ଲକଡାଉନ୍ ନିୟମ ଉଲ୍ଲଂଘନ କରି ଥାନା ଅଧିକାରୀଙ୍କୁ ଶ୍ରୀମନ୍ଦିର ଦର୍ଶନ କରାଇବା ଘଟଣାରେ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ପୁରୀ: ନିଲମ୍ବିତ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେଇଥିବା ଘଟଣାରେ ସେବାୟତ ଲକ୍ଷ୍ମୀନାରାୟଣ ପୂଜାପଣ୍ଡା (ଶ୍ୟାମା ପୂଜାପଣ୍ଡା)ଙ୍କୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ନୋଟିସର ଉତ୍ତର ୭ ଦିନ ଭିତରେ ରଖିବାକୁ କୁହାଯାଇଛି। ଆଜି ସକାଳୁ ସିଂହଦ୍ୱାର ପୁଲିସ ଲକ୍ଷ୍ମୀନାରାୟଣ ପୂଜାପଣ୍ଡାଙ୍କୁ ଗିରଫ କରିଥିଲା। ନିଲମ୍ବିତ ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ କେଉଁ ସେବାୟତମାନେ ସହଯୋଗ କରିଥିଲେ ଖୋଳତାଡ଼ ଆରମ୍ଭ କରିଥିଲା। ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଡ଼ା କଟକଣାକୁ ଖାତିର ନ କରି ଓ ସୁରକ୍ଷା ବଳୟକୁ ଭେଦ କରି ତତ୍କାଳୀନ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଜ ପରିବାର ସହ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। କଡ଼ା ପହରା ସତ୍ୱେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରି ଫେରିଲା ବେଳେ ଦକ୍ଷିଣଦ୍ୱାରରେ ମୁତୟନ ପୁଲିସ ହାତରେ ଧରା ପଡ଼ିଥିଲେ। ପୁଲିସ କର୍ମଚାରୀର ପରିଚୟ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ବି ସାଧାରଣ ଲୋକଙ୍କ ଚାପରେ ସିଂହଦ୍ୱାର ପୁଲିସ ଥାନା ଅଧିକାରୀ ଶ୍ରୀ ଜେନା ଓ ତାଙ୍କ ପରିବାରକୁ ଅଟକ ରଖିବା ସହ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ପରେ କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ସିଂହଦ୍ୱାର ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ରବିବାର ସଂଧ୍ୟାରେ ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନା ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଏକ ହଳଦିଆ ବତୀ ଲାଗିଥିବା ଧଳାଗାଡ଼ିରେ ଶ୍ରୀମନ୍ଦିର ଦକ୍ଷିଣଦ୍ୱାରରେ ପହଞ୍ଚିବା ପରେ ଦର୍ଶନ ପାଇଁ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଦର୍ଶନ ସାରି ଫେରିବା ବେଳକୁ ବଡ଼ଚଣା ଥାନା ଅଧିକାରୀ ଜେନା ଓ ତାଙ୍କ ପରିବାରକୁ ସିଂହଦ୍ୱାର ପୁଲିସ ଧରିନେଇ ଥାନାରେ ଅଟକ ରଖିଥିଲା। ଏ ନେଇ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଭଳି କାର୍ଯ୍ୟକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇ ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ।ଏଣେ ତାଙ୍କ ବିରୋଧରେ ବଡ଼ଚଣା ଥାନାରେ ମାମଲା ରୁଜୁ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଶରୀର ଭିତରେ ପଶି କରୋନା ଭୂତାଣୁ କି କି କାରନାମା କରୁଛି ତାହା ଦର୍ଶାଇଲେ ବାଗଚୀ

Tue Apr 21 , 2020
ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ତେଣୁ କରୋନାରୁ ବର୍ତ୍ତିବାକୁ ହେଲେ ସମସ୍ତ ମାନବ ଜାତିକୁ ସତର୍କ ରହିବା ସହ ନିଜ ଶରୀର ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏହା କହିଛନ୍ତି। ସେ କହିଛନ୍ତି ଯେ, ମାନବ ଶରୀରରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial