ଭୁବନେଶ୍ୱରରେ ମାଟ୍ରିକ୍‌ ପରୀକ୍ଷା: ୪୭ କେନ୍ଦ୍ରରେ ୧୨ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ମଙ୍ଗଳବାର ଠାରୁ ଆ‌ରମ୍ଭ ହେଉଛି। ଏଥିପାଇଁ ଭୁବନେଶ୍ୱର ସମେତ ସମସ୍ତ ବ୍ଲକ ପାଇଁ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜଣେ ଲେଖାଏଁ ସ୍ବତନ୍ତ୍ର ଅବ୍‌ଜରଭର୍ ଦିଆଯାଇଛି। ଏଥର ଭୁବନେଶ୍ୱରରେ କୌଣସି ବି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ ନାହିଁ। ମାତ୍ର ଅଚାନକ ଚଢ଼ଉ ଲାଗି ଓଏଏସ୍‌, ଓଇଏସ୍‌, ଓଆରଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। କପି ରୋକିବାକୁ ଏଥର ୪ସ୍ତରୀୟ ସ୍କ୍ବାଡ୍‌ ଗଠନ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) କାର୍ଯ୍ୟାଳୟ ପକ୍ଷରୁ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ହୋଇଛି। ଏଥିସହ ମାଧ୍ୟମିକ ଶିକ୍ଷା ପରିଷଦ ଅଧିକାରୀ ଓ ଶିକ୍ଷକଙ୍କୁ ନେଇ ସ୍ବତନ୍ତ୍ର ସ୍କ୍ବାଡ୍‌, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କ୍ବାଡ୍‌, ଜିଲ୍ଲାପାଳ, ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନ ସ୍କ୍ବାଡ୍‌ ଓ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ଜୋନ୍‌ ପକ୍ଷରୁ ଜୋନାଲ୍‌ ସ୍କ୍ବାଡ୍‌ ଗଠନ ହୋଇଛି। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଦୁଇଥର ଯାଞ୍ଚ କରାଯିବ। ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଯାଞ୍ଚ କରି‌ବେ। ଏହାପରେ ପରୀକ୍ଷା ହଲ୍‌ ଭିତ‌ରେ ମଧ୍ୟ ଆବଶ୍ୟକସ୍ଥଳେ ଯାଞ୍ଚ କରାଯିବ। ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ କିମ୍ବା ଅନ୍ୟାନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ, ‌ମାଇକ୍ରୋ ଜେରକ୍ସ, ଖାତା, ବହି ଆଦି ନ ନେବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ପରୀକ୍ଷା କେନ୍ଦ୍ରଠାରୁ ୧୦୦ ମିଟର ଦୂରରେ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ବ୍ଲକ ପାଇଁ ୩ଟି ନୋଡାଲ ସେଣ୍ଟର, ଯଥା କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୮ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ୍‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ହୋଇଛି। ଏହି ନୋଡାଲ ସେଣ୍ଟରଗୁଡ଼ିକ ଅଧୀନରେ ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏଠାରେ ୧୨ହଜାର ୨୨୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଉଭୟ ବିଏମ୍‌ସି ଓ ଭୁବନେଶ୍ୱର ବ୍ଲକ ଅଧୀନ ୮୦ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ଘରୋଇ ବିଦ୍ୟାଳୟର ପ୍ରାୟ ୫ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଗତକାଲି ସଂଧ୍ୟା ସୁଦ୍ଧା ସମସ୍ତ ନୋଡାଲ ସେଣ୍ଟର୍‌ରେ ପ୍ରଶ୍ନପତ୍ର ପହଞ୍ଚିଛି ଏବଂ ୨୪ଘଣ୍ଟିଆ ସୁରକ୍ଷା ମଧ୍ୟରେ ସେଗୁଡ଼ିକୁ ରଖାଯାଇଛି। ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛନ୍ତି। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେଉଥିବାରୁ ସମସ୍ତ କେନ୍ଦ୍ରରେ ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଦିନ ସକାଳୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ପ୍ରଶ୍ନପତ୍ର ଯିବା ସମୟରେ ଗାଡ଼ିରେ ପୁଲିସ କର୍ମଚାରୀ ଓ ନୋଡାଲ ସେଣ୍ଟର୍‌ର ଶିକ୍ଷକ ରହିବେ। ସବୁ କେନ୍ଦ୍ରରେ ସିସିଟିଭି ଲାଗିଛି। ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସର୍ବାଧିକ ୫୮୫ ପରୀକ୍ଷାର୍ଥୀ ରହିଥିବା ବେଳେ ସିଆରପି ବରମୁଣ୍ଡା ସରକାରୀ ନୋଡାଲ ହାଇସ୍କୁଲରେ ୫୩୬ ଓ ଆଇଆରସି ଭିଲେଜ୍‌ ସରକାରୀ ହାଇସ୍କୁଲରେ ୫୩୧ ପରୀକ୍ଷାର୍ଥୀ ଅଛନ୍ତି।

Share Now:

Kalinga News Beuro

Next Post

ଟିକା ଦେବାପରେ ୫ ମାସର ଶିଶୁପୁତ୍ରର ମୃତ୍ୟୁ ଅଭି‌ଯୋଗ

Wed Feb 21 , 2024
ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁଟିକୁ ପେଣ୍ଟା-ଥ୍ରି ଇଞ୍ଜେକ୍ସନ, ରୋଟା-ଥ୍ରି ଇଞ୍ଜେକ୍ସନ ସହିତ ଓରାଲ ଡୋଜ ପୋଲିଓ ଦିଆଯାଇଥିଲା। ଜ୍ୱର ଆସିଲେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial