ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ

ଚୀନ୍‌-ପାକିସ୍ତାନ ସହ ସମରାଭ୍ୟାସ କରିବ ଭାରତ

ଗଲୱାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌

ନୁଆଦିଲ୍ଲୀ: ଆସନ୍ତା ମାସରେ ରୁଷିଆ ଦ୍ବାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନୀ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି। ସମ୍ପ୍ରତି ଚୀନ୍‌ ସହ ସୀମାରେ ଉତ୍ତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ ରହି ଆସିଥିବା ବେଳେ ଏ ପ୍ରକାର ସମ୍ମିଳିତ ସମରାଭ୍ୟାସ ଚର୍ଚ୍ଚାର ବିଷୟ ହୋଇଛି। ସେପ୍ଟେମ୍ବର ୧୫ରୁ ୨୬ ତାରିଖ ଯାଏ ଦକ୍ଷିଣ ରୁଷିଆର ଆଷ୍ଟ୍ରାଖାନ୍‌ ଅଞ୍ଚଳରେ ହେବାକୁ ଥିବା ଏହି ‘କାଉକାଜ୍‌-୨୦୨୦’ ନାମକ ରୁଷୀୟ ସମରାଭ୍ୟାସରେ ଭାରତ ପକ୍ଷରୁ ୨୦୦ ଜଣ ସାମରିକ ଅଧିକାରୀ ଓ ସୈନିକ ଯୋଗଦେବେ ବୋଲି ଜଣାଯାଇଛି। ତେବେ ସାମ୍ପ୍ରତିକ ସ୍ଥିତିରେ ଚୀନ୍‌ ସୈନିକଙ୍କ ସହ ମିଶି କୌଣସି ସମରାଭ୍ୟାସ କରିବା ଘଟଣାକୁ ଅନେକ ନାପସନ୍ଦ କରୁଥିବା ବେଳେ ଆମ ଯବାନମାନେ କେବଳ ଚୀନୀ କି ପାକିସ୍ତାନୀ ସୈନିକଙ୍କ ସହ ଅନୁଭୂତି ବାଣ୍ଟିବାକୁ ଯାଉନାହାନ୍ତି ବୋଲି ଜଣେ ଭାରତୀୟ ସେନାଧିକାରୀ କହିଛନ୍ତି। ଅଧିକନ୍ତୁ ଅତି କମ୍‌ରେ ୧୮ଟି ଦେଶ ଭାଗ ନେଉଥିବା ରୁଷିଆର ଏହି ସମରାଭ୍ୟାସକୁ ସାଂଘାଇ ସହଯୋଗ ସଂସ୍ଥାନ(ଏସ୍‌ସିଓ)ର ସଦସ୍ୟ ହିସାବରେ ଆମେ ନିମନ୍ତ୍ରଣ ରକ୍ଷା କରି ଯାଉଛୁ ବୋଲି ସେ କହିଛନ୍ତି।
ଗଲୱାନ ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ: ଚୀନ୍‌
ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକାରେ ଗତ ଜୁନ୍‌ ୧୬ରେ ଚୀନୀ ସେନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘଟିତ ରକ୍ତାକ୍ତ ସଂଘର୍ଷ ଯେଉଁଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ, ତାହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଥିଲା। ଚୀନ୍‌ କି ଭାରତ କେହି ବି ଏପରି ଅଘଟଣ ଚାହୁନଥିଲେ କି ଚାହିବେନାହିଁ ମଧ୍ୟ। ତେବେ ଦୁଇ ପଡ଼ୋଶୀ ଦେଶର ସମ୍ପର୍କକୁ ତିକ୍ତ କରିଦେଇଥିବା ଏହି ଅଘଟଣ ଇତିହାସର ଏକ ସଂକ୍ଷିପ୍ତ ମୁହୂର୍ତ୍ତ ବୋଲି ଭାରତରେ ଅବସ୍ଥାପିତ ଚୀନୀ ରାଷ୍ଟ୍ରଦୂତ ସନ୍‌ ଵିଡଙ୍ଗ୍‌ ଅଭିହିତ କରିଛନ୍ତି। ଗତ ୧୮ ତାରିଖରେ ଆୟୋଜିତ ଏକ ଚୀନୀ-ଭାରତୀୟ ଯୁବ ୱେବିନାର୍‌ରେ ୱିଡଙ୍ଗ୍‌ ଏଭଳି ମନ୍ତବ୍ୟ ରଖିଥିବା ବେଳେ ତାଙ୍କ ଅଭିଭାଷଣର ଭାଷାନ୍ତର ଏଇ ମଙ୍ଗଳବାର ହିଁ ଅନ୍‌ଲାଇନ୍‌ରେ ଛଡ଼ାଯିବା ପରେ ତାହା ଜଣାପଡ଼ିଛି। ଚୀନ୍‌ ଓ ଭାରତ ମଧ୍ୟରେ ସାଂସ୍କୃତିକ ବିନିମୟ ସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଏକ ସେତୁ ନିର୍ମାଣ ପାଇଁ ପରସ୍ପରକୁ ବୁଝିବା ଓ ସମ୍ମାନ ଜଣାଇବା ଲକ୍ଷ୍ୟରେ ଆୟୋଜିତ କିଛି ଚୀନୀ ବିଶେଷଜ୍ଞ, ବିଦ୍ୟାର୍ଥୀ ଏବଂ ଶିକ୍ଷାବିତ୍‌ମାନଙ୍କର ଏହି ୱେବିନାରକୁ ୱିଡଙ୍ଗ୍‌ ସମ୍ବୋଧିତ କରି ଏପରି କହିଥିଲେ। ଭାରତ ଓ ଚୀନ୍‌ ମଧ୍ୟରେ ଗଢ଼ି ଉଠିଥିବା ଦୀର୍ଘ ୭୦ ବର୍ଷର ସମ୍ପର୍କ ଏଭଳି ଗୋଟିଏ ସଂକ୍ଷିପ୍ତ ଘଟଣା ଦ୍ୱାରା ବିଦୀର୍ଣ୍ଣ ହୋଇଯିବା ଉଚିତ ନୁହେଁ। ତେବେ ଦ୍ବିପାକ୍ଷିକ ସମ୍ପର୍କ ବଜାୟ ରଖିବା ପାଇଁ ଉଭୟ ଦେଶର ସେତିକି ଦକ୍ଷତା ଓ ଅନୁଭୂତି ରହିଛି ବୋଲି ସେ କହିଛନ୍ତି। ସେହିପରି ଭାରତକୁ ଚୀନ୍‌ କେବେ ପ୍ରତିଦ୍ବନ୍ଦୀ ବୋଲି ଭାବେନାହିଁ, ବରଂ ଜଣେ ଭାଗୀଦାର ବୋଲି ଧରିନେଇଥାଏ ଏବଂ ଏଥିରେ ଆହ୍ବାନ ଅପେକ୍ଷା ସୁଯୋଗ ଅଧିକ ରହିଛି ବୋଲି ୱିଡଙ୍ଗ୍ କହି ପରୋକ୍ଷରେ ଭାରତ ସହ ସୁସମ୍ପର୍କ ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଛନ୍ତି।

Share Now:

Kalinga News Beuro

Next Post

ବଦଳିଯିବ କି ପଶ୍ଚିମ ଏସିଆର ସମୀକରଣ ?

Thu Aug 27 , 2020
ସାତ ଦଶନ୍ଧିର ତିକ୍ତ ସମ୍ପର୍କ ପରେ ଇସ୍ରାଏଲ-ୟୁଏଇ ରାଜିନାମା ନୂଆଦିଲ୍ଲୀ: ୧୯୪୮ରେ ଇସ୍ରାଏଲ ରାଷ୍ଟ୍ରଗଠନ ଓ ପରବର୍ତ୍ତୀ ସାତ ଦଶନ୍ଧିର ‘କଟୁତିକ୍ତ’ ସମ୍ପର୍କ ପରେ ନିକଟରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଏକ ବୁଝାମଣାରେ ଉପନୀତ ହୋଇଛନ୍ତି। ଏହାଫଳରେ ପଶ୍ଚିମ ଏସିଆ ସମୀକରଣରେ କି ପ୍ରକାର ପରିବର୍ତ୍ତନ ଆସିବ ତାକୁ ନେଇ ସମଗ୍ର ବିଶ୍ବରେ ଉତ୍କଣ୍ଠା ଦେଖାଦେଇଛି। ଆମେରିକା ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ବେଳେ ଉଭୟ […]
ସାତ ଦଶନ୍ଧିର ତିକ୍ତ ସମ୍ପର୍କ ପରେ ଇସ୍ରାଏଲ-ୟୁଏଇ ରାଜିନାମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial