୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ସିଲ୍‌

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିସନର ସିଲ୍‌ କରିଛନ୍ତି। କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଓ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆସନ୍ତା ରବିବାର ରଜ ପଡ଼ୁଥିବାରୁ ମଲ୍‌ ଓ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ରହିବାରୁ ବିଏମସି ପକ୍ଷରୁ ମାର୍କେଟ ବିଲ୍‌ଡିଂକୁ ସିଲ୍ କରାଯାଇଛି। ଏହି ସିଲ୍ ୭ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ହଜାର ହଜାର ଲୋକ ବିଭିନ୍ନ ଜିନିଷପତ୍ର କିଣିବା ଲାଗି ଭିଡ ଜମାଇବାରୁ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସମସ୍ତଙ୍କର ସୁରକ୍ଷା ଳାଗି ଏହି ପଦକ୍ଷେପ ନିଆଗଲା ବୋଲି ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ଜିନିଷପତ୍ର କିଣାକିଣି ସମୟରେ ମାର୍କେଟ ବିଲଡିଂରେ ବହୁ ଲୋକ ମାସ୍କ ପିନ୍ଧି ନ ଥିବା ସହିତ ସାମାଜିକ ଦୂରତା ବି ରଖୁ ନ ଥିବା ଅଭିଯୋଗ ହୋଇଥିଲା। ଏହାପରେ ବିଏମସି ଓ ବିଡିଏର ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରବଳ ଭିଡ଼ ଦେଖି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍କେଟ ବିଲ୍‌ଡିଂକୁ ୭ଦିନ ପାଇଁ ବିଏମ୍‌ସି ସିଲ୍‌ କରିଛି। ତେବେ କେତେକ ଦୋକାନୀ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ବ୍ୟବସାୟ ବନ୍ଦ ହେତୁ ସେମାନେ ବହୁ କ୍ଷତି ସହିଛନ୍ତି। ରଜରେ କିଛି ବ୍ୟବସାୟ ହେବ ବୋଲି ସେମାନେ ଆଶା ରଖିଥିଲେ। ମାତ୍ର ପ୍ରଶାସନ ନିଜ ଦାଇତ୍ୱ ଏଡାଇବାକୁ ଏଭଳି କରିଛି। ଭିଡ ନିୟନ୍ତ୍ରଣ ଓ ସାମାଜିକ ଦୂରତା ରକ୍ଷା କରିବା ଦାୟିତ୍ୱ ପୁଲିସ ଓ ପ୍ରଶାସନର। ମାତ୍ର ସେମାନେ ତାହା ନ କରି ଦୋକାନ ସିଲ୍ କରିଦେଲେ। ଆଜି ଭଦ୍ରକ ସହରରେ ବି ଅନେକ ଦୋକାନ ଓ ମଲ୍‌ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍‌ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍‌ ଭିତରୁ ଗ୍ରାହକଙ୍କୁ ବାହାର କରି ଦୋକାନଗୁଡିକୁ ପ୍ରଶାସନ ସିଲ୍‌ କରି ଦେଇଥିଲା। ଭଦ୍ରକ ମେଡିକାଲ ଛକରେ ଥିବା ଏମ ବଜାର, ବାଇପାସରେ ଥିବା ରିଲାଏନ୍‌ସ ସ୍ମାର୍ଟକୁ ପ୍ରଶାସନ ସିଲ୍‌ କରିବା ସହିତ କଚେରୀ ବଜାର ଓ ଅନ୍ୟ ବଜାର ଉପରେ ଚଢ଼ାଉ ଜାରି ରଖିଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ: ଜଣେ ହସ୍ପିଟାଲର ମହିଳା କର୍ମଚାରୀ, ଆରଜଣକ ନୟାପଲ୍ଲୀ ଅଞ୍ଚଳର ପୁରୁଷ

Fri Jun 12 , 2020
ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମସି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଆପୋଲୋ ହସ୍ପିଟାଲର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ ଅଛନ୍ତି। ତାଙ୍କର ଘର ଗଡ଼କଣା ଅଞ୍ଚଳରେ ବୋଲି ଜଣାଯାଇଛି। ଆଉ ଜଣେ ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷିୟ ପୁରୁଷ ଅଛନ୍ତି। ଜଣେ ନିକଟ ସଂପର୍କୀୟ ଆଗରୁ କରୋନା ପଜିଟିଭ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial