ପୁଣି ଚର୍ଚ୍ଚାରେ ସ୍ମାର୍ଟ ସିଟି : ସିଓଓଙ୍କର ଦସ୍ତଖତ ନକଲ

ଭୁବନେଶ୍ୱର: କାର୍ଯ୍ୟକାଳ ଯେତିକି ପୂରି ପୂରି ଆସୁଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ସେତିକି ବିବାଦ‌କୁ ଆସୁଛି। ନିକଟ ଅତୀତରେ ୧ କୋଟି ୬୪ ଲକ୍ଷ ୪ ହଜାର ୮୨୮ ଟଙ୍କା ବିନିମୟରେ ଭିଡିଓ ୱାଲ୍‌ ଲଗାଇ ବିବାଦକୁ ଆସିଥିବା ବିଏସ୍‌ସିଏଲ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ବହୁତଳ କାର୍‌ ପାର୍କିଂରେ ପୂର୍ବରୁ ସିସିଟିଭି ଲାଗିଥିଲା। କିନ୍ତୁ କେତେକ ଜାଗା ସିସିଟିଭିରୁ ଦୂରରେ ରହିଥିବା ଓ ଲିଫ୍ଟ ଭିତରେ ଆବଶ୍ୟକ ଥିବା ଦର୍ଶାଇ ଆହୁରି ସିସିଟିଭି ଲଗାଇବାକୁ ଯୋଜନା କରିଛି। ଏଥି‌ରେ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତତ୍‌କାଳୀନ ମହାପ୍ରବନ୍ଧକ ସୁବ୍ରତ ବେହେରାଙ୍କ ସମୟରେ ଏହି କାରବାର ହୋଇଛି। ସବୁଠାରୁ ବଡ଼ କଥା ହେଉଛି ବିଏସ୍‌ସିଏଲ୍‌ ସିଇଓଙ୍କ ଦସ୍ତଖତ ମଧ୍ୟ ନକଲ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି। କାର୍ଯ୍ୟାଦେଶ ପତ୍ର(ଏଲ୍‌ଓଏ)ରେ ଯେଉଁ ଦସ୍ତଖତ ରହିଛି, ତାହା ସିଇଓଙ୍କ ମୂଳ ଦସ୍ତଖତ ସହ ମେଳ ଖାଉନାହିଁ। ଫଳରେ ଭିଡିଓ ୱାଲ୍‌ ଓ ସିସିଟିଭି କାରବାରରେ ମୋଟା ଅଙ୍କର କିକ୍‌ବ୍ୟାକ୍‌ ଅଭିଯୋଗ ଆହୁରି ଗାଢ଼ ହୋଇଛି। ସରକାରୀ ଠିକା ଦେବାପାଇଁ ଏକ ସରକାରୀ ପ୍ଲାଟ୍‌ଫର୍ମ(ଓଡ଼ିଶା ଟେଣ୍ଡର)ରେ ବିଜ୍ଞାପନ ଦେବା ନିୟମ ରହିଛି। ଏଥିରେ ସମଗ୍ର ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ବିଭାଗର ଟେଣ୍ଡର ଅପ୍‌ଲୋଡ୍‌ ହୋଇଥାଏ। ଅତିକମ୍‌ରେ ୧ବର୍ଷ ପର୍ଯ୍ୟନ୍ତ ଏହି ଟେଣ୍ଡର ସେଠାରେ ପ୍ରଦର୍ଶିତ ହେବା ନିୟମ ରହିଛି। କିନ୍ତୁ ବିଏସ୍‌ସିଏଲ୍‌ର ଭିଡିଓ ୱାଲ୍‌ ପାଇଁ ଯେଉଁ ଆରଏଫ୍‌ପି (ରିକ୍ବେଷ୍ଟ ଫର୍ ପ୍ରପୋଜାଲ୍) କରିଥିବା ଦର୍ଶାଉଥିଲା, ତାହା ଏହି ପ୍ଲାଟ୍‌ଫର୍ମରେ ନଥିଲା। ବିଏସ୍‌ସିଏଲ୍‌ର ନିଜସ୍ୱ ୱେବ୍‌ସାଇଟ୍‌ରେ ମଧ୍ୟ ସ୍ଥାନ ପାଇନଥିଲା। ସେତେବେଳେ ଏହି ଭିଡିଓ ୱାଲ୍‌ ସଂସ୍ଥାପନ ଦାଇତ୍ୱ ବେଙ୍ଗାଲୁରୁର ସଂସ୍ଥା ‘ବ୍ରଡ୍‌କାଷ୍ଟ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡ୍‌’କୁ ଦିଆଯାଇଥିଲା। ଭୁବନେଶ୍ୱରରେ ଏହାର କାର୍ଯ୍ୟାଳୟ ନଥିଲା। ଏବେ ‘ଡାଇମେନସନ୍‌ ଡିଜିଟାଲ୍‌’ ସଂସ୍ଥାକୁ ଦାଇତ୍ୱ ଦିଆଯାଇଛି। ଏହା ମଧ୍ୟ ବେଙ୍ଗାଲୁରୁର ସଂସ୍ଥା। ତେବେ ଏହାର ଠିକଣା ଲିଙ୍ଗରାଜ ବିହାର ଦର୍ଶାଯାଇଛି। ଗୋଟିଏ ସଂସ୍ଥାର ନାମ ଓ ଠିକଣା ବଦଳାଇ ଏଭଳି କାରବାର ହୋଇଥିବା ଅଭିଯୋଗ ହୋଇଛି। ଏହି ସିସିଟିଭି ସଂସ୍ଥାପନ ପାଇଁ ୧୪ ଲକ୍ଷ ୬୫ ହଜାର ୯୨୫ ଟଙ୍କା(ଜିଏସ୍‌ଟି ବ୍ୟତୀତ) ଖର୍ଚ୍ଚ ହେବାକୁ ଯାଉଛି।
ଆହୁରି ସାଂଘାତିକ କଥା ହେଉଛି, ଡାଇମେନସନ୍‌ ଡିଜିଟାଲ୍‌ ସଂସ୍ଥାକୁ ବିଏସ୍‌ସିଏଲ୍‌ ସିଇଓ ତଥା ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟାଦେଶ ପତ୍ର(ଏଲ୍‌ଓଏ ନଂ ୫୪୩/୨୨.୦୩.୨୦୨୩) ଦେଇଛନ୍ତି। ଏଥି‌ରେ ଯେଉଁ ଦସ୍ତଖତ ରହିଛି, ତାହା ସିଇଓଙ୍କ ଦସ୍ତଖତ ନୁହେଁ। ବିଏମ୍‌ସି କମିସନର ତଥା ବିଏସ୍‌ସିଏଲ୍‌ ସିଇଓ ଭାବରେ ସେ ପୂର୍ବରୁ ଯେତେ ସବୁ ଦସ୍ତଖତ କରିଛନ୍ତି, ସେସବୁ ଗୋଟିଏ ପ୍ରକାରର ଥିବା ବେଳେ ଏହି ଦସ୍ତଖତ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ସିଇଓଙ୍କର ଦସ୍ତଖତ କାହିଁକି ଜାଲ୍‌ କରାଯାଇଛି? ସିଇଓଙ୍କ ଅଗୋଚରରେ ଏଭଳି କାଣ୍ଡ କରାଯାଇ ନାହିଁ ତ? ସିଇଓ ଯଦି ଜାଣିଛନ୍ତି, ତେବେ ନିଜେ କାହିଁକି ଦସ୍ତଖତ କରିନାହାନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ଭିଡିଓ ୱାଲ୍‌ ଠାରୁ ଆରମ୍ଭ କରି ସିସିଟିଭି ସଂସ୍ଥାପନ ପର୍ଯ୍ୟନ୍ତ ମାମଲାରେ ବିଏସ୍‌ସିଏଲ୍‌କୁ ବିବାଦକୁ ଟାଣିଛି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଠାରୁ ଏ ନେଇ ପ୍ରତିକ୍ରିୟା ମିଳି ନାହିଁ।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ : ୧୨ଜଣ ଆକ୍ରାନ୍ତ ମୃତ

Fri Jan 5 , 2024
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି। ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି। ସେହିପରି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାରଠାରୁ ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial