ଅକାମୀ ପଡ଼ିଛି ସରକାରୀ ପ୍ରକଳ୍ପ : ରାଜଧାନୀବାସୀ ପାଉ ନାହାନ୍ତି ସୁଫଳ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର କୋଟିକୋଟି ଟଙ୍କା ଖର୍ଚ୍ଚରେ ମାଳାମାଳ ପ୍ରକଳ୍ପ ପ୍ରସ୍ତୁତ ହେଲା। ହେଲେ ସେଥିରୁ ଅଧାରୁ ଅଧିକ ଖତ ଖାଇ ରାଜଧାନୀବାସୀଙ୍କୁ ସେବା ଦେଇ ପାରୁନାହିଁ। ଏବେ ସ୍ମାର୍ଟ ସିଟି ବନ୍ଦ ହେବାକୁ ବସିଲାଣି। ଅପରପକ୍ଷରେ ବିଏମ୍‌ସି ମଧ୍ୟ ଜନସାଧାରଣଙ୍କ ସ୍ବାର୍ଥ ପାଇଁ କୋଟି କୋଟି ଟଙ୍କାରେ ପ୍ରକଳ୍ପ ପ୍ରସ୍ତୁତ କରୁଛି। ହେଲେ ସେଥିରୁ ଅନେକ କାମରେ ଲାଗି ପାରୁନାହିଁ। ପ୍ରକଳ୍ପଗୁଡ଼ିକରେ କେବଳ ଠିକାଦାର ପୋଷା ହୋଇଛନ୍ତି। ସ୍ମାର୍ଟ ସିଟି ପ୍ରସ୍ତୁତ କରିଥିବା ଅତ୍ୟାଧୁନିକ ପ୍ରକଳ୍ପ ମଧ୍ୟରେ ସ୍ମାର୍ଟ କିଓସ୍କ ଅନ୍ୟତମ ଥିଲା। ଟ୍ରେଡ୍‌ ଲାଇସେନ୍ସ ଠାରୁ ଆରମ୍ଭ କରି ବିଏମ୍‌ସି, ବିଡିଏ ଓ ସ୍ମାର୍ଟ ସିଟି ଅଧୀନରେ ମିଳୁଥିବା ଯାବତୀୟ ସେବା ମାଗଣାରେ ଉପଲବ୍ଧ ହେବାକୁ ଯୋଜନା ହୋଇଥିଲା। ବଡ଼କଥା ଥିଲା, ମହିଳାମାନେ ଅସୁବିଧାରେ ପଡ଼ିଲେ ଏଥିରେ ଥିବା ଏମର୍ଜେନ୍‌ସି କଲ୍‌ ବଟନ୍‌ (ଇସିବି) ଜରିଆରେ ତୁରନ୍ତ ପୁଲିସ ସହାୟତା ଦେବ। ୫୦୦ କୋଟିର ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ ଅଧୀନରେ ଇନ୍‌ଡୋର୍‌ରେ ୫୦ ଓ ଆଉଟ୍‌ଡୋର୍‌ ୨୫, ଏଭଳି ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରିବାକୁ ଯୋଜନା ଥିଲା। କିନ୍ତୁ ୬୨ଟି କାର୍ଯ୍ୟକ୍ଷମ କଲେ, ହେଲେ ଗୋଟିଏ ବି କାମରେ ଲାଗିଲାନି। ରାସ୍ତାକଡ଼ରେ ଏହା ଏବେ ଖତ ଖାଉଛି।
ସେହିପରି ‘ମୋ ସାଇକେଲ୍‌’ ପ୍ରକଳ୍ପ ପରିଚାଳନା ପାଇଁ ବିଏସ୍‌ସିଏଲ୍‌ ଦାୟିତ୍ବ ନେଇଥିଲା। ଗୋଟାକୁ ୨୫ ହଜାର ଟଙ୍କା ଦେଇ ୫ କୋଟି ବ୍ୟୟରେ ୨,୦୦୦ ସାଇକେଲ୍‌ କିଣି‌ଲେ। କିନ୍ତୁ ଏହାର ଲୋକପ୍ରିୟତା ବଢ଼ିବା ନେଇ ଯୋଜନା ନ ହେବାରୁ ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନା ଗୋଟିଏ ବର୍ଷରେ ଖତ ଖାଇଲା। କିଣାରେ ୫ କୋଟି ଓ ରକ୍ଷଣାବେକ୍ଷଣରେ ୨ କୋଟି, ଏଭଳି ୭ କୋଟିରୁ ଉର୍ଦ୍ଧ୍ୱ ବରବାଦ ହୋଇଗଲା। ରାସ୍ତା କଡ଼ରେ ବସିଥିବା ସମସ୍ତ ଫଳ ଦୋକାନୀଙ୍କୁ ଏକାଠି କରି ଗୋଟିଏ ଛାତ ତଳେ ବସାଇବାକୁ ବିଏମ୍‌ସି ଯୋଜନା କରି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂକୁ ଲାଗି ୩ ମହଲା ବିଶିଷ୍ଟ ଫଳ ମାର୍କେଟ୍‌ ନିର୍ମାଣ କଲା। କେବଳ ଫଳ ଦୋକାନୀଙ୍କ ଛଡ଼ା ଏହା କାହାକୁ ଦିଆଯିବ ନାହିଁ ବୋଲି ଯୋଜନା ହେଲା। ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠାରେ ଥିବା ୭୨ଦୋକାନକୁ ୨୦୧୫ ସ୍ୱାୟତ୍ତ ଶାସନ ଦିବସରେ ଉଦ୍‌ଘାଟନ ବି କରାଗଲା। ହେଲେ ୯ ବର୍ଷ ବିତିଗଲେ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି। ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେବଳ ଫଳ ଦୋକାନୀଙ୍କୁ ଏହାକୁ ନ ଦେଇ ଅନ୍ୟ ବ୍ୟବସାୟୀଙ୍କୁ ‌ଦେବା ପାଇଁ ଯୋଜନା ହୋଇଛି। କିନ୍ତୁ ଏବେ ବି ସବୁ ଦୋକାନ ଗୃହ ଭଡ଼ାରେ ଲାଗି ପାରିନାହିଁ। ସେହିପରି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି ନିର୍ମାଣ କରିଥିଲା ଗଣ୍ଡମୁଣ୍ଡା ହାଟ। କିନ୍ତୁ ବେପାର ହେଉନଥିବାରୁ ବେପାରୀମାନେ ଭଡ଼ା ଦେଲେନାହିଁ। ୩ ବର୍ଷରେ ବିଏମ୍‌ସି ୯୫ ବ୍ୟବସାୟୀଙ୍କ ଠାରୁ ଭଡ଼ା ବାବଦକୁ ୩୦ ଲକ୍ଷ ଟଙ୍କା ଆଦାୟ କରିପାରିନଥିଲା। ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିବା ୬୪ ପିଣ୍ଡିରୁ ମଧ୍ୟ ଟଙ୍କାଟିଏ ଆଦାୟ ହେଲାନାହିଁ। ବିଏମ୍‌ସି ଏହି ଏସ୍‌ଏଚ୍‌ଜିମାନଙ୍କ ଆବଣ୍ଟନକୁ ବାତିଲ୍‌ କଲା। ଏବେ ଏହାକୁ ମରାମତି କରିବା ପାଇଁ ବିଏମ୍‌ସି ୮୪ ଲକ୍ଷରୁ ଅଧିକ ଖର୍ଚ୍ଚ କରୁଛି। ପୂର୍ବରୁ ୭୦ ଓ ଏବେ ୮୪ ଏଭଳି ୧.୫ କୋଟିରୁ ବରବାଦ ହୋଇଛି।
ଏଠାରେ ୧୯୯୯ ମସିହାରେ ସରକାରୀ-ଘରୋଇ ସହଭାଗିତାରେ ନିର୍ମାଣ ହୋଇଥିବା ପଞ୍ଚଦୀପ ମାର୍କେଟର କଥା ସ୍ମରଣ କରା ଯାଇପାରେ। ଦୀର୍ଘ ୨୫ ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନି। ୬ମହଲା ବିଶିଷ୍ଟ ଏହି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଠାରୁ ବିଏମ୍‌ସି ୩୦ ଲକ୍ଷ ଟଙ୍କା ବ୍ୟୟରେ ଜମି ପାଇଥିଲା। ତଳ ମହଲାରେ ୭୨%, ପ୍ରଥମ ମହଲାରେ ୩୬% ଓ ଦ୍ୱିତୀୟ ମହଲାରୁ ଷଷ୍ଠ ମହଲା ଯାଏ ୩୦.୬% ବିଏମ୍‌ସିର ଅଂଶ ରହିଥିଲା। ଭଡ଼ାରେ ଲାଗିଲେ ବିଏମ୍‌ସିର ରାଜସ୍ବ ବଢ଼ିଥାନ୍ତା। କିନ୍ତୁ ଅବ‌ହେଳା ଯୋଗୁ ବିଏମ୍‌ସିର ରାଜସ୍ୱ ବଢ଼ିବ କଣ ୨୫ ବର୍ଷ ତଳେ ଜମି ପାଇଁ ଖର୍ଚ୍ଚ ହୋଇଥିବା ୩୦ ଲକ୍ଷ ଟଙ୍କା ମଧ୍ୟ ଆଦାୟ ହୋଇପାରିଲା ନାହିଁ। ତେବେ ଏହାକୁ ଭଡ଼ା ଦେବାକୁ ବିଏମ୍‌ସି ବିଜ୍ଞପ୍ତି ଜାରି କରିଛି। କିନ୍ତୁ ୨ଥର ବିଜ୍ଞପ୍ତି ହୋଇ ସାରିଥିଲେ ମଧ୍ୟ ଦୋକାନ ଭଡ଼ା ଯାଇ ପାରୁନାହିଁ।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ-କିରାଣି

Fri Mar 1 , 2024
ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୨୦ହଜାର ଟଙ୍କା ଜବତ ‌କରାଯାଇଛି। ଲାଞ୍ଚ ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial