପାଣି ବହିଚାଲିଛି। ବର୍ତ୍ତମାନ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଥିବାରୁ ପାଣି ନଷ୍ଟ ଏବେ ଜଟିଳ ଆକାର ଧାରଣ କରିଛି। ପାଣି ଜମା ହୋଇ ରହିବା ଯୋଗୁଁ ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି ହୋଇଛି। ପାଇପ୍‌ ମରାମତି ପାଇଁ ଆପାର୍ଟମେଣ୍ଟ ଅଧିବାସୀ ବାରମ୍ବାର ହାଉସିଂବୋର୍ଡକୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହେଉନାହିଁ। ଅନ୍ୟପକ୍ଷରେ ଏତେ ପାରିମାଣରେ ପାଣି ନଷ୍ଟ ହେଉଥିଲେ ମଧ୍ୟ କାହାରି ଚିନ୍ତା ନାହିଁ। ଡୁମୁଡୁମାସ୍ଥିତ ହାଉସିଂବୋର୍ଡର ଏହି ସୁଦର୍ଶନ ଆପାର୍ଟମେଣ୍ଟରେ ଏଲଆଇଜିରେ ୧୬୦ ଏବଂ ଏମଆଇଜିରେ ୧୯୬ ପରିବାର ଅଛନ୍ତି। ପ୍ରତିମାସ ଏହି ପରିବାରଗୁଡ଼ିକ ପକ୍ଷରୁ ରକ୍ଷଣାବେକ୍ଷଣ ପାଇଁ ହାଉସିଂବୋର୍ଡକୁ ୧୦୦୦ ଟଙ୍କା ଲେଖାଏ ଦିଆଯାଏ। ସେହି ଦୃଷ୍ଟିରୁ ଏଠାରେ ଯେ କୌଣସି ସମସ୍ୟା ହେଲେ ତା’ର ସମାଧାନ କରିବାର ଦାଇତ୍ୱ ହାଉସିଂବୋର୍ଡର। ମାତ୍ର ଫଟା ପାଇପ୍‌ର ମରାମତି ପାଇଁ ବାରମ୍ବାର କୁହାଯାଉଥିଲେ ମଧ୍ୟ ହାଉସିଂବୋର୍ଡ ଶୁଣିବାକୁ ନାହିଁ। ଏପରିକି ଫଟା ପାଇପ୍‌ ମରାମତି ପାଇଁ ୱାଟ୍‌କୋକୁ ମଧ୍ୟ ଲୋକେ ଜଣାଇଛନ୍ତି। କିନ୍ତୁ ହାଉସିଂବୋର୍ଡ ଜରିଆରେ ଆସିବାକୁ ୱାଟକୋ ପକ୍ଷରୁ ପରାମର୍ଶ ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ଅଧିବାସୀ ସଞ୍ଜୀବ କର।
ଆପାର୍ଟମେଣ୍ଟ ହିତାଧିକାରୀଙ୍କ ଅନୁସାରେ, ଏହି ଆପାର୍ଟମେଣ୍ଟ ହସ୍ତାନ୍ତରକୁ ଏକ ବର୍ଷ ଅତିକ୍ରାନ୍ତ ହେଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହାଉସିଂବୋର୍ଡ ପକ୍ଷରୁ ପାଚେରି ନିର୍ମାଣ କରା ଯାଇନାହିଁ। ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ଭାବରେ ୪ ଲକ୍ଷ ଟଙ୍କା ଜମା ହୋଇଥିଲେ ମଧ୍ୟ ତାହା ଖର୍ଚ୍ଚ ହେଉନାହିଁ। କେବଳ ସେତିକି ନୁହେଁ, ଆପାର୍ଟମେଣ୍ଟର ଉପର ମହଲାକୁ ଲିଫ୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ଏବେ ବିପଜ୍ଜନକ ଭାବରେ ଅଧାପନ୍ତରିଆ ହୋଇ ପଡ଼ିଛି। ଏହାର ଅଗ୍ନି ନିର୍ବାପନ ବ୍ୟବସ୍ଥା ଏଭଳି କରାଯାଇଛି ଯେ ଅଚାନକ ନିଆଁ ଲାଗିଲେ ଦମକଳ ବାହିନୀକୁ ସେ ସ୍ଥାନକୁ ଯିବାକୁ ରାସ୍ତା ନାହିଁ। ସୂଚନା ଅନୁଯାୟୀ, ହାଉସିଂବୋର୍ଡ ପକ୍ଷରୁ ବିଳମ୍ବରେ ଫ୍ଲାଟ ହସ୍ତାନ୍ତରଣ ନେଇ ଆପାର୍ଟମେଣ୍ଟର ହିତାଧିକାରୀଙ୍କ ଦୁର୍ଦ୍ଦଶା ବଢ଼ିଯାଇଥିଲା। ଏବେ ହସ୍ତାନ୍ତର ପରେ ହାଉସିଂବୋର୍ଡ ଠିକ୍‌ ଭାବରେ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହେଉଛି।

Share Now:

Kalinga News Beuro

Next Post

ପ୍ରଥମ ଥର ପାଇଁ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ରେ ‘ଜିଏସ୍‌ଏଟି-୨୦’ ଉତ୍‌କ୍ଷେପଣ କରିବ ଭାରତ

Thu Jan 4 , 2024
ନୂଆଦିଲ୍ଲୀ: ‘ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି। ଚଳିତ ବର୍ଷ ମଧ୍ୟ ଭାଗ ବେଳକୁ ଘରୋଇ ମହାକାଶ ଏଜେନ୍‌ସି ‘ସ୍ପେସ୍‌ଏକ୍ସ୍‌’ର ‘ଫାଲ୍‌କନ୍‌-୯’ ରକେଟ୍‌ରେ ଉପରୋକ୍ତ ଯୋଗାଯୋଗ ଉପଗ୍ରହ ମହାକାଶକୁ ପ୍ରେରଣ କରାଯିବ। ଟେଲିକମ୍‌ ବ୍ୟବହାରକାରୀଙ୍କୁ ଅତ୍ୟନ୍ତ ଦ୍ରୁତ ଇଣ୍ଟର୍‌ନେଟ୍‌ ସେବା ଯୋଗାଇବାକୁ ସମର୍ଥ ‘ଜିଏସ୍‌ଏଟି-୨୦’ର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial