କୋର୍ଟ ଯିବେ ଉନ୍ମୟଙ୍କ ପରିବାର: କୁଆଖାଇ ନଦୀପଠାରୁ ଯୁବକଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା

ଆସିଲା ଫରେନ୍‌ସିକ୍‌ ରିପୋର୍ଟ, ଲାପଟପ୍‌ରୁ ଭିଡିଓ ଡିଲିଟ୍‌ କରାଯାଇଛି

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦପୀଠାରେ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣାକୁ ଦୁଇ ସପ୍ତାହ ହୋଇ ଗଲା। କିନ୍ତୁ ପୁଲିସ ଏଯାଏ ଏହି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିଲା ନାହିଁ। ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉନ୍ମୟଙ୍କ ବଡ଼ ଭାଇ ଚିନ୍ମୟ। କହିଛନ୍ତି ଖୁବ୍‌ ଶୀଘ୍ର ସେ ହାଇକୋର୍ଟର ଦ୍ୱାରସ୍ଥ ହେବେ। ପୁଲିସ ଯେହେତୁ ଉନ୍ମୟ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇ ପାରୁନାହିଁ ତେଣୁ ଘଟଣାର ପର୍ଦାଫାସ କରିବାକୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରି ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯିବ।

ଅନ୍ୟପକ୍ଷରେ ଉନ୍ମୟଙ୍କ ମୃତଦେହ ନିକଟରୁ ଜବତ କରିଥିବା ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ ପେନ୍‌ ଡ୍ରାଇଭକୁ ପୁଲିସ ସାଇଣ୍ଟିଫିକ୍‌ ଯାଞ୍ଚ ପାଇଁ ଫରେନସିକ୍‌ ଲାବୋରୋଟାରିକୁ ପଠାଯାଇଥିଲା। ଆଜି ସେଗୁଡ଼ିକର ରିପୋର୍ଟ ଆସିଛି। ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି, ରିପୋର୍ଟରେ ଉଲ୍ଲେଖ କରାଯାଇଛି କି ଲାପଟପ୍‌ରେ ଥିବା କେତେକ ଗୁରୁତ୍ୱପୂର୍ଣ ତଥ୍ୟ, ଏପରିକି ଭିଡିଓ ଓ ଫଟୋ ଡିଲିଟ୍‌ କରାଯାଇଛି। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କେହି ଉନ୍ମୟଙ୍କୁ ସେହି ନଦୀପଠାକୁ ଡକାଇ ତାଙ୍କ ଲାପଟପ୍‌ରେ ଥିବା ଭାଇରାଲ ଭିଡିଓକୁ ଡିଲିଟ୍‌ କରିବା ପରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛିି।

ଉନ୍ମୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି, କମିସନରେଟ୍‌ ପୁଲିସ କେବଳ ଉନ୍ମୟ ହତ୍ୟାକାଣ୍ଡ କାହିଁକି, ଏକାଧିକ ହତ୍ୟା ଘଟଣା ଉପରୁ ପରଦା ଉଠାଇବାରେ ଅସମର୍ଥ। ଘଟଣାକୁ ଦୁଇ ସପ୍ତାହ ହୋଇ ଯିବ ପୁଲିସ କ’ଣ ତଦନ୍ତ କରୁଛି ଏହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଉନ୍ମୟଙ୍କ ମୃତ୍ୟୁର ଦୁଇ ଦିନ ପୂର୍ବରୁ ତାଙ୍କ ଜିପିଏଫ୍‌, ଇପିଏଫ୍‌ ଓ ବ୍ୟାଙ୍କ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଉଠିଥିଲା। ସେହି ଟଙ୍କା ଏବେ କାହା ପାଖରେ ? ପୁଲିସ ଏତିକି ତଦନ୍ତ କରି ପାରିନାହିଁ। ଦ୍ୱିତୀୟ କଥା, ଯୁବତୀ ଜଣକ ଅଭିଯୋଗ କରି ଆସୁଥିଲେ, ଉନ୍ମୟ ହିଁ ଭିଡିଓ ଭାଇରାଲ କରୁଛନ୍ତି ବୋଲି। ତେବେ ଉନ୍ମୟଙ୍କ ମୃତ୍ୟୁ ପରେ ଗୋଟିକ ପରେ ଗୋଟିଏ ଭିିଡିଓ କିଏ ସୋସିଆଲ ମିଡିଆରେ ଭାଇରାଲ କରୁଛି ? ତାକୁ ମଧ୍ୟ ପୁଲିସ ଏଯାଏ ଖୋଜି ପାରୁନାହିଁ। ଯୁବତୀ ଜଣକ ମଧ୍ୟ ଏ ନେଇ ଗତକାଲି କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ନିଜେ ଯୁବତୀ ଜଣକ ମଧ୍ୟ ସନ୍ଦେହରେ କିଏ ତାଙ୍କର ଭିଡିଓ ଭାଇରାଲ କରୁଛି। ପୁଲିସ ନା ଭାଇରାଲ ଭିଡିଓ ବନ୍ଦ କରିବାରେ ସଫଳ ହୋଇଛି ନା କାହାକୁ ଗିରଫ କରି ପାରିଛି।

ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଦୁଇ ଦିନ ତଳେ ଉନ୍ମୟ ମୃତ୍ୟୁ ଘଟଣାର ସମୀକ୍ଷା ବୈଠକ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ପେସାଲ୍‌ ସ୍କ୍ଵାଡ୍‌ର ଅଧିକାରୀ ଓ ତଦନ୍ତକାରୀ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଖୁବ୍‌ ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା :ଡୋପିଂ ଅଭିଯୋଗକୁ ଅସ୍ୱୀକାର

Tue Apr 3 , 2018
ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରୀଡ଼ାଗ୍ରାମରେ ସୋମବାର ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏକ ନିରାଡମ୍ବର ଉତ୍ସବରେ ଏହି ପାରମ୍ପରିକ କାର୍ଯ୍ୟ ସମାପନ ହୋଇଥିଲା। ୫ ଥର ବିଶ୍ୱ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ ଏହି ଅବସରରେ ମନଖୋଲି ନାଚୁ ଥିବାର ଦେଖିବାକୁ ମିଳିଥିଲା। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ଜାଭେଲିନ୍‌ ଖେଳାଳି ନୀରଜ ଚୋପ୍ରା ସାଥୀ ଖେଳାଳିଙ୍କ ସହ ପ୍ରମୁଖ ଫଟୋ ଉଠାଇ ନିଜ ଉତ୍ସାହର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial