ବିଏସ୍‌ଏବିଟିରେ ଟ୍ରାଏଲ୍‌ ରନ : ୬ କୋଟି ବ୍ୟୟରେ ହେବ ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ୍‌(ବିଏସ୍‌ଏବିଟି)। ଏହି କ୍ରମରେ ୧୬ ତାରିଖରୁ ବସ୍‌ଗୁଡ଼ିକର ଟ୍ରାଏଲ୍‌ ରନ୍‌ ଚାଲିଛି। ବସ୍‌ଷ୍ଟାଣ୍ଡ ଭିତରକୁ ଆସିବାକୁ ଥିବା ସମସ୍ତ ବସ୍‌ରେ ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେସନ (ଆରଏଫ୍‌ଆଇଡି) କାର୍ଡ ସଂସ୍ଥାପନ ବାଧ୍ୟତାମୂଳକ କରାଯାଇଛି। ମାଗଣାରେ ବିଡିଏ ଏହି ଆରଏଫ୍‌ଆଇଡି ପ୍ରତ୍ୟେକ ବସ୍‌ରେ ଲଗାଇବ। ୧୬ ତାରିଖରୁ ୨୨ ତାରିଖ ମଧ୍ୟରେ ସମସ୍ତ ବସ୍‌ରେ ଏହି ଆରଏଫ୍‌ଆଇଡି ଲଗାଇବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୪୦ ପ୍ରତିଶତ ବସ୍‌ ସ୍ବତଃପ୍ରବୃତ୍ତ ଭାବରେ ଆରଏଫ୍‌ଆଇଡି ଲଗାଇଥିଲେ। ଏଣୁ ଏହି ଅବଧିକୁ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ା ଯାଇଛି। ବିଡିଏ ପ୍ରସ୍ତୁତ କରୁଥିବା ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ(ବିଏସ୍‌ଏବିଟି)ରେ ସମସ୍ତ ବସ୍‌କୁ ଟ୍ରାକ୍‌ କରାଯିବ। ଧାର୍ଯ୍ୟ ସମୟରେ ବାହାରି ଧାର୍ଯ୍ୟ ସମୟରେ ପହଞ୍ଚିବ।
ବିଏସ୍‌ଏବିଟିର ପ୍ରବେଶ ପଥରେ ଆରଏଫ୍‌ଆଇଡି ସ୍କାନର ରହିବ। ବସ୍‌ ପ୍ରବେଶ ବା ପ୍ରସ୍ଥାନ କଲା ବେଳେ ଏହି ସ୍କାନର ଆରଏଫ୍‌ଆଇଡି ସ୍କାନ୍‌ କରିବ। ଫଳରେ ବସ୍‌ର ଷ୍ଟାଣ୍ଡକୁ ପ୍ରବେଶ ଓ ପ୍ରସ୍ଥାନ ସମୟ ଜଣାପଡ଼ିବ। ଏହି ସମୟ ବସ୍‌ଷ୍ଟାଣ୍ଡରେ ଲାଗିଥିବା ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ। କିମ୍ବା ଯଦି ବିଳମ୍ବ ହେଉଛି ତେବେ ସେ ନେଇ ସୂଚନା ମଧ୍ୟ ସ୍କ୍ରିନ୍‌ରେ ପ୍ରଦର୍ଶିତ ହେବ। ଫଳରେ ଯାତ୍ରୀମାନେ ବସ୍‌ର ସମୟ ନେଇ ସୂଚନା ପାଇ ପାରିବେ। ପ୍ରତୀକ୍ଷା ସ୍ଥଳରେ ବଡ଼ ବଡ଼ ଏଲ୍‌ଇଡି ଜରିଆରେ ଏହି ସବୁ ବସ୍‌ମାନଙ୍କ ସମ୍ବନ୍ଧରେ ସୂଚନା ମିଳିବ। ସ୍କ୍ରିନ୍‌ ସହ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌(ପିଏଏସ୍‌) ଜରିଆରେ ବସ୍‌ର ସ୍ଥିତି ସମ୍ବନ୍ଧରେ ଯାତ୍ରୀମାନଙ୍କୁ ସୂଚନା ଦିଆଯିବ। ଏହା ଛଡ଼ା ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ପ୍ରସ୍ତୁତ ହେଉଛି। ଏହି ୱେବ୍‌ସାଇଟ୍‌ ଜରିଆରେ ଯାତ୍ରୀମାନେ ମଧ୍ୟ ବିଭିନ୍ନ ବସ୍‌ର ସମୟ ଓ ଭଡ଼ା ବାବଦରେ ସୂଚନା ପାଇ ପାରି‌ବେ। ଏହି ଆରଏଫ୍‌ଆଇଡି ତଥା ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ବିଡିଏର ଏକ ୨୨ ଜଣିଆ ଟିମ୍‌ ବସ୍‌ଷ୍ଟାଣ୍ଡ ପରିସରରେ କାର୍ଯ୍ୟ ଜାରି ରଖିଛି। ଶତ ପ୍ରତିଶତ ଆରଏଫ୍‌ଆଇଡି କାର୍ଡ ସଂସ୍ଥାପନ ହେବା ପରେ ଶେଷ ଥର ପାଇଁ ସମସ୍ତ ବସ୍‌ର ଟ୍ରାଏଲ୍‌ ରନ୍‌ ହେବ।
ସେହିଭଳି ବିଏସ୍‌ଏବିଟି କଡ଼କୁ ଲାଗି ଆଉ ଏକ ‘ଆଇଡିଆଲ୍‌ ବସ୍‌ଷ୍ଟାଣ୍ଡ’ ପ୍ରସ୍ତୁତ ହେବା‌କୁ ଯାଉଛି। ଏଥିରେ ୬ କୋଟି ୩ ଲକ୍ଷ ଟଙ୍କା ବ୍ୟୟ ହେବ। ଆସନ୍ତା ୪ ମାସ ମଧ୍ୟରେ ଏହାର ପ୍ରସ୍ତୁତି ଶେଷ ହେବ। ଏଥିରେ ୧୫୦ ବସ୍‌ ବେ’ ରହିବ। ଏଥିପାଇଁ ବିଡିଏ ଟେଣ୍ଡର ଡାକିଛି। ଏହି ବସ୍‌ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ପ୍ରତୀକ୍ଷା କରିବେ। ଯେତେବେଳେ ବାହାରିବା ସମୟ ହେବ ସେହି ସମୟର ୫ ମିନିଟ୍‌ ପୂର୍ବରୁ ବିଏସ୍‌ଏବିଟିରେ ପ୍ରବେଶ କରି ଧାର୍ଯ୍ୟ ବେ’ରେ ଛିଡ଼ା ହୋଇ ଯାତ୍ରୀ ଉଠାଇବେ। କେଉଁ ବସ୍‌ କେତେ ନମ୍ବର ବେ’ରେ ଛିଡ଼ା ହେବ ସେ ନେଇ ଅବଗତ କରାଯିବ। ଫଳରେ ବିଏସ୍‌ଏବିଟିରେ ଅନାବଶ୍ୟକ ଭିଡ଼ ହେବ ନାହିଁ। ତେବେ ଏ ନେଇ ବସ୍‌ମାଲିକ ସଂଘ ମାନଙ୍କ ସହ ବୈଠକ କିମ୍ବା ଆଲୋଚନା ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଆରଏଫ୍‌ଆଇଡି ବାବଦରେ ଅଧିକାଂଶ ମାଲିକ ଜାଣିନଥିବା କହିଛନ୍ତି।

Share Now:

Kalinga News Beuro

Next Post

ସ୍ପେନର ଦୁଇଟି ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ : ୪ ମୃତ, ୧୯ ନିଖୋଜ

Fri Feb 23 , 2024
ଭାଲେନ୍ସିଆ: ପୂର୍ବ ସ୍ପେନର ଭାଲେନ୍ସିଆ ସହରରେ ଗୁରୁବାର ଦୁଇଟି ଉଚ୍ଚ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟ ଦୁଇଟିରେ ଥିବା ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିଥିଲେ। ଏକ ୧୪ ମହଲା ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥାଇପାରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial