‘ତାଲା ବନ୍ଦ’କୁ ଅବମାନନା : ପୁଲିସ ନାକେଦମ୍‌

ପୋଲିସର କାମକୁ ସାଧାରଣରେ ପ୍ରଶଂସା

ଭୁବନେଶ୍ୱର : କରୋନା ଭୂତାଣୁ ବ୍ୟାପିବାରୁ ବର୍ତ୍ତିବା ପାଇଁ ‘ତାଲା ବନ୍ଦ’ ଘୋଷଣା କରାଯିବା ପରେ ଆଜିଠାରୁ କଟକଣା ଜୋରଦାର ହୋଇଛି। ହେଲେ ଅନେକ ଲୋକେ ଏହାକୁ ଅମାନ୍ୟ କରିଛନ୍ତି। ଆଜି ରାଜଧାନୀରେ ବିଭିନ୍ନ ସ୍ଥାନରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ଜନତା କର୍ଫ୍ୟୁରେ ରାସ୍ତାଘାଟ ଶୂନ୍‌ଶାନ୍‌ ଥିବା ବେଳେ ଆଜି ଅନେକ ସ୍ଥାନରେ ଲୋକେ ଗାଡ଼ି ଧରି ଭିଡ଼ ଜମାଇଥିଲେ। କମିସନରେଟ୍‌ ପୁଲିସର ନାକାବନ୍ଦୀକୁ ଅମାନ୍ୟ କରିବା ସହ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା। କେତେକ ଜାଗାରେ ଏଭଳି ଭିଡ଼ ହୋଇଥିଲା ଯେ, ପୁଲିସ ଅସହାୟ ହୋଇପଡ଼ିଥିଲା। ଅତି କମ୍‌ ସମୟରେ ଏତେ ସଂଖ୍ୟାରେ ଲୋକ ଜମା ହୋଇ ଯାଇଥିଲେ ଯେ, ପୁଲିସ କାହାକୁ ଯାଞ୍ଚ କରିବ କାହାକୁ ଛାଡ଼ିବ ସେ ନେଇ ନିଷ୍ପତ୍ତି ନେଇ ପାରି ନ ଥିଲା। ‘ତାଲା ବନ୍ଦ’ ଘୋଷଣା ଲୋକମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିବା କିଛି ସମୟ ପାଇଁ ଅନୁମେୟ ‌ହୋଇଥିଲା। ଜୟଦେବ ବିହାର, ରସୁଲଗଡ଼, ଏଜି ଛକ, କଳ୍ପନା ପ୍ରଭୃତି ପ୍ରମୁଖ ଛକରେ ଏଭଳି ପରିସ୍ଥିତି ସମ୍ଭାଳିବା ପୁଲିସ ପାଇଁ କାଠିକର ପାଠ ହୋଇଥିଲା। ଯଦିଓ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ପୁଲିସ କଠୋର ହୋଇ ନ ଥିଲା, ତଥାପି ବିନା କାରଣରେ ବାହାରକୁ ଆସିଥିବା ଅନେକ ଲୋକଙ୍କୁ ଆଗକୁ ଯିବାକୁ ନ ଦେଇ ଘରକୁ ଫେରାଇବାକୁ ସକ୍ଷମ ହୋଇଥିଲା। ଏହି ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଫୋର୍‌ ଲେନ୍‌ ରାସ୍ତାର ଦୁଇଟି ଲେନ୍‌ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ରାସ୍ତା ଖୋଳି ବ୍ୟାରିକେଡିଂ ବ୍ୟବସ୍ଥା କରିଛି। ୭ ଦିନ ପାଇଁ ଏହି ବ୍ୟାରିକେଡ୍‌ ରହିବ। ସୀମିତ ରାସ୍ତାରେ ଜରୁରୀକାଳୀନ ଗାଡ଼ି ଯିବାକୁ ଦିଆଯିବ। ସବୁ ରାସ୍ତାରେ ପୁଲିସ ଛିଡ଼ା ହେବ ନାହିଁ; ଫଳରେ କର୍ମଚାରୀଙ୍କ ସଂଖ୍ୟା କମିବ। ପୂର୍ବରୁ ଅସ୍ଥାୟୀ ବ୍ୟାରିକେଡ୍‌ ପଡ଼ିଥିବାରୁ ପୁଲିସ କର୍ମଚାରୀ ଦୂରରେ ଥିବା ବେଳେ ଚାଳକ ଏହାକୁ ଉଠାଇ ଚାଲି ଯାଉଥିଲା।
ତାଲା ବନ୍ଦ ଘୋଷଣା ପରେ ଆଜି ସକାଳୁ ପୁଲିସ ତତ୍ପର ହୋଇଥିଲା। ପଳାସୁଣି, ରସୁଲଗଡ଼, କଳ୍ପନା, ଗ୍ୟାରେଜ୍‌ ଛକ, ଏଜି, ରବୀନ୍ଦ୍ର ମଣ୍ଡପ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ପଟିଆ, ସିଆର୍‌ପି, ଓୟୁଏଟି, ବିମାନବନ୍ଦର ପ୍ରଭୃତି ଛକରେ ନାକାବନ୍ଦୀ କରିଥିଲା। ସକାଳେ ଡିସିପିଙ୍କ ଦାଇତ୍ୱରେ ଥିବା ଅତିରିକ୍ତ କମିସନର ଅନୁପ କୁମାର ସାହୁ ବିଭିନ୍ନ ପଏଣ୍ଟରେ ବୁଲି ଯାଞ୍ଚ ସ୍ଥିତି ପରଖିଥିଲେ। କେତେକ କର୍ମଚାରୀଙ୍କର ବେପରୁଆ କାର୍ଯ୍ୟକୁ ନେଇ ବିରକ୍ତ ହେବା ସହ ସେମାନଙ୍କୁ ତାଗିଦ୍‌ କରିଥିଲେ। ଏହି ସବୁ ସ୍ଥାନ ମଧ୍ୟରୁ ଏଜି, ଜୟଦେବ ବିହାର, କଳ୍ପନା ପ୍ରଭୃତି ଛକରେ ପୁଲିସ କର୍ମଚାରୀଙ୍କ ସହ ଲୋକମାନେ ପ୍ରବଳ ଯୁକ୍ତିତର୍କ କରିଥିଲେ। କେତେକ ପରିଚୟ ପତ୍ର ଦେଖାଇ ଯାଇଥିବା ବେଳେ କେତେକ ସ୍ୱାସ୍ଥ୍ୟଗତ କାରଣ ଦେଖାଇ ଖସି ଯାଇଥିଲେ। କିଏ ମିଛ କହୁଛି କିଏ ସତ କହୁଛି ଜାଣିବା କଷ୍ଟକର ଥିଲା। ବିଭିନ୍ନ ଜାଗାରେ ଏଥିପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଏଣୁ ପାସ୍‌ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଠାରୁ ଏହି କଟକଣା କଡ଼ାକଡ଼ି ହେବ ବୋଲି କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ଖୋର୍ଦ୍ଧାରେ ‘ତାଲା ବନ୍ଦ’: ସକାଳ ସାଢ଼େ ୬ ଟାରୁ ସାଢ଼େ ୯ ଓ ସଂଧ୍ୟା ୪ରୁ ୬ ଘରୁ ବାହାରିବାକୁ ଅନୁମତି

Tue Mar 24 , 2020
ସହରର ସମସ୍ତ ପ୍ରବେଶ ପଥରେ ନାକାବନ୍ଦୀ, ୬ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୩୦ ଅଧିକାରୀ ନିୟୋଜିତ ଖୋର୍ଦ୍ଧା: କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରାଯାଇଥିବା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ସମେତ ଦେଶର ୭୫ଟି ଜିଲ୍ଲାରେ ଲକ୍‌ ଡାଉନ୍ କରିବାକୁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ମଧ୍ୟ ଗୋଷ୍ଠୀଗତ ସଂକ୍ରମଣ ବ୍ୟାପିବା ସମ୍ଭାବନା ଥିବା ୫ଟି ଜିଲ୍ଲା ଓ ୭ଟି ସହରକୁ ସଂପୂର୍ଣ୍ଣ ତାଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial