ଓଡ଼ିଆ ଭାଷାରେ ଲେଖିବାକୁ କୁଣ୍ଠାବୋଧ କାହିଁକି?

ଚନ୍ଦ୍ରଶେଖରପୁର: ସହରରେ କାର୍ଯ୍ୟକାରୀ ହୋଇପାରୁନି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କିଛି ମାସ ତଳେ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ପ୍ରତିଷ୍ଠାନ ନିୟମ ଉଲ୍ଲଂଘନ କରୁଛି, ତା’ଠାରୁ ଜରିମାନା ଆଦାୟ ସହ ଶ୍ରମ ବିଭାଗ ପକ୍ଷରୁ ମାମଲା ହେଉଛି। ହେଲେ ରାଜ୍ୟ ସରକାରଙ୍କ କେତେକ ବିଭାଗରେ ଏପର୍ଯ୍ୟନ୍ତ ଓଡ଼ିଆ ଲେଖାକୁ ବାଧ୍ୟତାମୂଳକ କରା ‌ଯାଇନାହିଁ। ଖୋଦ୍‌ ରାଜଧାନୀ ରାଜରାସ୍ତାରେ ହିଁ ରାଜ୍ୟ ସରକାରଙ୍କ ନିୟମକୁ ଖୁଲ୍‌ମଖୁଲା ଉଲ୍ଲଂଘନ କରାଯାଉଛି।
ସହରରେ ନୂଆ କରି ନିର୍ମାଣ ହୋଇଥିବା ଟ୍ରା‌ଫିକ୍‌ ପୋଷ୍ଟଗୁଡ଼ିକର ନାମ ଫଳକ ଇଂରାଜୀ ଭାଷାରେ ଲେଖାଯାଇଛି। ଐତିହ୍ୟ ଶୈଳୀରେ ଟ୍ରାଫିକ୍‌ ପୋଷ୍ଟଗୁଡ଼ିକ ହେଉଥିଲେ ମଧ୍ୟ ଓଡ଼ିଆ ଭାଷାରେ ନାମ ଫଳକ ଲଗାଯାଇ ନାହିଁ। କେଉଁଠି ପିଏମ୍‌ଜି ସ୍କୋୟାର ତ ଆଉ କେଉଁଠି ରବୀନ୍ଦ୍ରମଣ୍ଡପ ବୋଲି ଇଂରାଜୀରେ ହିଁ ଉଲ୍ଲେଖ ରହିଛି। ୧୨୦ ବାଟାଲିୟନ୍‌ ସ୍କୋୟାର, ଜୟଦେବ ବିହାର, ନାଲକୋ ସ୍କୋୟାର, ଜାଭିଅର ସ୍କୋୟାର ପରି ଛକର ନାମ ଇଂରାଜୀ ଭାଷାରେ ରହିଛି। ସହରର ଅଧିକାଂଶ ଟ୍ରାଫିକ୍‌ ପୋଷ୍ଟରେ କମିସନରେଟ୍‌ ପୁଲିସର ଏଭଳି ଇଂରାଜି ପ୍ରୀତି ଦେଖିବାକୁ ମିଳିଛି। ହକି ବିଶ୍ୱକପ୍‌ ପୂର୍ବରୁ ନିର୍ମାଣ ହୋଇଥିବା ଟ୍ରାଫିକ୍‌ ପୋଷ୍ଟଗୁଡ଼ିକରେ ଓଡ଼ିଆ ଅକ୍ଷରର ଚିହ୍ନବର୍ଣ୍ଣ ନ ଥିଲା। ପୁରୁଣା ଟ୍ରାଫିକ୍‌ ପୋଷ୍ଟ ବଦଳାଇ ନୂତନ ଲଗାଯାଉଥିଲେ ମଧ୍ୟ ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଟ୍ରାଫିକ୍‌ ପୋଷ୍ଟରେ ଥିବା ଭୁବନେଶ୍ୱର ସ୍ମାର୍ଟର ଲୋଗୋ ମଧ୍ୟ ଇଂରାଜୀ ଭା‌ଷାରେ ହିଁ ଲେଖାଯାଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଭାଷାବିତ୍‌ଙ୍କ ମତରେ ଟ୍ରାଫିକ୍‌ ପୋଷ୍ଟର ନାମ ଓଡ଼ିଆରେ ଲେଖିବାରେ ଅସୁବିଧା କେଉଁଠି? ବାବୁମାନଙ୍କର ଓଡ଼ିଆ ଭାଷା ପ୍ରତି ଏତେ କୁଣ୍ଠାବୋଧ କାହିଁକି? ଓଡ଼ିଆ ଭା‌ଷାରେ ଲେଖିବା କ’ଣ କେବଳ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ? ସରକାରଙ୍କ ବିଭାଗଗୁଡ଼ିକ କ’ଣ ସରକାରୀ ନିୟମଠାରୁ ଉର୍ଦ୍ଧ୍ୱରେ? ଯଦି ଟ୍ରାଫିକ୍‌ ପୋଷ୍ଟ ଓଡ଼ିଆରେ ଲେଖାଯାଉ ନାହିଁ ତେବେ ଦୋକାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ ରହୁ।

Share Now:

Kalinga News Beuro

Next Post

ନିଶାଡ଼ି ଡ୍ରାଇଭର ସାବଧାନ : ଜାନୁଆରି ୧୫ରୁ ସାବାଡ଼ ହେବେ

Mon Jan 8 , 2024
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିବାକୁ ଥିବା ନୂଆ ଆଇନ୍‌ ‘ହିଟ୍‌ ଆଣ୍ଡ ରନ୍‌’କୁ ଡ୍ରାଇଭରମାନେ ଦେଶବ୍ୟାପି ଆନ୍ଦୋଳନର ଚେତାବନୀ ଦେଇଥିବା ବେଳେ ମଦପିଇ ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭୁବନେଶ୍ୱର ବସ୍‌ ମାଲିକ ସଂଘ ଆଗାମୀ ଦିନରେ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛି। ବସ୍‌ ମାଲିକ ସଂଘ ଆସନ୍ତା ୧୫ ତାରିଖ ଠାରୁ ନିଶାଡ଼ି ଡ୍ରାଇଭରଙ୍କୁ ଯାଞ୍ଚ କରିବ। ରାଜ୍ୟ ଘରୋଇ ବସ୍‌ ମାଲିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial