ଅଧ୍ୟାପକଙ୍କୁ ଚୁନା ଲଗାଇଲା ସାଇବର ଠକ : ନେଇଗଲା ୪୦ ହଜାର

ଠକାମୀରୁ ଅଳ୍ପକେ ବର୍ତ୍ତିଲେ ୨ କଲେଜ କର୍ମଚାରୀ

ବାଲିପାଟଣା : ମୁଁ ବାଲିପାଟଣା ବ୍ଲକରୁ ବିଡିଓ କହୁଛି। ଆପଣଙ୍କ କଲେଜକୁ ମାକ୍ସ ବାବଦରେ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ଅନୁଦାନ ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ପାଇଁ ବ୍ଲକ ଆକାଉଣ୍ଟରୁ ଟଙ୍କା ଯାଇପାରୁ ନାହିଁ। କଲେଜର ୨/୩ ଜଣ କର୍ମଚାରୀଙ୍କ ଆକାଉଣ୍ଟ ଡିଟେଲସ କିମ୍ବା ୟନୋ ପେ’ ନମ୍ବର ଦିଅନ୍ତୁ ଟଙ୍କା ଛଡ଼ାଯିବ। ସାଇବର ଠକଙ୍କ ଚକ୍ରବ୍ୟୁହରେ ଫସି ୪୦ ହଜାର ଟଙ୍କା ହରାଇଛନ୍ତି ଓଡ଼ଖଣ୍ଡ କଲେଜର ୨ ଅଧ୍ୟାପକ। ହେଲେ ଶିଶୁ ଅନନ୍ତ ମହାବିଦ୍ୟାଳୟ ଏବଂ ବନମାଳୀପୁର କଲେଜ କର୍ତ୍ତୃପକ୍ଷ ଠକାମୀରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଆକାଉଣ୍ଟକୁ ଟଙ୍କା ଆସିବା ବଦଳରେ ଟଙ୍କା କଟିବା ପରେ ଜ୍ଞାନ ଉଦୟ ହୋଇଥିଲା। ଖୋଳତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କୌଣସି କର୍ମଚାରୀ ବ୍ଲକରେ କାର୍ଯ୍ୟ କରୁ ନ ଥିବା ସ୍ପଷ୍ଟ ହେବା ପରେ ସାଇବର ଠକାମିର ଶିକାର ହୋଇଥିବା ଜଣା ପଡିଥିଲା।
ସୂଚନା ଅନୁସାରେ ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତ ଓଡ଼ଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨ ଜଣ ଅଧ୍ୟାପକ ଆଜି ସାଇବର ଠକଙ୍କ ଦ୍ୱାରା ଲୁଟର ଶିକାର ହୋଇଛନ୍ତି। ସାଇବର ଠକ ନିଜକୁ ବିଡିଓ ବୋଲି ପରିଚୟ ଦେଇ କଲେଜ ଅଧ୍ୟ୍ୟକ୍ଷା ସାଗରିକା ମହାନ୍ତିଙ୍କ ଫୋନ୍‌କୁ ୮୦୯୩୫୫୨୮୯୪ରୁ ଦିନ ୧୨ଟା ୪୫ରେ କଲ ଆସିଥିଲା। ବାଲିପାଟଣା ବ୍ଲକରୁ ବିଡ଼ିଓ କହୁଛି ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। କଲେଜକୁ ସରକାରଙ୍କ ତରଫରୁ ମାକ୍ସ ପାଇଁ ୪୦ ହଜାର ଟଙ୍କା ଆସିଛି। କଲେଜ ଆକାଉଣ୍ଟରେ କୌଣସି ତ୍ରୁଟି ଥିବା ହେତୁ ଟଙ୍କା ଟ୍ରାନ୍ସଫର ହୋଇ ପାରୁନାହିଁ। ଆପଣଙ୍କ କଲେଜର ୨ ରୁ ୩ ଜଣ କର୍ମଚାରୀଙ୍କ ୟୋନୋ ପେ’ ନମ୍ବର ଦେଲେ ଟଙ୍କା ଛଡ଼ାଯିବ ବୋଲି ବ୍ୟକ୍ତି ଜଣଙ୍କ କହିଥିଲା। ବ୍ଲକରୁ ଫୋନ ଆସିଥିବା କଥାକୁ ଅଧ୍ୟକ୍ଷା ସହଜରେ ବିଶ୍ୱାସ କରିଥିଲେ। କଲେଜ ଅର୍ଥନୀତି ବିଭାଗ ଅଧ୍ୟାପକ ଅତନୁ କୁମାର ପଣ୍ଡା, ଓଡ଼ିଆ ଅଧ୍ୟାପକ ନାଥ ବିଶ୍ୱାଳ ଏବଂ ପଦାର୍ଥ ବିଜ୍ଞାନ ଡେମୋନେଷ୍ଟେଟର ନୃସିଂହ ଚରଣ ସ୍ୱାଇଁ ତାଙ୍କ ୟନୋ ପେ’ ନମ୍ବର ଦେଇଥିଲେ। ପରବର୍ତ୍ତୀ ସମୟରେ କଲେଜ ଛାତ୍ରଛାତ୍ରୀ ସଂଖ୍ୟା ବୁଝିବା ପରେ ଠକ ଜଣଙ୍କ କଥା ବଦଳାଇ ୬୦ ହଜାର ଟଙ୍କା ଆସିଥିବା ଅଧ୍ୟାପକଙ୍କୁ କହିଥିଲା ଏବଂ ଓଟିପି ନମ୍ବର ଦେବାର କିଛି ସମୟ ମଧ୍ୟରେ ଅର୍ଥନୀତି ଓ ଓଡ଼ିଆର ୨ ଅଧ୍ୟାପକଙ୍କ ଆକାଉଣ୍ଟ ରୁ ୪୦ ହଜାର ଟଙ୍କା କଟି ଯାଇଥିବା ଫୋନକୁ ମେସେଜ ଆସିଥିଲା। ଅନ୍ୟ ଜଣେ କର୍ମଚାରୀଙ୍କ ଆକାଉଣ୍ଟରେ ତ୍ରୁଟି ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆକାଉଣ୍ଟକୁ ଟଙ୍କା ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ଟଙ୍କା କଟିବା ଦେଖି ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣାର ଖୋଳତାଡ଼ ପରେ ସନ୍ଦୀପ ଚୌଧୁରୀ ନାମରେ କେହି ବ୍ଲକରେ କୌଣସି କର୍ମଚାରୀ ନ ଥିବା ଜଣାପଡ଼ିଥିଲା।
ସେହିପରି ସେହି ନମ୍ବରରୁ ବନମାଳୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟ୍ୟକ୍ଷ କଲ୍ୟାଣ କୁମାର ପଣ୍ଡାଙ୍କ ପାଖକୁ ଅପରାହ୍ନ ପ୍ରାୟ ୨ଟାରେ ଫୋନ କଲ ଆସିଥିଲା। ମହାଦେବଙ୍କ ନୀତିପୂଜାରେ ବ୍ୟସ୍ତ ଥିବାରୁ ଶ୍ରୀ ପଣ୍ଡାଙ୍କ ପତ୍ନୀ ଫୋନ କଲ ରିସିଭ କରିଥିଲେ। ସମାନ ଢଙ୍ଗରେ ବ୍ଲକରୁ ବିଡ଼ିଓ କହୁଛି। କଲେଜ ପାଣ୍ଠିକୁ ସରକାରୀ ଟଙ୍କା ଆସିଛି। କଲେଜର କିଛି କର୍ମଚାରୀଙ୍କ ୟୋନୋ ନମ୍ବର ମାଗିଥିଲା। ଅଧ୍ୟକ୍ଷ କଲେଜର ଜଣେ କର୍ମଚାରୀଙ୍କୁ ସେହି ନମ୍ବର ଦେଇ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ବୁଝିବାକୁ କହିଥିଲେ। କର୍ମଚାରୀ ଜଣଙ୍କ କଥା ହେବା ପରେ ହଠାତ ବିଶ୍ୱାସ କରି ପାରି ନ ଥିଲେ ଏବଂ ଜଣେ ଅଧ୍ୟାପକଙ୍କ ୟୋନୋ ନମ୍ବର ଠକକୁ ଡାକି ଦେଇଥିଲେ। ୟୋନୋ ନମ୍ବର ଦିଆ ଯାଇଥିବା ଅଧ୍ୟାପକଙ୍କ ଫୋନକୁ ଠକ ସାଙ୍ଗେ ସାଙ୍ଗେ ଫୋନ କରି ଓଟିପି ନମ୍ବର ଡାକିବାକୁ କହିଥିଲା। ହେଲେ ଅଧ୍ୟାପକ ଓଟିପି ନମ୍ବର ଡାକି ନ ଥିଲେ। ଆକାଉଣ୍ଟକୁ ଟଙ୍କା ଛାଡିବାକୁ କହିବା ପରେ ଫୋନ କଟି ଯାଇଥିଲା। ସୌଭାଗ୍ୟ ବଶତଃ ଅଧ୍ୟାପକ ଠକାମୀରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସେହିପରି ବାଲିପାଟଣାସ୍ଥିତ ଶିଶୁ ଅନନ୍ତ କଲେଜ ଅଧ୍ୟ୍ୟକ୍ଷଙ୍କ ଫୋନକୁ କଲ ଆସିଥିଲା। ମାତ୍ର ଆକାଉଣ୍ଟ ବିବରଣୀ ଦେବାକୁ ରୋକ ଠୋକ ମନା କରିଦେଇଥିଲେ।

Share Now:

Kalinga News Beuro

Next Post

ଦୂଷିତ ଦୟାରେ ମରିଯାଉଛନ୍ତି ମାଛ : ଗଙ୍ଗୁଆ ଦୂଷିତ କରୁଥିଲା, ଏବେ ବୋମା ବିଷାକ୍ତ କରୁଛି

Sat Jun 29 , 2024
ଜଟଣୀ: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଡ୍ରେନ୍‌ ପାଣି ଗଙ୍ଗୁଆ ନାଳକୁ ଛଡ଼ାଯାଇଛି। ଏଥିରେ ସହରର ସମସ୍ତ ଦୂଷିତ ପାଣି ଓ ଆବର୍ଜନା ମିଶୁଛି। ଫଳରେ ଏହି ନାଳର ପାଣି ଯେଉଁଆଡ଼େ ଯାଉଛି, ବାଟଯାକ ଅଞ୍ଚଳକୁ ଦୂଷିତ କରୁଛି। ଗଙ୍ଗୁଆର ଜଳ କାରଣରୁ ଦୟାନଦୀର ଜଳ ମଧ୍ୟ ଦୂଷିତ ହେବାର ଲାଗିଛି। ଏଥିସହ ଏବେ ମାଛ ମାରିବାଲାଗି ବୋମାର ବ୍ୟବହାର ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଅସାମାଜିକ ଲୋକମାନେ ସହଜରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial