ବାହୁଡ଼ାରେ ଅଟକିଲେ ଶ୍ରୀଲିଙ୍ଗରାଜ :ପୁଣି ଛିଡି଼ଲା ଦଉଡି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତନ ପାଇଁ ରଥା ରୂଢ଼ ହୋଇ ଆସିଥିଲେ ମଧ୍ୟ ଗୋସାଗରେଶ୍ୱର ଛକଠାରେ ରଥ ଅଟକିଛି। ଆସନ୍ତା କାଲି ଅପରାହ୍ଣ ୩ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ଶୁକ୍ରବାର ପାରମ୍ପରିକ ରୀତିନୀତି ଅନୁଯାୟୀ ମହା ସମାରେହରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ଅନୁଷ୍ଠିତ ହେବ। ଅଶୋକାଷ୍ଟମୀ ତିଥିରେ ମହାପ୍ରଭୁ ଭଉଣୀ ରୁକ୍ମିଣୀ ଓ ଦୋଳ ଗୋବିନ୍ଦଙ୍କୁ ସାଙ୍ଗରେ ନେଇ ରାମେଶ୍ୱର ଯାତ୍ରା କରିଥିଲେ। ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତନ ପାଇଁ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଆଜି ଭୋର ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ରୁ ସକାଳ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧାଯାଇଥିଲା। ସେହିପରି ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ଅଧର ପଣା ଅନୁଷ୍ଠିତ ହୋଇଥିଲା। ଏହା ପରେ ଅପରାହ୍ଣ ସାଢ଼େ୨ଟାରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ପରେ ମହାପ୍ରଭୁ ରଥ ଉପରକୁ ବିଜେ ହୋଇଥିଲେ। ରଥରେ ଠାକୁରଙ୍କୁ ପୂଜା କରାଯାଇଥିଲା। ଚାରମାଳ ଖୋଲାଯାଇ ଅପରାହ୍ଣ ୪ଟା ୧୦ରେ ରଥ ଟଣା ଆରମ୍ଭ ହୋଇଥିଲା। ହର ହର ମହାଦେବ, ଜୟ ଶ୍ରୀଲିଙ୍ଗରାଜ, ଓଁ ନମଃ ଶିବାୟ, ହରିବୋଲ ହୁଳହୁଳି ସାଙ୍ଗକୁ ସମର୍ଥାଙ୍କ ଘଣ୍ଟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ରଥ ଦାଣ୍ଡ। ଅଧ୍ୟାତ୍ମିକ ପରିବେଶରେ ଆନନ୍ଦ ଉଲ୍ଲାସରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ଶତାଧିକ ଭକ୍ତ ଏଥିରେ ସାମିଲ ହୋଇଥିଲେ। ତିନି ମୁଣ୍ଡିଆ ଛକ ପୂର୍ବରୁ ଅସୁଲ କିଆରି ନିକଟରେ ସନ୍ଧ୍ୟା ହୋଇଯିବାରୁ ସାଢ଼େ ୬ଟା ୧୫ରେ ରଥ ଟଣା ବନ୍ଦ ରହିଥିଲା। ଆସନ୍ତା କାଲି ଅପରାହ୍ଣ ୩ଟାରେ ପୁଣି ରଥଟଣା କାର୍ଯ୍ୟ ସମ୍ପାଦନ ହେବବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ବି ଛିଣ୍ଡିଲା ଦଉଡ଼ି, ତଳେ ପଡ଼ିଲେ ଖରଡ଼ା ସେବାୟତ: ଆଜି ଅପରାହ୍ଣ ପ୍ରାୟ ୨ଟାରେ ରଥରେ ଘୋଡ଼ା ବନ୍ଧା ଚାଲିଥିବା ବେଳେ ଘୋଡ଼ାରେ ଥିବା ଦଉଡ଼ି ଛିଣ୍ଡି ପଡ଼ିଥିଲା। ଫଳରେ କରଡ଼ା ସେବାୟତ ଚାରାମାଳରେ ପଡ଼ି ଗଡ଼ି ଗଡ଼ି ତଳେ ପଡ଼ିଥିଲେ। କରଡ଼ା ସେବାୟତ କୁଶ ଭୋଇ ଏହି ଦଉଡ଼ି ବାନ୍ଧୁଥିଲେ। ସେ ସାମାନ୍ୟ ଆହତ ହୋଇଥିଲେ।

ବାହୁଡ଼ିଛି ରୁକୁଣା ରଥ। ଭକ୍ତଙ୍କ ଭାବପ୍ରବଣତାକୁ ସାଉଁଟି ସ୍ୱସ୍ଥାନ ଫେରିଛନ୍ତି ଶ୍ରୀଲିଙ୍ଗରାଜ। ହରହର ମହାଦେବ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଛି ସମଗ୍ର ଅଞ୍ଚଳ। ଦାୟିତ୍ୱ ନେବା ପରେ ନୂଆ ଡାହୁକ ବି ବାପାଙ୍କ କେଉଁ ଗୁଣରେ କମ୍‌ ନ ଥିବା ପ୍ରମାଣିତ କରିଛନ୍ତି। ଶେଷ ଦିନରେ ନୂଆ ଅଫର ଦେଇ ବେପାରୀ ବି ପୁରୁଣା ମାଲରୁ କିଛି ଖାଲି କରିଛନ୍ତି। ଘଟଣା-ଦୁର୍ଘଟଣା ଆଶଙ୍କାରେ ଥିବା ପୁଲିସ୍‌-ପ୍ରଶାସନ ବି ଆଶ୍ୱସ୍ତ ହୋଇଛି। ଶ୍ରୀଲିଙ୍ଗରାଜଙ୍କର ଏହି ପବିତ୍ର ବାହୁଡ଼ା ଯାତ୍ରାର ଏଭଳି କିଛି ଘଟଣାକୁ ନେଇ ଏଇ ସ୍ୱତନ୍ତ୍ର ଉପସ୍ଥାପନ:

ଏପାଖ ସେପାଖ
ପୁଲିସ୍‌ ମାଳମାଳ; ଭକ୍ତ କମ୍‌: ପବିତ୍ର ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ସଂଖ୍ୟା କମ୍‌ ଥିବା ଦେଖାଯାଇଛି। ଖାଲି ପୁଲିସ୍‌ ମାଳ ମାଳ ରହିଥିବା ପରିଲକ୍ଷିତ ହୋଇଛି। ଯେତିକି ଭକ୍ତ ଥିଲେ ସମସ୍ତେ ଲାଗିବା ପରେ ମଧ୍ୟ ରଥ ନ ଗଡ଼ିବାରୁ ପୁଲିସ୍‌ ରଥ ଭିଡ଼ିଛି। ପୂର୍ବରୁ ଦଳାଚକଟାର ଭୟରେ ଭକ୍ତଙ୍କୁ ରଥ ଟାଣିବା ପାଇଁ ସୁଯୋଗ କମ୍‌ ଦିଆଯାଉଥିବା ବେଳେ ଆଜି ପୁଲିସ୍‌ ଭକ୍ତଙ୍କୁ ନିମନ୍ତ୍ରଣ କରୁଥିବା ଦେଖାଯାଇଛି।

ସ୍ୱଚ୍ଛାସେବୀ ଉଭାନ୍‌: ରଥଟଣା ଦିନ ସ୍ୱେଚ୍ଛାସେବୀଙ୍କ ଭିଡ଼ ଜମିଥିଲା। କିଏ ପାଣି ବାଣ୍ଟୁଥିବା ବେଳେ କିଏ ଟିକେ ଖଣ୍ଡିଆ ହେଲେ ଷ୍ଟ୍ରେଚର୍‌ ଧରି ଆସୁଥିଲା। କାମ ହଉ କି ନ ହଉ ସଂସ୍ଥାର ବଡ଼ ବଡ଼ ବ୍ୟାନର୍‌ କିନ୍ତୁ ୩ କିଲୋମିଟର ଦୂରକୁ ଦିଶୁଥିଲା। ହେଲେ ବାହୁଡ଼ାରେ ସବୁ ଉଭାନ୍‌ ହୋଇ ଯାଇଥିଲେ। କେବଳ ପିଡ଼ିଏଚ୍‌ଆର୍‌ଆଇ ପକ୍ଷରୁ ଏକମାତ୍ର ଜଳସେବା ଶିବିର ଖୋଲାଥିଲା। ଦିଶିଲେନି ଠାକୁର: ଆଜି ରଥଦାଣ୍ଡରେ ଭକ୍ତଙ୍କ ସଂଖ୍ୟା କମ୍‌ ଥିଲା। ଯେତିକି ଆସିଥିଲେ ସେମାନେ ରଥ ଉପରେ ଟିକେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ମୁଣ୍ଡ ଟେକୁଥିଲେ। କିଏ ଛୋଟ ପିଲାଙ୍କୁ କାନ୍ଧରେ ବସାଉଥିବା ବେଳେ କିଏ ଗାଡ଼ି ଉପରେ ଛିଡ଼ା ହୋଇ ଦର୍ଶନ କରିବାକୁ ଉଦ୍ୟମ କରୁଥିଲା। ହେଲେ ରଥ ଉପରେ ସେବାୟତଙ୍କ ସଂଖ୍ୟାର ଅଧିକ ଥିବାରୁ ଠାକୁରଙ୍କୁ ଦର୍ଶନ ହୋଇ ପାରୁ ନଥିଲା ବୋଲି କିଛି ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ।
ଟିକେ ହାର୍ଡ ହଉ: ପୂର୍ବରୁ ବାପାଙ୍କ ସହ ବେଶ ସଫଳତାର ସହ ଡାହୁକ ଭାବରେ କାମ କରିଥିଲେ ମଧ୍ୟ ବିଭୂତିଙ୍କର ଏହା ଏକକ ଭାବରେ ଡାହୁକ ଦାୟିତ୍ୱ ତୁଲାଇବା ଥିଲା ପ୍ରଥମ ଅନୁଭୂତି। ତେବେ ଏଥିରେ ସେ ବେଶ ସଫଳ ହୋଇଥିଲେ। ରଥ ଟଣା ଆରମ୍ଭ ହେବା ପୂର୍ବରୁ ସେ ଡାକ ଦେଇଥିଲେ। ପ୍ରଥମ ପଦରେ ରଥ ଜାଗାରୁ ହଲିଲାନି। ଏଭଳି ୩ ଡାକ ମାରିଲେ ବିଭୂତି। ହେଲେ ରଥ ଗଡ଼ିଲାନି। ଭକ୍ତଙ୍କ ଭିଡ଼ରୁ କେତେକ ବଗୁଲିଆ ଭକ୍ତ ଡାକିଲେ ‘ନନା, ଟିକେ ହାର୍ଡ଼ ହଉ, ରଥ ଗଡ଼ିବ।’ ସତକୁସତ ୪ର୍ଥ ଡାକରେ ରଥ ଗଡ଼ିଲା। ତେବେ ଡାହୁକଙ୍କ ଏହି ହାର୍ଡ ଡାକ ପାଇଁ ମହିଳା ଭକ୍ତ କାନରେ ହାତ ଦେଇଥିଲେ।
ବାମ ଘୋଡ଼ା ଶୁଭ: ରଥ ଟଣା ଦିନ ରଥ ଉପରୁ ଡାହୁକ ପଡ଼ିଯାଇ ଆହତ ହୋଇଥିଲେ। ତାଙ୍କ ଜାଗାରେ ଆଜି ତାଙ୍କ ପୁଅ ବିଭୂତି ଡାହୁକ ଦାୟିତ୍ୱ ତୁଲାଇଥିଲେ। ଡାହାଣ ପଟ ଘୋଡ଼ାରୁ ଡାହୁକ ପଡ଼ି ଯାଇଥିବାରୁ ଆଜି ଡାହୁକ ବାମ ଘୋଡ଼ାରେ ବସିଥିବା ଦେଖାଯାଇଥିଲା। ଗଛରେ ଲାଗିଗଲା ରଥ: ରୁକୁଣା ରଥ ବାହୁଡ଼ୁଥିଲା। ଭାବପ୍ରବଣ ଭକ୍ତ ଭକ୍ତିରେ ଭିଜିଥିବା ବେଳେ ଶୃଙ୍ଖଳା ଆଣିବାର ବ୍ୟସ୍ତ ଥିଲା ପୁଲିସ୍‌। ରଥ ଗଡ଼ୁଥିଲା। ଗଡ଼ିବାର ମାତ୍ର ୪ ମିନିଟ ପରେ ବାମପଟେ ଥିବା ଏକ ବରଗଛ ବଡ଼ ଡାଳରେ ଲାଗି ଯାଇଥିଲା। ଦୀର୍ଘ ୨୫ ମିନିଟ ପରିଶ୍ରମ ପରେ ଗଛର ଡାଳ କଟା ଯାଇଥିଲା ଏବଂ ପୁଣି ଥରେ ରଥଗଡ଼ିବାକୁ ସକ୍ଷମ ହୋଇଥିଲା।
ଗୋଟିଏ ବାଟରେ ରଥ, ଗାଈ ଓ ଗାଡ଼ି: ରଥଯାତ୍ରାରେ ପୁଲିସ୍‌ ପ୍ରଶାସନର ଯେଭଳି ଶୃଙ୍ଖଳା ଥିଲା ବାହୁଡ଼ାରେ ସେପରି ତତ୍ପର ଦେଖାଯାଇ ନଥିଲା। ରଥଟଣା ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ସେଇ ବାଟ ଦେଇ ଗାଈ ଓ ଗାଡ଼ି ଚାଲୁଥିବା ଦେଖାଯାଇଥିଲା। କେବଳ ବାଇକ୍‌ କିମ୍ବା ଛୋଟମୋଟ ଗାଡ଼ି ନୁହେଁ, ଚାରିଚକିଆ ଗାଡ଼ି ମଧ୍ୟ ବିନ୍‌ଦାସ ଯାଉଥିଲା।
ସେଲ୍ଫି କର୍ଣ୍ଣର: ରଥ ଟଣା ପୂର୍ବରୁ ପୁଲିସ୍‌ କର୍ଡନ ଖାଲି କରିଥିଲା। ଭିତରେ ସାଧାରଣ ଭକ୍ତଙ୍କୁ ରହିବାକୁ ଦେଉ ନଥିଲା। ଖାଲି ହୋଇ ଯିବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ରଥ ଯେବେ ଯେବେ ରହୁଥିଲା ସେବେ ସେବେ ପୁଲିସ୍‌ ବାବୁମାନେ ରଥକୁ ବ୍ୟାକ୍‌ଗ୍ରାଉଣ୍ଡ କରି ସେଲ୍ଫି ଉଠାଉଥିଲେ। ରଥ କର୍ଡନକୁ ସେଲ୍ଫି କର୍ଣ୍ଣର କରିଥିଲେ।

Share Now:

Kalinga News Beuro

Leave a Reply

Next Post

ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ର ଭାଇଙ୍କୁ ଗୁଳିମାଡ଼

Thu Mar 29 , 2018
କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ୍‌ଙ୍କ ଭାଇ ତାହିରଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ମିଳିଥିବା ସୂଚନା ମୁତାବକ ଟେଣ୍ଡର କାରବାରକୁ ନେଇ ଗୁଳିମାଣ୍ଡ ହୋଇଥିବା ସୂଚନା ମିଳିଛି। ତାହିରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କଟକର ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial