ରାଜଧାନୀର ୧୦ରୁ ଅଧିକ ବସ୍ତିକୁ ମାଡ଼ି ଗଲାଣି କରୋନା

ଦିନକରେ ୧୬ ପଜିଟିଭ୍ ଚିହ୍ନଟ, ସ୍ଥାନୀୟ ସଂକ୍ରମିତଙ୍କୁ ନେଇ ଚିନ୍ତା ବଢ଼ିଲା

ଭୁବନେଶ୍ୱର : ରାଜଧାନୀର ୧୦ରୁ ଅଧିକ ବସ୍ତିକୁ ମାଡ଼ି ଗଲାଣି କରୋନା। ପ୍ରତ୍ୟେକ ଦିନ ରାଜଧାନୀର କୌଣସି ନା କୌଣସି ବସ୍ତିରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପରିସ୍ଥିତି ଏପରି ହେଲାଣି, ସହରାଞ୍ଚଳରେ ଗୃହ ସଙ୍ଗରୋଧ ବ୍ୟବସ୍ଥା ଥିଲେ ମଧ୍ୟ ବସ୍ତି ଅଞ୍ଚଳରେ ବିଏମ୍‌ସି ସରକାରୀ ସଙ୍ଗରୋଧ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛି। ଏପରିକି ସୁସ୍ଥ ହେଲେ, ସେମାନଙ୍କୁ ଟ୍ରାଞ୍ଜିଟ୍ ହୋମ୍‌ରେ ରଖିବା ଲାଗି ନିଷ୍ପତ୍ତି ନେଇଛି। ‌ତେବେ ରାଜଧାନୀରେ ୪ଶହରୁ ଅଧିକ ବସ୍ତି ଥିବା ବେଳେ ବେଳକୁ ବେଳ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ମୁମ୍ବାଇର ଧାରାବି ଭଳି ପରିସ୍ଥିତି ନେଇ ଆଶଙ୍କା ସୃଷ୍ଟି କଲାଣି। ଭୁ‌ବନେଶ୍ୱରରେ ଏ ପର୍ଯ୍ୟନ୍ତ ସାଲିଆ ସାହି, ନୀଳଚକ୍ରନଗର ବସ୍ତି, ସୁବାସ ନଗର ବସ୍ତି, ବିଶ୍ୱେଶ୍ୱର ବସ୍ତି, ମୁଣ୍ଡା ସାହି, ହାଡ଼ବାଇ ବସ୍ତି, ଚିର‌ଗାଲଟୋଲା ବସ୍ତି, ମଞ୍ଚେଶ୍ୱର ଆଦିବାସୀ ବସ୍ତି, ଗାଡ଼କଣ ମହିମାନଗର ବସ୍ତି, ମେ’ ଫେୟାର ପଛପଟ ବସ୍ତି ଭଳି ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ଚିହ୍ନଟ ହୋଇଥିବା ୧୬ ପଜିଟିଭ୍‌ଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ସୁନ୍ଦରପଦା ଅଭିରାମ ବସ୍ତିର ରହିଛନ୍ତି। ବସ୍ତି ଅଞ୍ଚଳରେ ବିଏମ୍‌ସି ଯାଞ୍ଚ କରୁଥିବା କହୁଥିଲେ ହେଁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ଚିହ୍ନଟ ୧୬ପଜିଟିଭ୍‌ଙ୍କ ମଧ୍ୟରେ ୨ ଗୃହ ସଙ୍ଗରୋଧ ଓ ୧୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯଦୁପୁର ବେଗୁନିଆ ମସଜିଦ୍‌ ନିକଟରେ କୋଲକାତା ଫେରନ୍ତା ୩୫ବର୍ଷର ପୁରୁଷ, ୟୁନିଟ-୮ ଡେଲଟା କଲୋନି ଅଞ୍ଚଳର ବିଜୟୱାଡ଼ାରୁ ଫେରିଥିବା ୨୧ବର୍ଷର ମହିଳା ଗୃହ ସଙ୍ଗରୋଧ ରହିଥିଲେ। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରପଦାର ଅଭିରାମ ବସ୍ତିର ୫୦ବର୍ଷର ମହିଳାଙ୍କୁ ବାଦ୍ ଦେଲେ ପୁରୁଣା ଭୁବନେଶ୍ୱର ମହବାତ ରୋଡ୍‌ର ୬୧ବର୍ଷର ପୁରୁଷ, ଘରୋଇ ହସ୍ପିଟାଲର ୯ଜଣ କର୍ମଚାରୀ, ବରମୁଣ୍ଡା ବିଡିଏ କଲୋନିରୁ ୨ଜଣ ଓ ଝାରପଡ଼ା ଜେଲ ନିକଟରେ ୪୭ବର୍ଷର ପୁରୁଷ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ଲମ୍ଫ ଦେଇ ୨୭୪ରେ ପହଞ୍ଚିଛି। ତହିଁରୁ ୧୩୮ଜଣ ସୁସ୍ଥ ହୋଇସାରିଥିବା ‌ବେଳେ ୧୩୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ଗତ କିଛି ଦିନ ଧରି ରାଜଧାନୀରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି। ଗତ ୨୧ଦିନ ଭିତରେ ୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ କରାଗଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଯାତ୍ରା ଇତିହାସ ନଥିବା ବେଳେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ତେଣୁ ବସ୍ତିରେ ଯେ ସଂକ୍ରମଣ ମାଡ଼ି ଚାଲିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି।

Share Now:

Kalinga News Beuro

Next Post

ଚୀନ୍ ଆଡ଼କୁ ମୁହାଁଇଲେ ଆମେରିକା ସେନା

Sat Jun 27 , 2020
ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରୁଛି ଆମେରିକା:ଚୀନ୍‌ର ମୁକାବିଲା ପାଇଁ ସେନା ମୁତୟନ କରିବ ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲୱାନ ଘାଟିରେ ଗତ ୧୫ ତାରିଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ‌ଦୁଇ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍‌ଏସି ନିକଟରେ ସେନା ମୁତୟନ ବଢ଼ାଇବାରେ ଲାଗିଛନ୍ତି। ଭାରତ ଓ ଚୀନ ମଧ୍ୟରେ ହୋଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial