ଜୟଦେବ : ଜୋର୍‌ ଧରିଲା ବିଜେଡି ରାଜନୀତି

ସମ୍ଭାବ୍ୟ ପ୍ରାର୍ଥୀ ଚର୍ଚ୍ଚାରେ ନବୀନ ନିବାସ କର୍ମଚାରୀ

ବାଲିଅନ୍ତା/ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟ କିଏ ପାଇବ, ତାହାକୁ ନେଇ ଏବେ ସରଗରମ ଆଲୋଚନା। ବିଧାୟକ ଅରବିନ୍ଦ ଢାଲି ଦଳ ଛାଡ଼ିଦେଲା ପରେ ଏଥର ବିଜେଡି କାହାକୁ ମଇଦାନକୁ ଓହ୍ଲାଇବ ତହା ସ୍ପଷ୍ଟ ହେଉ ନାହିଁ। ଏହି ସମୟରେ ବିଜେଡିର ଗୋଷ୍ଠୀ ବିବାଦ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ଆମ ସଂଗଠନର ମୁଖ୍ୟ କମଳ ପାତ୍ର(ଚନ୍ଦନ)ଙ୍କ ସମର୍ଥନରେ ବିଜେଡି ଟିକେଟ୍‌ ଦେବାକୁ ରଣନୀତି କରୁଥିବା ଜଣାପଡ଼ୁଛି। ଚନ୍ଦନଙ୍କ ପସନ୍ଦର ପ୍ରାର୍ଥୀ ଟିକେଟ୍‌ ପାଇବେ ବୋଲି ନିର୍ବାଚନମଣ୍ଡଳୀରେ ପ୍ରଚାର ହେଉଛି। ଅନ୍ୟ ପଟେ ଟିକେଟ ଚୟନରେ ଚନ୍ଦନଙ୍କ ଗୁରୁତ୍ବ ହ୍ରାସ କରିବା ପାଇଁ ତାଙ୍କ ବିରୋଧରେ ମେଳି ଆରମ୍ଭ ହୋଇଛି। ଆଜି ବିଜେଡିର ବହୁ ଜନପ୍ରତିନିଧି ଓ କର୍ମୀମାନେ ଶଙ୍ଖ ଭବନରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା କରିଛନ୍ତି। ନବୀନ ନିବାସର କର୍ମଚାରୀ ଅକ୍ଷୟ ବେହେରାଙ୍କୁ ଏଠାରେ ଦଳ ପକ୍ଷରୁ ପ୍ରାର୍ଥୀ କରିବାକୁ ସେମାନେ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଏହି ନେତାମାନଙ୍କୁ ପୁଣି ସୋମବାର ଦିନ ନବୀନ ନିବାସକୁ ଡକାଯାଇଥିବା ଜଣାପଡ଼ିଛି।
ଏହି ଖବର ଜଣାପଡ଼ିବା ପରେ ଜୟଦେବରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଚନ୍ଦନଙ୍କ ବିରୋଧୀ ଗୋଷ୍ଠୀ ଶଙ୍ଖ ଭବନରୁ ଫେରିଲା ପରେ ତାଙ୍କ ସମର୍ଥକମାନେ ଶଙ୍ଖ ଭବନ ଯିବାକୁ ଏକାଠି ହୋଇଥିଲେ। କିନ୍ତୁ ଶେଷ ମୂହୁର୍ତ୍ତରେ ତାହାକୁ ସ୍ଥଗିତ ରଖାଯାଇଥିଲା। ଚନ୍ଦନ ତାଙ୍କ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗଡ଼ ଶ୍ରୀରାମପୁରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସେ ନିୟମିତ ଭାବେ ବିଭିନ୍ନ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ କରୁଛନ୍ତି। ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଟିକେଟ ନ ମିଳିଲେ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ରଣନୀତି ଚାଲିଛି। ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଚାଲିଥିବାରୁ ପ୍ରାର୍ଥୀ ଚୟନ ଏବେ କାଠିକର ପାଠ ହୋଇପଡ଼ିଛି। ଉଭୟ ଗୋଷ୍ଠୀ ସହମତିରେ ପ୍ରାର୍ଥୀ ଚୟନ କରିବାକୁ ଶୀର୍ଷ ନେତୃତ୍ବ ଚାହୁଛନ୍ତି। ତେଣୁ ପୁଣି ଥରେ ସମସ୍ତଙ୍କୁ ଶଙ୍ଖ ଭବନ କିମ୍ବା ନବୀନ ନିବାସ ଡକାଯାଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚୌଧୁରୀ ଦ୍ୱାରିକା ନାଥ ଦାଶଙ୍କ ସମର୍ଥିତ ଅନ୍ୟତମ ଆଶାୟୀ ପ୍ରାର୍ଥୀ ତଥା ବାଲିପାଟଣା ବ୍ଲକ ଅଧୀନ ଦେଉଳିଧରପୁର ସମିତି ସଭ୍ୟା ସୌଭାଗ୍ୟଲକ୍ଷ୍ମୀ ପ୍ରିୟଦର୍ଶିନୀ ଆଜି ତାଙ୍କ ସମର୍ଥକମାନଙ୍କ ସହ ଯାଇ ବିଜେଡିର ସାଂଗଠନିକ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୯ରେ ଚନ୍ଦନ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ପାଇଁ ଉଦ୍ୟମ କରିଥିଲେ। ତେବେ ଦଳ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କଲା ପରେ ଚନ୍ଦନ ସ୍ବାଧୀନ ପ୍ରାର୍ଥୀ ଭାବେୁ ନବ କିଶୋର ମଲ୍ଲିକଙ୍କୁ ଠିଆ କରାଇଥିଲେ। ସେ ପ୍ରାୟ ୪୫ ହଜାରରୁ ଅଧିକ ଭୋଟ୍‌ ପାଇଥିଲେ।

Share Now:

Kalinga News Beuro

Next Post

ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରଥମ ତାଲିକା

Tue Apr 2 , 2024
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ଦଳ ପରେ କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି। କଂଗ୍ରେସ ପ୍ରଥମ ତାଲିକାରେ ୪୯ ଜଣଙ୍କର ନାମ ଘୋଷଣା କରିଛି। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ ୨୯ ଜଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial