୮ ମାସ ଗଲାନି ଭାଙ୍ଗିଗଲା ୪.୫ କୋଟିର ନଦୀବନ୍ଧ: ବ୍ୟାପକ ଦୁର୍ନୀତି, ଠିକାଦାର ଯନ୍ତ୍ରୀ ସଲାସୁତୁରା

ବିରୂପା ନଈରେ ବେଣୀପୁର ନିକଟରେ ଘାଇ

ଅଢ଼େଇ ହଜାର ଲୋକ ଜଳବନ୍ଦୀ,ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ

କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ଚାରିକୋଟି ଟଙ୍କା , ଏବେ ସେଠି ୧୦୦ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହିତ ଛାତ ଉଚ୍ଚର ପାଣି ଅଞ୍ଚଳକୁ ବୁଡ଼ାଇ ରଖିଛି। ଅଢେଇ ହଜାରରୁ ଅଧିକ ଲୋକ ଜଳବନ୍ଦୀ ‌ହୋଇଛନ୍ତି। ଘର ଛାତରେ ଲୋକ ଆଶ୍ରୟ ନେଇଛନ୍ତି। କମ୍‌ ଦିନମଧ୍ୟରେ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ସରିଥିଲାବେଳେ କିଭଳି ଏତେ ବଡ଼ ଘାଇ ହେଲା, ତାହାକୁ ‌ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସରୀସୃପ କଣା କରିବାରୁ ଏଭଳି ଘାଇ ହେଲା ବୋଲି ହାସ୍ୟାସ୍ପଦ ଓ ଦାଇତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତ।

ବେଣୀପୁର ଘେରିବନ୍ଧ ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ (ବୁରୁଜ ପୁନଃ ନିର୍ମାଣ ଓ ପଥର ପ୍ୟାକିଂ) ନାଁରେ ୪କୋଟି ୫୦ଲକ୍ଷ ୧୫ହଜାର ୧୭୦ଟଙ୍କା ଖର୍ଚ୍ଚ ହୋଇଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ୨୦୧୮ ଡିସେମ୍ବର ୨୪ ତାରିଖରୁ କାମ ଆରମ୍ଭ ହୋଇ ୨୦୧୯ ଡିସେମ୍ବର ୨୩ ତାରିଖରେ ଶେଷ ହୋଇଥିଲା। ନିର୍ମାଣ ଦାୟିତ୍ବ ଠିକାଦାର ବିନୟ ଭୂଷଣ ନାୟକଙ୍କୁ ଦିଆଯାଇଥିଲା। ମାତ୍ର ବର୍ଷକ ଭିତରେ ଶେଷ ହୋଇଥିବା ଏହି କାମ କିନ୍ତୁ ଏତେ ନିମ୍ନମାନର ହୋଇଛି ଯେ ପ୍ରଥମ ବନ୍ୟାଜଳରେ ବନ୍ଧ ବାନ୍ଧିଗଲା। ଉଲ୍ଲେଖନୀୟ କଥା ହେଉଛି, ଇଏ ହେଉଛି ଘେରିବନ୍ଧ ବିରୂପା ନଦୀଠାରୁ ପ୍ରାୟ ୨୦୦ ମିଟର‌୍‌ ଦୂରରେ ରହିଛି। ମାତ୍ର ନଦୀରେ ଜଳସ୍ତର ବୃଦ୍ଧି ପାଇ ଯେତେବେଳେ ଏଇ ଘେରିବନ୍ଧକୁ ଛୁଇଁଲା, ଏକାଧିକ ସ୍ଥାନରେ ଘଳିଆ ପଡ଼ିଲା। ଘାଇ ହେବାର ଦିନ ପ୍ରାୟ ୧୧ଟା ବେଳେ ପ୍ରଥମେ ଯେଉଁ ସ୍ଥାନରେ ବଡ଼ ଘଳିଆ ପଡ଼ିଲା, ପ୍ରଶାସନ ପକ୍ଷରୁ ବାଲିବସ୍ତା ପକାଯାଇ ରୋକାଯିବାକୁ ଉଦ୍ୟମ କରାଯାଇଥିଲା। ସେଠାରେ ଘଳିଆ ନିୟନ୍ତ୍ରଣରେ ଆସିଲା ବେଳକୁ ମାତ୍ର ଦୁଇ ଶହ ମିଟର‌୍‌ ଦୂରରେ ଅଚାନକ ପାଖାପାଖି ୧୦୦ ଫୁଟର ବନ୍ଧ ଭାଙ୍ଗିଗଲା। ବିଭାଗୀୟ ଯନ୍ତ୍ରୀ ବି ଦୁର୍ବଳ ସ୍ଥିତି ସମ୍ପର୍କରେ ଜାଣିପାରିଲେ ନାହିଁ। ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ମାତ୍ର ଘଣ୍ଟାକ ଭିତରେ ବେଣୀପୁର ଗାଁ ବୁଡ଼ିଯାଇଥିଲା। ଏବେ ବନ୍ଧର ଦୁର୍ବଳ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲାବେଳକୁ ଚକିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି। ବନ୍ଧରେ ମାଟି କମ୍‌ ବାଲି ଅଧିକ ଦେଖିବାକୁ ମିଳୁଛି। ଠିକାଦାର ମନଇଚ୍ଛା ନଦୀ କଡ଼ରୁ ବାଲିଆ ମାଟି ଉଠାଇ ବନ୍ଧରେ ପକାଇଛନ୍ତି। ଉପରେ ଯେଭଳି ଗ୍ରେଡ୍‌-୧ ମେଟାଲିଙ୍ଗ ହେବା କଥା, ତାହା ବି ହୋଇନାହିଁ। କେବଳ ଉପରଠାଉରିଆ ଭାବେ ମେଟାଲିଙ୍ଗ ଏବଂ ମୋହରମ୍‌ ଛିଞ୍ଚି କାମ ସାରି ଦିଆଯାଇଛି।
ଗାଁର ସୁନୀଲ କୁମାର ଦେ, ଚନ୍ଦ୍ରଶେଖର ସାମଲ, ଶ୍ରୀକାନ୍ତ ଓଝା, ସମୀର ସାହୁଙ୍କ ସମେତ ବହୁ ଲୋକ ନଦୀରୁ ବାଲି ମାଟି ଉଠାଯାଇ ନିମ୍ନମାନର ବନ୍ଧ କାମ ହେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ବରେ ଏକ ଟିମ୍‌ ଆସି ଘଟଣାର ତଦନ୍ତ କରିଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ। ଯନ୍ତ୍ରୀ-ଠିକାଦାରଙ୍କ ସଲାସୁତୁରାରେ ସାଢେ଼ ଚାରି କୋଟି ଟଙ୍କାର ହୋଇଥିବା ଏହି ନିମ୍ନମାନର କାମକୁ ନେଇ ଏବେ ବେଣୀପୁର ଗାଁ ଲୋକଙ୍କ ମନରେ ଭୀଷଣ ଅସନ୍ତୋଷ, ଆକ୍ରୋଶ ତେଜୁଛି। ଜଳସମ୍ପଦ ବିଭାଗର ଅବହେଳା ତଥା ଦାୟିତ୍ବହୀନତା ପାଇଁ ବେଣୀପୁରରେ ଯେଉଁ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି, ସେଥିପାଇଁ କାହିଁକି ବିଭାଗୀୟ ଯନ୍ତ୍ରୀ ଅଥବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତିର ଭରଣା କରିବ କିଏ ? ସାଧାରଣ ଲୋକ ଯେଉଁ ଦୁର୍ଦ୍ଦଶାର ସମୁଖୀନ ହେଉଛନ୍ତି ତାର ଉତ୍ତରଦାୟୀ କିଏ ? ଅନ୍ୟପକ୍ଷରେ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ ରାଉତଙ୍କ ଦାଇତ୍ୱହୀନ ଓ ହାସ୍ୟାସ୍ପଦ ମନ୍ତବ୍ୟ “ସରୀସୃପ ମାନେ ଗାତ କରି ଦେବାରୁ ବନ୍ଧ ଦୁର୍ବଳ ହୋଇଯାଇଥିଲା। ତେଣୁ ଭାଙ୍ଗିଗଲା” ଗ୍ରାମବାସୀଙ୍କ ମନରେ ବିଦ୍ରୋହ ସୃଷ୍ଟି କରୁଛି। ଯଦି ଏମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଆଗମୀଦିନରେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ।

Share Now:

Kalinga News Beuro

Next Post

ସ୍ମାର୍ଟ ନଗରୀ ପାଲଟିଛି କରୋନା ହଟସ୍ପଟ : ଦିନକରେ ୫୦୫ ପଜିଟିଭ୍

Sun Aug 30 , 2020
ଗାଡ଼କଣ ଓ ନହରକଣ୍ଟାରୁ ସର୍ବାଧିକ ଆକ୍ରାନ୍ତ, ୨୭ନଂ ୱାର୍ଡରେ ସର୍ବାଧିକ ସକ୍ରିୟ ରୋଗୀ ଭୁବନେଶ୍ୱର : ସ୍ମାର୍ଟ ନଗରୀରେ ଆଜି କରୋନାରେ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ୫୦୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଲଗାତାର କିଛିଦିନ ହେବ ୩ଶହରୁ ଅଧିକ ସଂକ୍ରମିତ ହେଉଥିବା ବେଳେ ଏସବୁ ସଂଖ୍ୟା ଏବେ ପଛରେ ରହି ଯାଇଛି। ୫୦୫ ସଂକ୍ରମିତଙ୍କ ମଧ୍ୟରୁ ଗାଡ଼କଣ ଓ ନହରକଣ୍ଟା ଅଞ୍ଚଳରୁ ସର୍ବାଧିକ ସଂକ୍ରମିତ ରହିଥିବା […]
ଦିନକରେ ୫୦୫ ପଜିଟିଭ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial