ଆଜି ଠାରୁ ‘ଓଡ଼ିଆ ଭାଷାର ଗୌରବ ଗାଥା’ ପଦଯାତ୍ରା

ଓଡ଼ିଆ ଭାଷା, ସଂସ୍କୃତି ସହ ଯୋଡ଼ିହେବେ ପର୍ଯ୍ୟଟକ

ଭୁବନେଶ୍ୱର: ଜାନୁଆରି ମାସରୁ ଆରମ୍ଭ ହୋଇଥିବା ‘ଏକାମ୍ର ୱାକ୍‌ସ୍‌‌’ରେ ‘ଓଡିଆ ଭାଷାର ଗୌରବ ଗାଥା’ ପଦଯାତ୍ରା ଯୋଡ଼ି ହୋଇଛି। ଆଜି ଶୁକ୍ରବାର ଠାରୁ ଏହା ଆରମ୍ଭ ହେଉଛି। ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଦଯାତ୍ରା ପ୍ରତ୍ୟେକ ଦିନ ୨ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପଦଯାତ୍ରା ଏକାମ୍ର ହାଟରୁ ଆରମ୍ଭ ହେବ। ଖଜୁରୀ ପତ୍ରରେ କିଭଳି ଓଡିଆ ଭାଷା ଲେଖାଯାଉଥିଲା, ତାଳପତ୍ର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଦଯାତ୍ରୀ ଜାଣିବେ। ଓଡ଼ିଶାର ପୁରୁଣା ଖବରକାଗଜ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ମିଳିବ। ଅପରାହ୍ନ ୩ଟା ୩୦ରେ ବିନ୍ଦୁସାଗର କୂଳରେ ପାଲା ପ୍ରଦର୍ଶନ ହେବ। ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଓଡିଆ ସାହିତ୍ୟର ପ୍ରମୁଖ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖା ଶୁଣିବାକୁ ମିଳିବ। ୪ଟା ୧୫ରେ ‘ଐତିହାସିକ ଅନ୍ତର୍ନିହିତ ପଦଯାତ୍ରା: ବିନ୍ଦୁସାଗର’ ଅନୁଷ୍ଠିତ ହେବ। ଓଡ଼ିଶାର ଇତିହାସ ଓ ଓଡ଼ିଆ ଭାଷାର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ୪ଟା ୪୫ରେ ତାଳେଶ୍ୱର ମନ୍ଦିରଠାରେ ଭୀମ ଭୋଇଙ୍କ କବିତା ପାଠ ହେବ। ତା ସହିତ ମହିମା ସମ୍ପ୍ରଦାୟ ଦ୍ୱାରା ଖଞ୍ଜଣି ଭଜନ ଅନୁଷ୍ଠିତ ହେବ।
ଅପରାହ୍ନ ୫ଟା ୧୫ରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପଦଯାତ୍ରୀମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ ଶୁଣିବେ। ପାରମ୍ପରିକ ବାଦ୍ୟଯନ୍ତ୍ର ମର୍ଦ୍ଦଳ ସହ ସଙ୍ଗୀତ ଉପସ୍ଥାପନ ହେବ। ପଦଯାତ୍ରାର ଶେଷ ପ୍ରଦର୍ଶନ ହେବ ଓଡ଼ିଶୀ। ପଦଯାତ୍ରୀମାନେ ନୃତ୍ୟଶିଳ୍ପୀଙ୍କଠାରୁ ଓଡ଼ିଶୀ ସମ୍ପର୍କରେ ଜାଣିବାକୁ ପାଇବେ। ସନ୍ଧ୍ୟା ୬ରେ ସମସ୍ତେ ପୁଣି ଆସି ଏକାମ୍ର ହାଟରେ ପହଞ୍ଚିବେ। ଏଥିରେ ଯୋଡ଼ି ହେବା ପାଇଁ ଅଫ୍‌ଲାଇନ ଓ ଅନ୍‌ଲାଇନରେ ଟିକେଟ ବୁକ ହେଉଥିବା ବିଡିଏ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଝାଡ଼ଖଣ୍ଡରେ ସରକାର ‘ହଡ଼ପ’ କରିବାକୁ ଉଦ୍ୟମ କରୁଛି ବିଜେପି : ରାହୁଲ ଗାନ୍ଧି

Sat Feb 3 , 2024
ଗୋଡ୍ଡା: ଝାଡ଼ଖଣ୍ଡରେ ଥିବା ମେଣ୍ଟ ସରକାରକୁ ବିଜେପି ‘ହଡ଼ପ’ କରିବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିବା ସହ ଜନମତକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ହସ୍ତକ୍ଷେପ କରିଛି ବୋଲି କହିଛନ୍ତି। ଗୋଡ୍ଡା ଜିଲ୍ଲାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଗାନ୍ଧୀ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ସୁରକ୍ଷା ଦେବାରେ କଂଗ୍ରେସର ଭୂମିକା ଉପରେ ଆଲୋକପାତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial