ବରମୁଣ୍ଡାରୁ ପଳାଶୁଣୀ ‘ନୋ ଓଭରଟେକ୍‌ ଜୋନ୍‌’

ଫ୍ଲାଏ ଓଭରରେ ଯିବାକୁ ପ୍ରସ୍ତାବ, ମାଲିକଙ୍କୁ ୫ ଦିନର ମହଲତ, ୭ରୁ ଜରିମାନା ଆଦା‌ୟ, ବସ୍‌ ଉପରେ କଡ଼ା ନଜର

ଭୁବନେଶ୍ୱର : ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତର ଅନ୍ୟତମ ପ୍ରମୁଖ କାରଣ ହେଉଛି ବସ୍‌ଗୁଡ଼ିକର ମନମୁଖୀ କାରବାର। ବିଶେଷକରି ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ବିଭିନ୍ନ ଛକରେ ବସ୍‌ଗୁଡ଼ିକ ମନଇଚ୍ଛା ଘଣ୍ଟା ଘଣ୍ଟା ଧରି ଅଟକି ରହିବା ଫଳରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏହାଦ୍ୱାରା ସାଧାରଣ ଲୋକ, ବାଇକ୍‌ ଆରୋହୀ ଓ ଟ୍ରାଫିକ୍‌ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ୁଛି। ତେଣୁ ଏହି ମନମୁଖୀ କାରବାରକୁ ଆଉ ବରଦାସ୍ତ କରାଯିବ ନାହିଁ। ନିୟମ ଖିଲାପ କଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଜି ବସ୍‌ ମାଲିକମାନଙ୍କୁ ନେଇ କମିସନରେଟ୍‌ ମୁଖ୍ୟାଳୟରେ ବସିଥିବା ଏକ ବୈଠକରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହା ସ୍ପଷ୍ଟ କରିଛନ୍ତି।
‌ବୈଠକରେ ମୁଖ୍ୟତଃ ୨ଟି ବିଷୟ ଉପରେ ଗୁରୁତ୍ତ୍ଵ ଦିଆଯାଇଥିଲା। ପ୍ରଥମଟି ହେଲା, ବରମୁଣ୍ଡାରୁ ପଳାଶୁଣୀ ‘ନୋ ଓଭରଟେକିଂ ଜୋନ୍‌’। ଅଧିକାଂଶ ସମୟରେ ଆଗୁଆ ପହଞ୍ଚିବା ପାଇଁ ବସ୍‌ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଗୋଟିଏ ବସ୍‌ ଅନ୍ୟଟିକୁ ଓଭରଟେକ୍‌ କରିବା ଫଳରେ ଟ୍ରାଫିକ୍‌ ସମସ୍ୟା ଦେଖାଯିବା ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ପାଲଟିଥାଏ। ତେଣୁ ସହର ମଧ୍ୟ ଦେଇ ଯାଇଥିବା ରାଜପଥ‌‌ରେ (ବରମୁଣ୍ଡାରୁ ପଳାଶୁଣୀ ମଧ୍ୟରେ) କୌଣସି ବସ୍‌ ଓଭରଟେକ୍‌ କରିବ ନାହିଁ।
ସେହିପରି ବସ୍‌ଗୁଡ଼ିକୁ ଫ୍ଲାଏ-ଓଭର୍‌ ଉପର ଦେଇ ନେବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ଏ କ୍ଷେତ୍ରରେ ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ନିଷ୍ପତ୍ତି ନେବାକୁ ମାଲିକମାନଙ୍କୁ କୁହାଯାଇଛି। ମାଲିକମାନେ ନିଜ ଭିତରେ ଆଲୋଚନା କରି ବସ୍‌ ରହଣି ଜାଗା ଚିହ୍ନଟ କରିବାକୁ କୁହାଯାଇଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ‌, ପଳାଶୁଣୀ କିମ୍ବା ଅନ୍ୟ କେଉଁ ସ୍ଥାନରେ ବସ୍‌ରେ ଚଢ଼ିବେ, ତାହା ବସ୍‌ ମାଲିକମାନେ ନିଜ ନିଜ ଭିତରେ ବିଚାରବିମର୍ଶ କରିବେ। ଯାତ୍ରୀମାନେ ବରମୁଣ୍ଡା କିମ୍ବା ପଳାଶୁଣୀ ଯାଇ ବସ୍‌ ଧରିବେ। ବରମୁଣ୍ଡାରୁ ପଳାସୁଣି ଭିତରେ ଦିନ କିମ୍ବା ରାତ୍ରିକାଳୀନ ବସ୍‌ ଫ୍ଲାଏ ଓଭର ତଳେ ଯିବ ନାହିଁ। ଏହା ବିଚାର କରି ମତାମତ ଦେବା ପାଇଁ ମାଲିକମାନଙ୍କୁ ୫ ଦିନର ମହଲତ ଦିଆଯାଇଛି। ସେମାନଙ୍କ ମତାମତ ଉପରେ ବିଚାରବିମର୍ଶ ହୋଇ ନିଷ୍ପତ୍ତି ନିଆଯିବ ବୋଲି ଯୋଜନା ହୋଇଛି। ଯେଉଁ ବସ୍‌ ନିଷ୍ପତ୍ତି ନ ମାନିବେ, ୭ ତାରିଖରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ବୈଠକରେ ଜଣାଇ ଦିଆଯାଇଥିଲା। ‌ବୈଠକରେ ଭୁବନେଶ୍ୱର ବସ୍‌ ମାଲିକ ସଂଘ, ରାଜଧାନୀ ଘ‌ରୋଇ ବସ୍‌ମାଲିକ ସଂଘ, ଲିଙ୍ଗରାଜ ବସ୍‌ ଓନର୍ସ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବରଦା ଆଚାର୍ଯ୍ୟ, ଲିଟୁ ଆଚାର୍ଯ୍ୟ ଓ ପଞ୍ଚୁ ଜେନା ପ୍ରମୁଖ ମାଲିକ ସଂଘ ପ୍ରତିନିଧିଙ୍କ ସହ ଟ୍ରାଫିକ୍‌ ଅତିରିକ୍ତ ଡିସିପି ଅମରେଶ ପଣ୍ଡା, ଏସିପି କିଶୋର ପାଣିଗ୍ରାହୀ ପ୍ରମୁଖ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବାଣୀବିହାରରେ ଚଢ଼ଉ କରି ବସ୍‌ଗୁଡ଼ିକରୁ ଜରିମାନା ଆଦାୟ କରାଯାଇଥିଲା। ଏହାକୁ ନେଇ ବସ୍‌ ମାଲିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଥିଲା। ଏଥିପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରିବା ପରେ ଚଢ଼ଉ କରିବାକୁ ସେମାନେ ଦାବି କରିବାରୁ ଆଜି ଏହି ସ୍ୱତନ୍ତ୍ର ବୈଠକ ବସିଥିଲା।

Share Now:

Kalinga News Beuro

Leave a Reply

Next Post

ଲକ୍ଷ୍ମୀସାଗରରେ ନକଲି ତେଲ କାରଖାନା, ୨ ହଜାର ଲିଟର ତେଲ ଓ ଘିଅ ଜବତ

Wed Sep 4 , 2019
ଭୁବନେଶ୍ୱର: ଦୋକାନରୁ ଯେଉଁ ଘିଅ ଓ ତେଲ କିଣୁଛନ୍ତି, ତାହା ଅସଲି ତ? ଡବା ଉପରେ ଲାଗିଥିବା ଲେବୁଲ୍‌ ମୁତାବକ ଭିତରେ ଥିବା ଜିନିଷ ଠିକ୍‌ ତ? ଲକ୍ଷ୍ମୀସାଗର ହାଉସିଂବୋର୍ଡ କଲୋନି‌‌ ଫେଜ୍‌-୧ରେ ଥିବା ଏକ ଆଜବେଷ୍ଟସ୍‌ ଘରୁ ଆଜି ୨ ହଜାର ଲିଟର (୮୮ଟିଣ) ନକଲି ଘିଅ/ତେଲ ଜବତ ହେବା ପରେ ରାଜଧାନୀବାସୀଙ୍କୁ ଏହି ପ୍ରଶ୍ନ ଏବେ ଦ୍ଵନ୍ଦରେ ପକାଇଛି। ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial