ବିସ୍ଫୋରଣର କାରଣ ଅସ୍ପଷ୍ଟ ,ଶୋକ ବ୍ୟକ୍ତ କଲେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍ମାନେ କହିଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୭୮ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ୪୦୦୦ରୁ ପାଖାପାଖି ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଜାଣି ପାରୁ ନ ଥିବା କଥା ଲେବାନୀୟ ସରକାରୀ ଅଧିକାରୀମାନେ କହୁଥିବା ବେଳେ ସେ କାହିଁକି ଏହାକୁ ଦୁର୍ଘଟଣା ନୁହେଁ, ଆକ୍ରମଣ ବୋଲି କହୁଛନ୍ତି ବୋଲି ଟ୍ରମ୍ପ୍ଙ୍କୁ ପଚରା ଯାଇଥିଲା। ହ୍ବାଇଟ୍ ହାଉସ୍ରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଲେ, ବିସ୍ଫୋରଣଭିତ୍ତିକ ହୋଇଥିବାରୁ ସେମିତି ଜଣାପଡୁଛି। ଆମର ବଡ଼ ବଡ଼ ଜେନେରାଲ୍ମାନଙ୍କୁ ଭେଟିଥିଲି। ତାହା ଆକ୍ରମଣ ସଦୃଶ ବୋଲି ସେମାନଙ୍କର ମନେହେଉଛି। ଏହା କୌଣସି କାରଖାନା ବିସ୍ଫୋରଣ ଘଟଣା ଭଳି ନୁହେଁ। ସେମାନେ ଭାବୁଛନ୍ତି ଏଇଟା ଆକ୍ରମଣ। ହଁ, ତାହା କୌଣସି ପ୍ରକାର ବୋମା। ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଟ୍ରମ୍ପ୍ ଶୋକ ବ୍ୟକ୍ତ କରିବା ସହ ଯୁକ୍ତରାଷ୍ଟ୍ର ଆମେରିକା ଲେବାନନ୍କୁ ସହାୟତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସେ ପୁଣି କହିଲେ, ଏଇଟା ଭୟାବହ ଆକ୍ରମଣ ପରି ଦିଶୁଛି।

ବିସ୍ଫୋରଣ ଯୋଗୁଁ ବନ୍ଦରର ଅଧିକାଂଶ ଅଂଶ ଧରାଶାୟୀ ହୋଇଛି। ଏଥିଯୋଗୁଁ ସମଗ୍ର ରାଜଧାନୀରେ କୋଠାବାଡ଼ି ନଷ୍ଟ ହେବା ସହ ଗୋଟାଏ ପ୍ରକାଣ୍ଡ ଛତୁ ଆକୃତିର ଧୂଆଁ ଆକାଶକୁ ଉଠିଥିଲା।
ଲେବାନୀୟ ରାଷ୍ଟ୍ରପତି ମାଇକେଲ୍ ଆଉନ୍ ଦେଶର ‘ସର୍ବୋଚ୍ଚ ପ୍ରତିରକ୍ଷା ପରିଷଦ୍’ର ଜରୁରୀ ବୈଠକ ଡକାଇଛନ୍ତି। ପ୍ରଧାନମନ୍ତ୍ରୀ ହସନ୍ ଦିଆବ ବୁଧବାରକୁ ଶୋକ ଦିବସ ଭାବେ ଘୋଷଣା କରିଛନ୍ତି।