୯ ମାସରେ ଖର୍ଚ୍ଚ ୫ଶହ କୋଟି : ଅତିରିକ୍ତ ବଜେଟ୍‌ର ବିବାଦ ତୁଟିନି

ଆଜି ଆସନ୍ତାବର୍ଷର ଆଲୋଚନା ‘କୋଉଠି ଖର୍ଚ୍ଚ କଲ, ଦେଖାଅ’

ଭୁବନେଶ୍ୱର : ଚଳିତ ବର୍ଷ ବିଏମ୍‌ସି ୭ଶହ କୋଟିର ବଜେଟ୍‌ ଉପସ୍ଥାପନ କରି ରେକର୍ଡ କରିଥିଲା। ଏହା ପରେ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଉ ୨୯୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଥିଲା। ଅର୍ଥାତ୍‌ ପାଖାପାଖି ହଜାରେ କୋଟିର ବଜେଟ୍‌ ପ୍ରସ୍ତୁତ କରି ବିଏମ୍‌ସି ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। କୌତୁହଳପ୍ରଦ ହେଉଛି ୯ ମାସ ମଧ୍ୟରେ ବିଏମ୍‌ସି ୫୦୦କୋଟି ଖର୍ଚ୍ଚ କରିସାରିଲାଣି। ଏହା ମଧ୍ୟ ବିଏମ୍‌ସି ଇତିହାସରେ ବିରଳ ବୋଲି କୁହାଯାଉଛି। ସବୁଠାରୁ ବଡ଼ ଅଭିଯୋଗ ହେଉଛି ୭ଶହ କୋଟିର ବଜେଟ୍‌ ଆଗତ ହେବା ବେଳେ ପୁଙ୍ଖାନୁପୁଙ୍ଖ ଆଲୋଚନା ନ ହେବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହି ଅସନ୍ତୋଷ ଥମିନଥିବା ବେଳେ ବିଏମ୍‌ସି ଗତ ମାସରେ ୨୯୦ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲା। ଏକ ଛୋଟିଆ କାଗଜରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଏହାକୁ ଦୁଇ ମିନିଟ୍‌ରେ ପଢ଼ି ଦେଇ ଚାଲିଯିବାରୁ ପ୍ରବଳ ହୋ ହଲ୍ଲା ହୋଇଥିଲା। କେତେକ କର୍ପୋରେଟର ମାସିକ ବୈଠକରେ ଏହାର ତର୍ଜମା ପାଇଁ ଅଡ଼ି ବସିବାରୁ ଆଉ ଥରେ ଏହାର ତର୍ଜମା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ କର୍ପୋରେଟରମାନଙ୍କର ଯେ କୌଣସି ମୂଲ୍ୟ ନାହିଁ ବିଏମ୍‌ସି ପ୍ରମାଣ କରିଦେଲା। ଅତିରିକ୍ତ ବଜେଟ୍‌ ଆଲୋଚନା ହେବ ନାହିଁ। ବରଂ ଶୁକ୍ରବାର ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଲୋଚନା ହେବାକୁ ସ୍ଥିର ହୋଇଛି।
ବିଏମ୍‌ସିର ଏଭଳି ସ୍ଵେଚ୍ଛାଚାରିତାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସର୍ବସାଧାରଣଙ୍କର ପ୍ରତିଟି ଟଙ୍କାର ଯଥାର୍ଥ ଖର୍ଚ୍ଚ ସହ ସଠିକ୍‌ ହିସାବ ଜାଣିବା ଅଧିକାର ରହିଛି। ଏ ସବୁରେ ସ୍ୱଚ୍ଛତା ରଖିବାକୁ ବିଏମ୍‌ସି ବାଧ୍ୟ। କିନ୍ତୁ ଏହି ଖର୍ଚ୍ଚ ଦେଖାଇବାରେ କଣ ସମସ୍ୟା ହେଉଛି? ଅଧିକାରୀମାନେ ସ୍ଵେଚ୍ଛାଚାରିତା କଲେ ଜନପ୍ରତିନିଧି ଜଗିବା କଥା। କେତେକ କର୍ପୋରେଟରଙ୍କୁ ଛାଡ଼ି ଦେଲେ କେହି ମୁହଁ ଖୋଲୁ ନାହାନ୍ତି। ଏ ନେଇ କର୍ପୋରେଟର ନୃପେଶ ନାୟକ କହିଛନ୍ତି, ବିଧାନସଭାରେ ବଜେଟ୍‌ ପାଇଁ ସ୍ୱତନ୍ତ୍ର ଅଧିବେସନ ବସୁଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ଉପରେ ବିଚାରବିମର୍ଶ ହେବା ଜରୁରୀ। ୯ ମାସ ନ ପୂରୁଣୁ ବଜେଟ୍‌ର ୮୦ ପ୍ରତିଶତ(୭ଶହ କୋଟିରୁ ୫ଶହ କୋଟି) ଖର୍ଚ୍ଚ ହୋଇଯାଉଛି। ନିଅଣ୍ଟିଆ ବଜେଟ୍‌ଭାବେ ଆଉ ୨୯୦ କୋଟିର ଅତିରିକ୍ତ ଆବଶ୍ୟକ ହେଉଛି। ସାମ୍ବିଧାନିକ ବ୍ୟବସ୍ଥାରେ ଅର୍ଥରାଶି ସାଧାରଣ ଜନତାଙ୍କର ହୋଇଥିବାରୁ ଏହା କିଭଳି କେଉଁଥିରେ ଖର୍ଚ୍ଚ ହେବ ତାହା ଜନସାଧାରଣ କରିବେ। ଜନସାଧାରଣଙ୍କ ପ୍ରତିନିଧିତ୍ବ କରୁଥିବା ପ୍ରତିନିଧିମାନେ ତର୍କବିତର୍କ ମାଧ୍ୟମରେ ଏହି ଅର୍ଥ ଖର୍ଚ୍ଚ ବ୍ୟବସ୍ଥା କରିବେ। ପ୍ରଥମେ ଚିଠା ବଜେଟ୍‌ ଆଗତ ହେବା ପରେ ଏଥିରେ ପରାମର୍ଶ ଯୋଗ କରିବା ପରେ ଯାଇ ଆଉ ଥରେ ଫାଇନାଲ୍‌ ବଜେଟ୍‌ ଉପସ୍ଥାପନ ହେବା କଥା। କିନ୍ତୁ ଏଠାରେ ଯେଉଁଦିନ ଉପସ୍ଥାପନ ହେଲା ସେହିଦିନ ପାରିତ ହେଲା ବୋଲି କୁହାଗଲା। ଗତ ବୈଠକରେ ଏ ନେଇ ପ୍ରଶ୍ନ ଉଠିବା ପରେ ବୈଠକ ତତ୍‌କ୍ଷଣାତ୍‌ ସାରି ଦିଆଗଲା। ସାମ୍ବିଧାନିକ ବିଧିବ୍ୟବସ୍ଥା ଉଲ୍ଲଂଘନ ହେବା ଉଚିତ୍‌ ନୁହେଁ। ଏ ବାବଦରେ ଆମେ କର୍ପୋରେସନ ବୈଠକରେ ଉତ୍ତର ମାଗିବୁ ବୋଲି କହିଛନ୍ତି। ଅନ୍ୟପଟେ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ସର୍ବସାଧାରଣଙ୍କ ଅର୍ଥ ଏଭଳି ଖର୍ଚ୍ଚ କରାଯାଇ ପାରିବ ନାହିଁ। କୋଉଠି ଏତେ ପଇସା ଖର୍ଚ୍ଚ କଲ ତାହା ସର୍ବସାଧାରଣ କର, ନଚେତ୍‌ କୋର୍ଟରେ ଦେଖା ହବ ବୋଲି ସେ ଚେତାବନୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଅତିରିକ୍ତ ବଜେଟ୍‌ରେ ୨୯୦‌କୋଟି ୧୬ ଲକ୍ଷ ୪୭ ହଜାର, ୮୫୧ ଟଙ୍କାର ଆୟବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ପ୍ରାଣୀଧନ ପରିଚାଳନା ପାଇଁ ୯ କୋଟି ୬୭ ଲକ୍ଷ, ଏମ୍‌ସିସି/ଏମ୍‌ଆରଏଫ୍‌ପାଇଁ ୨୮କୋଟି ୬୧ଲକ୍ଷ, ଏକାମ୍ର ପ୍ଲାନ୍‌ ପାଇଁ ୫୭ କୋଟି ୭୦ ଲକ୍ଷ, ଗାଡ଼ି ଭଡ଼ା ପାଇଁ ୧୦କୋଟି ୫୭ଲକ୍ଷ, ପରିମଳ ପାଇଁ ୪୦ କୋଟି ୭୨ ଲକ୍ଷ, ଡଟ୍‌ଫେଷ୍ଟ ପାଇଁ ୩କୋଟି, ଗାଡ଼ିରେ ତେଲ ପାଇଁ ୬ କୋଟି ୬୪ ଲକ୍ଷ ବ୍ୟୟ ବରାଦ୍‌ ରହିଛି।

Share Now:

Kalinga News Beuro

Next Post

ସ୍ତ୍ରୀଙ୍କୁ ତଣ୍ଟିଚିପି ମାରିବା ପରେ ଜଙ୍ଗଲରେ ଫିଙ୍ଗିଦେଲା ସ୍ୱାମୀ

Thu Jan 25 , 2024
ଦାରିଙ୍ଗବାଡ଼ି: କୌଶଳରେ ପାହାଡ଼ ଉପରକୁ ଡ଼ାକିନେଇ ସ୍ତ୍ରୀଙ୍କୁ କଲବଲ କରି ହତ୍ୟା କରିଛି ସ୍ୱାମୀ। ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ମୃତ ମହିଳା ହେଲେ ସାନ୍ତନା ନାୟକ। ଫେରାର ଅଭିଯୁକ୍ତ ସ୍ୱାମୀ ମିତୁ ପ୍ରଧାନକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ବଡ଼ଧାଡ଼ି ଗ୍ରାମର ମିତୁ ପ୍ରଧାନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial