ସର୍ବକ୍ଷମା ଜରିମାନା କମାଇବାକୁ ତାଗିଦ:ଫାଇଲ୍‌ ଫେରାଇ ଦେଲେ ମୁଖ୍ୟଶାସନ ସଚିବ

ତିନି ପ୍ରକାରର ଯୋଜନା ହୋଇ ମାସକ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ, ବହୁତଳ ପ୍ରସାଦ ପାଇଁ ନିୟମ କୋହଳ ହେବନି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ରେଗୁଲାରାଇଜ୍‌ କରାଯିବ। ଯେତିକି ନିୟମ ଅଛି ତା’ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ୍‌ ଘର ରେଗୁଲାରାଇଜ୍‌ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ପ୍ରସ୍ତୁତି କମିଟି ଏନେଇ ରିପୋର୍ଟ ଦେବା ପରେ ସ୍କ୍ରୁଟିନି କମିଟି ଏହାକୁ ମଞ୍ଜୁର କରିଥିଲା। କିନ୍ତୁ ସ୍କ୍ରୁଟିନି କମିଟି ବର୍ଗଫୁଟ ପିଛା ଯେତିକି ଜରିମାନା ଆଦାୟ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ତାହାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରତ୍ୟାଖାନ କରିଦିଆଯାଇଛି। ନୂଆ ଦର ଧାର୍ଯ୍ୟ କରିବାକୁ ସ୍କ୍ରୁଟିନି କମିଟିକୁ କୁହାଯାଇଛି ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସ୍କ୍ରୁଟିନି କମିଟି ସର୍ବକ୍ଷମା ପାଇଁ ଜରିମାନା ମୂଲ୍ୟ ବହୁତ ଅଧିକ ରଖିଥିବାରୁ ମୁଖ୍ୟଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ୨୦୦୭-୦୮ରେ ବିଡିଏ ଆଣିଥିବା ସର୍ବକ୍ଷମା ଯୋଜନାରେ ବର୍ଗଫୁଟ ପିଛା ଜରିମାନା ଯେତିକି ଧାର୍ଯ୍ୟ ହୋଇଥିଲା ତା’ର ପ୍ରାୟ ତିନି ଗୁଣା ଏଥର ଧାର୍ଯ୍ୟ ହୋଇଥିଲା। ହେଲେ ଏତେ ଜରିମାନା ଧାର୍ଯ୍ୟ କଲେ ସର୍ବକ୍ଷମା ଯୋଜନା ଫେଲ୍‌ ମାରିଯିବାର ଆଶଙ୍କା ଥିବାରୁ ଏହାକୁ କମାଇବାକୁ ମୁଖ୍ୟ ଶାସନ ସଚିବ ତାଗିଦ୍‌ କରିଛନ୍ତି। ପୁଣି ଥରେ ରିପୋର୍ଟ ପ୍ରସ୍ତୁତ କରି ଆସିବାକୁ କହିଛନ୍ତି। ଏହାବ୍ୟତୀତ ପ୍ରତ୍ୟେକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗ୍ରାମାଞ୍ଚଳ, ବିଜ୍ଞପିତ ପରିଷଦ ଅଞ୍ଚଳ (ଏନ୍‌ଏସି), ମ୍ୟୁନିସପାଲଟି, ମହାନଗର ନିଗମ ରହୁଥିବାରୁ ଏହାକୁ ନଜରରେ ରଖି ୩ ପ୍ରକାରର ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଏହା ପ୍ରସ୍ତୁତ କରି କ୍ୟାବିନେଟ୍‌ରେ ପକାଇବାକୁ ଯୋଜନା ହୋଇଛି। ଏପରିକି ନଗର ଉନ୍ନୟନ ବିଭାଗ ଚଳିତ ମାସରେ ସର୍ବକ୍ଷମା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ଯୋଜନା କରିଛି। ଗ୍ରାମାଞ୍ଚଳ ପାଇଁ ସର୍ବକ୍ଷମାରେ ଗୋଟିଏ ପ୍ରକାରର ଜରିମାନା, ଏନ୍‌ଏସି ଓ ମ୍ୟୁନିସପାଲଟି ପାଇଁ ଗୋଟିଏ ମୂଲ୍ୟ ଏବଂ ମହାନଗର ନିଗମ ଅଞ୍ଚଳ ପାଇଁ ଅଲଗା ମୂଲ୍ୟ ଧାର୍ଯ୍ୟ କରିବାକୁ କୁହାଯାଇଛି। ଧାର୍ଯ୍ୟ ହେବାକୁ ଥିବା ଜରିମାନା ଯେପରି ସମସ୍ତେ ଦେଇପାରିବେ ଏବଂ ଅଧିକରୁ ଅଧିକ ଲୋକ ସାମିଲ୍‌ ହୋଇପାରିବେ, ଅଧିକ ବେଆଇନ ଘର ଆଇନସମ୍ମତ ହୋଇପାରିବ ସେହିଭଳି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ହୋଇଥିବା ଘର ପାଇଁ ବହୁତ କମ୍‌ ଜରିମାନା ଧାର୍ଯ୍ୟ ହେବ। ଏନ୍‌ଏସି ଓ ମ୍ୟୁନିସପାଲଟି ପାଇଁ ଏହାଠାରୁ ଟିକେ ଅଧିକ ଜରିମାନା ରହିବ। ମହାନଗର ନିଗମରେ ଗତ ଥର ଅପେକ୍ଷା ପ୍ରାୟ ଦୁଇଗୁଣା ଜରିମାନା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସହରାଞ୍ଚଳରେ ଜମି ମୂଲ୍ୟ ଅଧିକ ବଢ଼ି ଯାଇଥିବାରୁ ଜରିମାନା ସେହି ଅନୁଯାୟୀ ଧାର୍ଯ୍ୟ କରିବାକୁ କୁହାଯାଇଛି।

ଗୋଟିକିଆ ଘର ପାଇଁ ସର୍ବକ୍ଷମାରେ କୋହଳ ନୀତି ଆପଣାଯିବ। ଯଦି ଘର ନିର୍ମାଣ ସମୟରେ ଚାରିକଡ଼େ କିଛି ସ୍ଥାନ ଛାଡ଼ି ନଥିବେ ତେବେ ତାଙ୍କଠାରୁ ସର୍ବକ୍ଷମାରେ ଜରିମାନା ନେଇ ପ୍ଲାନ୍‌ ଦିଆଯିବ। କିନ୍ତୁ ବହୁତଳ ପ୍ରସାଦ/ଆପାର୍ଟମେଣ୍ଟ ଆଦି କ୍ଷେତ୍ରରେ ନିୟମ କୋହଳ କରାଯିବନି। ଏଠାରେ ଚାରି ପାର୍ଶ୍ୱରେ ଯେତିକି ଜମି ଛାଡ଼ିବାକୁ ଧାର୍ଯ୍ୟ ହୋଇଛି ସେତିକି ଛାଡ଼ି ନଥିଲେ ସର୍ବକ୍ଷମାରେ ସାମିଲ୍‌ କରାଯିବନି। ଏଠାରେ କେବଳ ପ୍ଲାନ୍‌ଠାରୁ ଅଧିକ ଉଚ୍ଚତା ବା ଅଧିକ ଘର ନିର୍ମାଣ ହୋଇଥିଲେ ଛାଡ଼୍‍ ଦିଆଯାଇପାରେ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସର୍ବକ୍ଷମା ଯୋଜନାରେ ତିନି ପ୍ରକାରର ନିର୍ମାଣକୁ ରେଗୁଲାରାଇଜ୍‌ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଯେଉଁ ଅଞ୍ଚଳରେ ପ୍ଲାନ୍‌ ଦିଆଯାଉଛି ସେହି ଅଞ୍ଚଳରେ ହୋଇଥିବା ବେଆଇନ୍‌ ନିର୍ମାଣକୁ ସାମିଲ୍‌ କରାଯିବ। ଯେଉଁମାନେ ବିନା ପ୍ଲାନ୍‌ରେ ଘର ନିର୍ମାଣ କରିଛନ୍ତି, ଯେଉଁମାନେ ଅନୁମୋଦିତ ପ୍ଲାନ୍‌ଠାରୁ ଅଧିକ ନିର୍ମାଣ କରିଛନ୍ତି ଏବଂ ଆବାସିକ ପ୍ରକଳ୍ପ ପ୍ଲାନ୍‌ରେ ଘର ନିର୍ମାଣ କରି ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସେମାନଙ୍କୁ ସର୍ବକ୍ଷମାରେ ସାମିଲ୍‌ କରାଯିବ। ଏହା ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଲାଗୁ ହେବ।
ସୂଚନାଯୋଗ୍ୟ ଯେ, ୨୦୦୭-୦୮ରେ ପ୍ରଥମ ସର୍ବକ୍ଷମା ଯୋଜନା ଆସିଥିଲା। ଏହା ବିଡିଏ ଓ ସିଡିଏ ଅଞ୍ଚଳରେ ଲାଗୁ ହୋଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହା ଅଣାଯାଇଥିଲା ତାହା ସଫଳ ହେଲାନି। ବିଡିଏରେ ପ୍ରାୟ ୪ହଜାର ଜଣ ଆବେଦନ କରିଥିବାବେଳେ ଏଥିରୁ ବିଡିଏ ପ୍ରାୟ ୧୮କୋଟି ରାଜସ୍ୱ ପାଇଥିଲା। ସେତେବେଳେ ସର୍ବକ୍ଷମା ଯୋଜନା ଉଦ୍ଦେଶ୍ୟ ସାଧିତ ହେଲାନି ବୋଲି ବିଡିଏ ପକ୍ଷରୁ କୁହାଯାଇଥିଲା। ୨୦୦୭ ମସିହାରେ କେବଳ ଅନୁମୋଦିତ ପ୍ଲାନ୍‌ ଓ ବିନା ପ୍ଲାନ୍‌ ଘର ନିର୍ମାଣକୁ ସର୍ବକ୍ଷମାରେ ସାମିଲ୍‌ କରାଯାଇଥିଲା। ତାହା ପୁଣି ବହୁ ସର୍ତ୍ତ ରଖି। ସେତେବେଳେ ଯିଏ ପାଇଥିବା ପ୍ଲାନ୍‌ଠାରୁ ଅଧିକ ନିର୍ମାଣ କରିଥିଲେ ସେମାନଙ୍କଠାରୁ ବର୍ଗଫୁଟ ପିଛା ୨୫ଟଙ୍କା, ଆପାର୍ଟମେଣ୍ଟ, ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଘରୁ ବର୍ଗଫୁଟ ପିଛା ୧୦୦ଟଙ୍କା ଆଦାୟ ହୋଇଥିଲା। ଯେଉଁଗୁଡ଼ିକ ବିନା ପ୍ଲାନ୍‌ରେ ନିର୍ମାଣ ହୋଇଥିଲା ସେଥିରୁ ଯଥାକ୍ରମେ ୫୦ ଓ ୨୦୦ଟଙ୍କା ଆଦାୟ ହୋଇଥିଲା। ଫଳରେ ଏତେ ଟଙ୍କା ଦେଇ ଲୋକ ରେଗୁଲାରାଇଜ୍‌ କରିବାକୁ ପସନ୍ଦ କରି ନଥିଲେ।

Share Now:

Kalinga News Beuro

Leave a Reply

Next Post

କମିଲା ଦାରିଦ୍ର୍ୟ ,ବଢ଼ିଲା ଆୟ:ମୁଖ୍ୟମନ୍ତ୍ରୀ

Mon Apr 2 , 2018
ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ ଭୁବନେଶ୍ୱର : ୧୯୩୬ରୁ ୨୦୧୮ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଗରିବି କମିଛି। ମୁଣ୍ଡ ପିଛା ଆୟ ବଢ଼ିଛି। ଗରିବ ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଦର୍ଶ ରାଜ୍ୟ ହୋଇପାରିଛି। କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଆଜି ଉତ୍କଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial