ଗୋରୁ, ମେଣ୍ଢା, ଛେଳିଙ୍କ ଆଶ୍ରୟସ୍ଥଳୀ ପାଲଟିଛି ବାଲିପାଟଣା ତହସିଲ କ୍ୱାର୍ଟର୍ସ:ଉଦ୍‌ଘାଟନ ପରଠୁ ରହୁନାହାନ୍ତି କର୍ମଚାରୀ

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ତହସିଲ କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀଙ୍କ ରହିବା ଲାଗି ସରକାରୀ ଅର୍ଥରେ ନିର୍ମାଣ ହୋଇଛି କ୍ୱାଟର୍ସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରଠାରୁ ପ୍ରାୟ ୧୦ ବର୍ଷ ହେଲା କ୍ୱାଟର୍ସ ଗୁଡିକ ପରିତ୍ୟକ୍ତ ହୋଇପଡ଼ିଛି। ସରକାରୀ କର୍ମଚାରୀଙ୍କ ବଦଳରେ ଏହା ଗୋରୁ, ମେଣ୍ଢା, ଛେଳିଙ୍କ ଆଶ୍ରୟସ୍ଥଳ ପାଲଟିଛି। ବଡ଼ବଡ଼ିଆ ସରକାରୀ ଅଫିସର ଓ କର୍ମଚାରୀ ଗ୍ରାମାଞ୍ଚଳରେ ରହିବାକୁ ଯେ ପସନ୍ଦ କରୁନାହାନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ। ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀ ସେହି ଅଞ୍ଚଳରେ ରହି ଲୋକଙ୍କୁ ସେବା ଯୋଗାଇବା ପାଇଁ ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କ୍ୱାଟର୍ସ ନିର୍ମାଣ ହେଉଛି। ବାସ୍ତବରେ ତାହା କେତେ କାର୍ଯ୍ୟକାରୀ ହେଉଛି ଏହି ଘଟଣାରୁ ଜଳଜଳ ଦେଖାଯାଉଛି।
୨୦୦୯ ମସିହା ଜାନୁଆରି ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତହସିଲ କାର୍ଯ୍ୟାଳୟ ଗୃହ ଓ କ୍ୱାଟର୍ସ ନିର୍ମାଣ ଲାଗି ଶିଳାନ୍ୟାସ କରିଥିଲେ। ୨୦୧୧ ଜାନୁଆରି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ ମଧ୍ୟ କରିଥିଲେ। ୧୬ ଲକ୍ଷ ଟଙ୍କା ବ୍ୟୟରେ ଏହି କ୍ୱାଟର୍ସ ନିର୍ମାଣ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଚୀର ନିର୍ମାଣ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ସରକାରୀ ଅର୍ଥ ବ୍ୟୟ ହୋଇଛି। ହେଲେ ଦୁଃଖର ବିଷୟ ଉଦ୍‌ଘାଟନ ପରଠାରୁ କ୍ୱାଟର୍ସ ଗୁଡ଼ିକରେ ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ। ଫନି ବାତ୍ୟାରେ ଘରର ଅନେକ କ୍ଷତି ଘଟିଥିବା ବେଳେ କବାଟ, ଝରକା, ପାଚେରି ଭାଙ୍ଗି ଯାଇଛି। ଫଳରେ ଏହି ଘର ଗୁଡ଼ିକ ଖୋଲା ମେଲା ପଡ଼ିଛି। ସେଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି। କ୍ୱାଟର୍ସ ପରିସରରେ ରାତି ହେଲେ ମଦ ବୋତଲ ଗଡ଼ୁଛି। କ୍ୱାଟର୍ସ ଗୁଡ଼ିକ ସାପ, ବେଙ୍ଗ ଓ ମୂଷାଙ୍କ ସହିତ ବିଭିନ୍ନ ସରୀସୃପଙ୍କ ଆଶ୍ରୟସ୍ଥଳ ପାଲଟିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି କର୍ମଚାରୀ ନରହିବେ ତେବେ ସରକାର କାହିଁକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ? ବର୍ତ୍ତମାନ କ୍ୱାଟର୍ସ ଗୁଡ଼ିକରେ ରହିବ କିଏ? ନାଁ ଏହିପରି ପଡ଼ି ପଡ଼ି ଭୂତକୋଠି ପାଲଟିଯିବ। ତୁରନ୍ତ ଉକ୍ତ ସରକାରୀ କ୍ୱାଟର୍ସ ଗୁଡ଼ିକର ପୁନଃରୁଦ୍ଧାର କରାଯାଇ କର୍ମଚାରୀ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Leave a Reply

Next Post

ଡାକ୍ତରଙ୍କ ଲାଞ୍ଚ ନେବା ଘଟଣା ର ଭିଡ଼ିଓ ଭାଇରଲ,ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ

Sun Mar 15 , 2020
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫେଲ ମାରିଛି ୫ଟି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପତ୍ର ରେ ଡାକ୍ତର ଦସ୍ତଖତ କରିବାକୁ ନେଉଛନ୍ତି ଲାଞ୍ଚ। ଆଉ ଏହାର ଏକ ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରଲ ହୋଇଛି। ଡାକ୍ତର ସ୍ଥିତପ୍ରଜ୍ଞ ମହାନ୍ତି ଲୋକଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଦସ୍ତଖତ କରୁନାହାନ୍ତି। ପ୍ରତି ଦସ୍ତଖତ ପିଛା ୧୦୦ ଓ ୨୦୦ ଟଙ୍କା ନିଆଯାଉଛି। ଏହି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial