ଝିଅ ଫଟୋ ଦେଖାଇ ମା’ର ମିଛପ୍ରେମ : ରାଣୀହାର ଲୋଭରେ ଧରାପଡ଼ିଲା ଧୂର୍ତ୍ତ ମହିଳା

୨.୫ ଲକ୍ଷ ଚଳୁ, ସ୍ୱାମୀଙ୍କୁ ବାପାର ପରିଚୟ ଦେଇଥିଲା

ଭୁବନେଶ୍ୱର: ଅନ୍‌ଲାଇନ୍‌ ପ୍ରେମରେ ଏକ ମଜାଦାର କାହାଣୀକୁ ନେଇ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚା ଚାଲିଛି। ଜଣେ ମହିଳା ନିଜ ନାଁରେ ଝିଅର ଫଟୋ ଦେଖାଇ ଯୁବକଙ୍କୁ ପ୍ରେମ ଜାଲରେ ଫସାଇଲେ। ମିଠା ମିଠା କଥା କହି ଯୁବକଙ୍କୁ ମନ କିଣିବା ସହିତ ନିଜର ଦୁଃଖପୂର୍ଣ୍ଣ କରୁଣ କାହାଣୀ କହି ଯୁବକଙ୍କ ସମବେଦନା ହାସଲ କଲେ। ବିବାହ କରିବା ଲାଗି ମଣ୍ଡପ ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଯୁବକଙ୍କଠାରୁ ୨.୫ ଲକ୍ଷ ଟଙ୍କା ନେଇଗଲେ। ପୁଣି ବଡ଼ କଥା ହେଉଛି ସ୍ୱାମୀଙ୍କୁ ବାପା ବୋଲି କହି ତାଙ୍କ ଆକାଉଣ୍ଟରେ ୨.୫ ଲକ୍ଷ ଟଙ୍କା ନେଲେ। କିନ୍ତୁ ଶେଷରେ ରାଣୀହାର ଲୋଭରେ ପଡ଼ି ଧରାପଡ଼ିଗଲେ। ଆଜି ଲିଙ୍ଗରାଜ ଥାନା ପୁଲିସ ସେହି ଧୂର୍ତ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦୁଝର ନାରାୟଣପୁରର ନରୋତ୍ତମ ନାଏକଙ୍କ ସ୍ତ୍ରୀ ମଞ୍ଜୁଲତା ନାଏକ(୪୫)। ମଜାର କଥା ହେଉଛି ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ସାହୁ ୨.୫ ଲକ୍ଷ ଟଙ୍କା ହରାଇବା ପରେ ବି ଚତୁରତାର ସହ ମଞ୍ଜୁଲତାଙ୍କୁ ଗହଣା ଲୋଭ ଦେଖାଇ ଭୁବନେଶ୍ୱର ଡକାଇଥିଲେ ଏବଂ ତାଙ୍କୁ ପୁଲିସ ଜିମା ଦେଇଛନ୍ତି।
ଘଟଣାଟି ଏମିତି। ପୁରୁଣା ଭୁବନେଶ୍ୱରରେ ରହୁଥିବା କୃଷ୍ଣଚନ୍ଦ୍ର ସାହୁ ବର୍ଷକ ତଳେ ଫୋନ୍‌ କରୁକରୁ ଭୁଲବଶତଃ ମଞ୍ଜୁଲତାଙ୍କ ଫୋନ୍‌କୁ ଲାଗିଯାଇଥିଲା। ରଙ୍ଗ ନମ୍ବର ବୋଲି ଜାଣିବା ପରେ କୃଷ୍ଣ ଫୋନ୍‌ କାଟି ଦେଇଥିଲେ। କିନ୍ତୁ ପରେ ମଞ୍ଜୁଲତା ତାଙ୍କ ଆଡ଼ୁ ଫୋନ୍‌ କରି କଥା ହୋଇଥିଲେ। ମିଠା ମିଠା କଥା କହି ବନ୍ଧୁତା ବଢ଼ାଇଥିଲେ। ଏମିତିକି ଝିଅ ସୁମିତ୍ରାର ଫଟୋ ଦେଖାଇ ନିଜର ବୋଲି କହିଥିଲେ। ଧୀରେଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା। କଥା ବାହା ହେବା ପର୍ଯ୍ୟନ୍ତ ଗଲା। ଏହା ଭିତରେ ମଞ୍ଜୁଲତା ନିଜର କରୁଣ କାହାଣୀ ସବୁ କହିଥିଲା। ଫଳରେ କୃଷ୍ଣଙ୍କ ମନ ତରଳିଯାଇଥିଲା। ସେ କୌଣସିମତେ ବାହାହେବେ ବୋଲି କଥା ଦେଇଥିଲେ। ଏହା ଭିତରେ କୃଷ୍ଣ ଭିଡିଓ କଲ୍‌ କରିବାକୁ ବହୁଥର କହିଥିଲେ ବି ଧୂର୍ତ୍ତ ମଞ୍ଜୁଲତା ବିଭିନ୍ନ ବାହାନା କରି ଏହାକୁ ଏଡ଼ାଇ ଚାଲିଥିଲେ। କୃଷ୍ଣ ବିବାହ କରିବାକୁ ବ୍ୟସ୍ତ ହେବା ଦେଖି ମଞ୍ଜୁଲତା ଅର୍ଥାଭାବ କଥା କହିଥିଲେ। କିନ୍ତୁ କୃଷ୍ଣ ବାହାଘରର ସବୁ ଖର୍ଚ୍ଚ ନିଜ ଆଡ଼ୁ କରିବେ ବୋଲି କହି ମଣ୍ଡପ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨.୫ ଲକ୍ଷ ଟଙ୍କା ଦେଇଥିଲେ। ନରୋତ୍ତମଙ୍କ ଆକାଉଣ୍ଟକୁ କୃଷ୍ଣ ଟଙ୍କା ପଠାଇଥିଲେ। କାରଣ ମଞ୍ଜୁଲତା ସ୍ୱାମୀ ନରୋତ୍ତମଙ୍କୁ ତାଙ୍କ ବାପା ବୋଲି କହି ପରିଚୟ ଦେଇଥିଲେ। ଟଙ୍କା ପଠାଇବା ପରେ ଗତ ୧୩ ତାରିଖ ଦିନ କୃଷ୍ଣ ପୁଣି ଭିଡିଓ କଲ୍‌ କରିବାକୁ କହିଥିଲେ। ଏଥର ବି ମଞ୍ଜୁଲତା ବାହାନା କରି କୃଷ୍ଣଙ୍କ ଅନୁରୋଧକୁ ଏଡ଼ାଇଯାଇଥିଲେ। ଏଥର କୃଷ୍ଣଙ୍କର ସନ୍ଦେହ ହୋଇଥିଲା। ଏମିତିକି ସେ ଠକାମିର ଶିକାର ହୋଇଥିବା ବୁଝିଯାଇଥିଲେ। ତେଣୁ ସେ ମହିଳାଙ୍କୁ ଧରିବାକୁ ବୁଦ୍ଧି ପାଞ୍ଚିଥିଲେ। ବାହାଘର ପାଇଁ ସେ କିଛି ଗହଣା(ରାଣୀ ହାର) କିଣିବାକୁ ମନସ୍ଥ କରିଛନ୍ତି ବୋଲି ଫୋନ୍‌ରେ କହି ମଞ୍ଜୁଲତାଙ୍କୁ ଭୁବନେଶ୍ୱର ଡକାଇଥିଲେ। ଗହଣା ଲୋଭ ମଞ୍ଜୁଲତାଙ୍କୁ ବିକଳ କରିଥିଲା। ସେ ଭୁ‌ବନେଶ୍ୱର ଚାଲିଆସିଥିଲେ। କିନ୍ତୁ କୃଷ୍ଣଙ୍କୁ ଭେଟିବା ପରେ ନିଜକୁ ମଞ୍ଜୁଲତାଙ୍କ ମା’ ସୁମିତ୍ରା ବୋଲି କହିଥିଲେ। କିନ୍ତୁ କୃଷ୍ଣ ତାଙ୍କ ହାତରୁ ଫୋନ୍‌ ଛଡ଼ାଇ ଯାଞ୍ଚ କରିବା ପରେ ଅସଲ କାହାଣୀ ଧରାପଡ଼ିଯାଇଥିଲା। କୃଷ୍ଣ ତୁରନ୍ତ ମଞ୍ଜୁଲତାଙ୍କୁ ଲିଙ୍ଗରାଜ ଥାନା ପୁଲିସ ଜିମା ଦେଇଥିଲେ। ପଚରାଉଚରା ବେଳେ ମଞ୍ଜୁଲତା ପୁଲିସ ଆଗରେ ସବୁ ସତ ମାନିଯାଇଥିଲେ।

Share Now:

Kalinga News Beuro

Next Post

ନଷ୍ଟ ହେଉଛି ବିରଳ ପୋଥି : ପରିଜା ପାଠାଗାରରେ ୩୮୦୦ ଡିଜିଟାଇଜେସନ୍‌ କେବେ?

Sat Mar 16 , 2024
ଭୁବନେଶ୍ୱର: ବେଦ, ତନ୍ତ୍ର, ଧର୍ମଶାସ୍ତ୍ର, ଜ୍ୟୋତିଷ, ଅଭିଧାନ, ଗଣିତ, ନାଟକ, ଦର୍ଶନଶାସ୍ତ୍ର, ଆୟୁର୍ବେଦ, ସଙ୍ଗୀତ – ଏଭଳି ଅମୂଲ୍ୟ ଜ୍ଞାନ ସମ୍ପଦକୁ ତାଳପତ୍ରରେ ସାଇତି ରଖିଛି ଉତ୍କଳ ବିଶ୍ୱବିଦ୍ୟାଳୟର ପରିଜା ପାଠାଗାର। ହେଲେ ସଂରକ୍ଷଣ ଓ ସୁରକ୍ଷା ଅଭାବରୁ ଏହି ଦୁର୍ଲଭ ପୋଥିଗୁଡ଼ିକର ଭାଗ୍ୟ ବର୍ତ୍ତମାନ ଅନ୍ଧାରରେ ରହିଛି। ଛଅ ଦଶନ୍ଧିର ଏହି ପୁରୁଣା ପାଠାଗାରରେ ପାଖାପାଖି ୩୮ଶହ ତାଳପତ୍ର ପୋଥି ରହିଛି। ଏଥିମଧ୍ୟରୁ ଅନେକ ପୋଥି ୩୦୦ ବର୍ଷରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial