କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର: ବର୍ଷେ ନ ପୂରୁଣୁ ୨ ମାସର ଗର୍ଭବତୀ

ଭୁବନେଶ୍ୱର: ଦ୍ଵିତୀୟ ସନ୍ତାନ ଜନ୍ମ ହେବା ପରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତର କହିଥିଲେ ଏବେ ଗର୍ଭଧାରଣର ଭୟ ନାହିଁ। ମାତ୍ର ଅସ୍ତ୍ରୋପଚାରର ବର୍ଷେ ନ ପୂରୁଣୁ ମହିଳାଜଣକ ୨ ମାସର ଗର୍ଭବତୀ ହୋଇଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରର ଅଭିଯୋଗ ଆସିଛି କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ବିରୋଧରେ। ତେବେ କୌଣସି ପ୍ରକାରେ ଏହି ଘଟଣାକୁ ଚପାଇ ଦେବା ଲାଗି ସଂପୃକ୍ତ ମହିଳାଙ୍କୁ ଆସନ୍ତା ମଙ୍ଗଳବାର ଆସି ଡାକ୍ତରଙ୍କୁ ଭେଟିବା ଲାଗି କୁହାଯାଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନ ନରଣଗଡ଼ର ଅଞ୍ଜନା ହରିଚନ୍ଦନ ଗତବର୍ଷ ଫେବ୍ରୁଆରି ୯ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟରେ ପରିବାରଲୋକଙ୍କ ପକ୍ଷରୁ ତାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରିବା ପାଇଁ କୁହାଯାଇଥିଲା। ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହେବା ସହ ତାଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ପରେ ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ୨୨ ଶହ ଟଙ୍କା ମିଳିଥିଲା। କିନ୍ତୁ ଅଞ୍ଜନା ଏବେ ୨ ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମଧ୍ୟ ଗର୍ଭବତୀ ହେବାକୁ ନେଇ ଆଜି ଅଞ୍ଜନା ଓ ତାଙ୍କ ପରିବାରଲୋକ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହସ୍ପିଟାଲର ଉପରିସ୍ଥ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଜଣାଇଥିଲେ। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଅସ୍ତ୍ରୋପଚାରରେ କିଭଳି ତ୍ରୁଟି ହେଲା, ତାହାର ତଦନ୍ତ କରିବା ପରିବର୍ତ୍ତେ ତାଙ୍କୁ ଆଉ ଥରେ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। ଅଞ୍ଜନା କହିଛନ୍ତି, ସେ ନିଜର ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ପ୍ରସବ ବାବଦ ୧୫ ଶହ ଟଙ୍କା ଓ ଅସ୍ତ୍ରୋପଚାର ପାଇଁ ୨୨ ଶହ ଟଙ୍କା ତାଙ୍କୁ ମିଳିଥିଲା। ମାତ୍ର ଏବେ ଅଲଟ୍ରାସାଉଣ୍ଡ ପରେ ପୁନର୍ବାର ସେ ଗର୍ଭବତୀ ହୋଇଥିବା ଜଣାଯାଇଛି। ତେଣୁ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏଭଳି ଘଟିଛି। ଆସନ୍ତା ମଙ୍ଗଳବାର ହସ୍ପିଟାଲକୁ ଆସି ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ହସ୍ପିଟାଲର ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି। ତେଣୁ ଏଭଳି ତ୍ରୁଟି ପାଇଁ ତାଙ୍କୁ ସରକାରୀ ସହାୟତା ସହିତ କ୍ଷତିପୂରଣ ପ୍ରଦାନ କରିବାକୁ ଅଞ୍ଜନା ଦାବି କରିଛନ୍ତି। ‌ତେବେ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି। ଏ ସଂପର୍କରେ କିନ୍ତୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁରପକ୍ଷ୍ୟଙ୍କ ପକ୍ଷରୁ ବିଧିବଦ୍ଧ ସୂଚନା ମିଳି ନାହିଁ।

Share Now:

Kalinga News Beuro

Leave a Reply

Next Post

ଲଦାଖର୧୭ ହଜାର ଫୁଟ ଉଚ୍ଚତାରେ ଯବାନ ଉଡ଼ାଇଲେ ତ୍ରିରଙ୍ଗା

Sun Jan 26 , 2020
ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର ଯବାନ ମାନେ ୧୭ ହଜାର ଫୁଟ ଉଚ୍ଚରେ ଲଦାଖରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ଯବାନମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial