ଧାର୍ଯ୍ୟ ସମୟରେ ସରିବନି କୁଆଖାଇ ବ୍ୟାରେଜ : ମେ’କୁ ଥିଲା କଣ୍ଟ, ସରିନି ୧୦%

ଭୁବନେଶ୍ୱର: କୁଆଖାଇରେ‌ ବହୁ ପ୍ରତୀକ୍ଷିତ ବ୍ୟାରେଜ୍‌ ନିର୍ମାଣ ଆରମ୍ଭ ହୋଇଛି। ଭୂତଳ ଜଳସ୍ତର ବୃଦ୍ଧି ସହ ସହରକୁ ପାନୀୟ ଜଳ ଯୋଗାଣରେ ଏହା ପ୍ରମୁଖ ଭୁମିକା ନିର୍ବାହ କରିବାକୁ ଯାଉଛି। କିନ୍ତୁ ଯେଉଁ ବେଗରେ ଏହା ନିର୍ମାଣ ଚାଲିଛି ତାହା ଧାର୍ଯ୍ୟ ସମୟରେ ସରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ୨୦୨୪ ମେ ମାସ ସୁଦ୍ଧା ବ୍ୟାରେଜ୍‌ କାମ ସାରିବାକୁ ଯୋଜନା ହୋଇଥିଲା। ଆଗକୁ ବର୍ଷା ଆସୁଛି। ବର୍ଷା ପୂର୍ବରୁ ଏହା ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୯ ମସିହାରୁ ଯୋଜନା ଚାଲିଥିଲେ ମଧ୍ୟ ୨୦୨୨ ମସିହାରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍‌ ମୋହର ବାଜିବା ସହ ଅର୍ଥ ମଞ୍ଜୁର ହୋଇଥିଲା। କିନ୍ତୁ ନିର୍ମାଣରେ ଧିମା ଗତି ପ୍ରକଳ୍ପକୁ ପୁଣି ଥରେ ପଛକୁ ଠେଲିଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କୁଆଖାଇରେ ପାଣ୍ଡରା ହାଇଟେକ୍‌ ହସ୍ପିଟାଲଠାରୁ ୯୦୦ ମିଟ‌ର ଦୂରରେ ବ୍ୟାରେଜ୍‌ ନିର୍ମାଣ ଚାଲିଛି। ଏହାକୁ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍‌ଚର୍‌ କୁହାଯାଉଛି। ନଦୀଶଯ୍ୟାରେ ଦୁଇ କିମି ଅର୍ଥାତ୍‌ ହଂସପାଳ ସେତୁ ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହେବ। ସେହିଭଳି ଧଉଳି ନିକଟରେ ଦୟାନଦୀରେ ଆଉ ଏକ ବ୍ୟାରେଜ୍‌ ନିର୍ମାଣ ହେବ। ଧଉଳିରୁ ହାଇଟେକ୍‌ ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହେବ। ସେହିଭଳି ରାମଚନ୍ଦ୍ରପୁର ନିକଟରେ ମଧ୍ୟ ଆଉ ଗୋଟିଏ ବ୍ୟାରେଜ୍‌ ନିର୍ମାଣ ହେଉଛି। ଏହି ତିନିଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଣିର ଅଭାବ ରହିବ ନାହିଁ। ପାନୀୟ ଜଳ ସହ ଚାଷ ପାଇଁ ପର୍ଯ୍ୟାପ୍ତ ହେବ। କେବଳ ରାମଚନ୍ଦ୍ରପୁରକୁ ଚାଡ଼ିଦେଲେ ବାକି ଦୁଇଟି ଯାକ ପ୍ରକଳ୍ପ ବର୍ଷା ପୂର୍ବରୁ ସରିବ ନାହିଁ।
କୁଆଖାଇରେ ବର୍ଷା ଋତୁରେ ଲକ୍ଷଲକ୍ଷ ଲିଟର ପାଣି ସମୁଦ୍ରକୁ ବୋହି ଯାଉଥିଲା। ବାକି ଦିନରେ ମାସ ମାସ ଶୁଖିଲା ପଡ଼ୁଥିଲା। ଫଳରେ ନଦୀ‌ କୂଳରେ ହେଉଥିବା ପରିବା ଚାଷ ପ୍ରଭାବିତ ହେବା ସହ ଭୂତଳ ଜଳସ୍ତର ଉଦ୍‌ବେଗଜନକ ଭାବରେ କମିବା‌ରେ ଲାଗିଥିଲା। ଏଣୁ ବ୍ୟାରେଜ୍‌ ନିର୍ମାଣ ଯୋଜନା ହୋଇଥିଲା। ଭୁବନେଶ୍ୱର ସମେତ ଉପକଣ୍ଠ ଅଞ୍ଚଳର ସାମଗ୍ରିକ ବିକାଶ ହେବା ସହ ପାନୀୟଜଳ ସମସ୍ୟା ଦୂର ହେବ। ଉଠା ଜଳସେଚନ ବ୍ୟବସ୍ଥାରେ ୧୦ ହଜାର ହେକ୍ଟର ଚାଷ ଜମି ମଧ୍ୟ ଜଳସେଚିତ ହେବ। ବଡ଼କଥା ହେଲା କୁଆକାଇରୁ ପାଣି ଉଠାଇ ୱାଟ୍‌କୋ ଭୁବନେଶ୍ବରକୁ ପାଣି ଯୋଗାଉଛି। ଏଠାରେ ଭୂତଳ ଜଳସ୍ତର କମୁଥିବାରୁ ଉଦ୍‌ବେଗଜନକ ପରିସ୍ଥିତି ଉପୁଜିବାକୁ ଯାଉଛି। ଏଣୁ ଏହି ବ୍ୟାରେଜ୍‌ର ନିର୍ମାଣ ଜରୁରି ହୋଇଛି। ଚଳିତ ବର୍ଷା ପୂର୍ବରୁ ନ ହେଲେ ପ୍ରକଳ୍ପ ପଛେଇ ଯିବ। ବ୍ୟାରେଜ୍‌ ତିନିଟି ନିର୍ମାଣ ହେଲେ ଏହା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ। ଏହି ସଂରକ୍ଷିତ ଜଳଭଣ୍ଡାରରେ ବୋଟିଂ ବ୍ୟବସ୍ଥା କରାଯିବ। ପର୍ଯ୍ୟଟକ ବୋଟିଂର ମଜା ନେବେ। ତା ସହିତ ଏହା ଭିତରେ ମାଛ ଚାଷ ମଧ୍ୟ ହୋଇ ପାରିବ। ଏଥିରୁ ଅନେକେ ରୋଜଗାରେକ୍ଷମ ମଧ୍ୟ ହୋଇ ପାରିବେ। ପଠାରେ ପାର୍କ ପ୍ରତିଷ୍ଠା ହେବ। ଫଳରେ ଉପକଣ୍ଠ ଓ ସହର ଭିତରୁ ଲୋକମାନେ ଚିତ୍ତ ବିନୋଦନର ସୁବିଧା ପାଇବେ। ଏଭଳି ଯୋଜନା ହେବା ପରେ ଗତ ବର୍ଷ ମେ ମାସରେ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିଲା। ମୁଖ୍ୟମନ୍ତ୍ରୀ ୧୨୭.୩୨ କୋଟି ମଞ୍ଜୁର କରିଥିଲେ। ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୪ ମେ ବେଳକୁ ପ୍ରଳ୍ପ ସରିବାକୁ ଯୋଜନା ହୋଇଥିଲା। ୧୨୭.୩୨ କୋଟି ପ୍ରକଳ୍ପ ଖର୍ଚ୍ଚ ରହିଥିବା ବେଳେ ୫ ଟି ବର୍ଷା ଋତୁ ପାଇଁ ୭୫ ଲକ୍ଷ ରକ୍ଷଣାବେକ୍ଷଣ ଖର୍ଚ୍ଚ ରହିଥିଲା। ୧୬୧.୭୯ ହେକ୍ଟର ଜାଗାରେ ମାଛଚାଷ ହେବାକୁ ସ୍ଥିର ହୋଇଥିଲା।

Share Now:

Kalinga News Beuro

Next Post

ବାଲିପାଟଣା ସରକାରୀ ମଦ ଦୋକାନରୁ ଲୁଟିଲେ ଦୁର୍ବୃତ୍ତ

Thu Jan 18 , 2024
ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ। ନଗଦ କ୍ୟାସ ଓ ପେଟି ପେଟି ମଦ ନେଇ ଯାଇଛନ୍ତି ଚୋର। ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା କର୍ମଚାରୀ କହିଛନ୍ତି। ଦୁର୍ବୃତ୍ତ ଦୋକାନରେ ଲାଗିଥିବା ସିସି ଟିଭି ହାର୍ଡ ଡିକ୍ସ ତାଡି ନେଇଛନ୍ତି।ସୂଚନା ଅନୁସାରେ, ବାଲିପାଟଣା ସରକାରୀ ଠିପି ବନ୍ଦ ବିଦେଶୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial