ପୁଣି ଲଦାଖରେ ଭାରତ-ଚୀନ୍‌ ସେନା ଧସ୍ତାଧସ୍ତି: ପାଙ୍ଗଙ୍ଗ ସୋରେ ସ୍ଥିତାବସ୍ଥା ବଦଳାଇବାକୁ ଚୀନ୍‌ ସେନାର ଉଦ୍ୟମ

ଲଦାଖରେ ଭାରତ-ଚୀନ୍‌ ସେନା ପୁଣି ଧସ୍ତାଧସ୍ତି

ଅଗଷ୍ଟ ୨୯ ରାତିରେ କ’ଣ ଘଟିଥିଲା ?

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ୍‌ ଉପତ୍ୟକାରେ ଦୀର୍ଘ ଚାରିମାସ ତଳେ ଭାରତୀୟ ଯବାନ ଏବଂ ଚୀନ ସେନା ମଧ୍ୟରେ ସୃଷ୍ଟ ମୁହାଁମୁହିଁ ସ୍ଥିତିର କରା​ଳ ରୂପ ଅଢ଼େଇ ମାସ ତଳେ ଜୁନ୍‌ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଏଥି ଯୋଗୁଁ ସୀମାରେ ଦେଖାଦେଇଥିବା ଉତ୍ତେଜନାର ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି। ଏଥିରେ ସ୍ବଳ୍ପ ଅଗ୍ରଗତି ଘଟିଥିବା ବେଳେ ଗତ ମାସ ମଧ୍ୟଭାରୁ ତାହା ଏକରକମ ଠପ୍‌ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିରେ ଉଦ୍ଧତ ଚୀନ ସୈନିକମାନେ ଶନିବାର ମଧ୍ୟରାତ୍ରରେ ଆଉ ଏକ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେମାନେ ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ଉପକୂଳ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରିବାରୁ ଭାରତୀୟ ଯବାନମାନେ ମଧ୍ୟ ତାହାର ଦୃଢ଼ ପ୍ରତିରୋଧ କରିଛନ୍ତି। ଫଳରେ ସୀମାରେ ଦୁଇ ସେନା ପୁଣି ଥରେ ଧସ୍ତାଧସ୍ତି ହେବା ସହିତ ମୁହାଁମୁହିଁ ‌ହୋଇ ହୋଇଛନ୍ତି। ଭାରତୀୟ ସେନାବାହିନୀର ସୂଚନାନୁଯାୟୀ, ପୂର୍ବରୁ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ସାମରିକ ସ୍ତରୀୟ ଓ କୂଟନୈତିକ ଆଲୋଚନାର ନିଷ୍କର୍ଷ ସ୍ବରୂପ ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏକ ନିର୍ଦ୍ଦିଷ୍ଟ ଇଲାକାକୁ ଉଭୟ ପକ୍ଷ ନିରପେକ୍ଷ ଅଞ୍ଚଳ ଭାବେ ବିବେଚନା କରିବାକୁ ସହମତ ହୋଇଥିଲେ। ତେବେ ଗତ ୨୯ ତାରିଖ ମଧ୍ୟରାତି ଓ ୩୦ ତାରିଖ ସକାଳ ମଧ୍ୟରେ ଚୀନ ସେନା ଏହି ସ୍ଥିତାବସ୍ଥାରେ ପରିବର୍ତ୍ତନ ଆଣିବାକୁ ଉଦ୍ଦେଶ୍ୟମୂଳକ ଭାବେ ପାଙ୍ଗଙ୍ଗ ସୋ ହ୍ରଦ କୂଳରେ କିଛି ବାଟ ଯାଏ ମାଡ଼ି ଆସିଥିଲେ। ତେବେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ଯବାନମାନେ ସେମାନଙ୍କୁ ପଛକୁ ହଟାଇ ସେମାନଙ୍କର ଏପରି ଏକତରଫା ନିରପେକ୍ଷ ଅଞ୍ଚଳ ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଦ୍ବିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ସୀମାରେ ଶାନ୍ତି ଓ ସ୍ଥିରତା ଜାରି ରଖିବାକୁ ଭାରତୀୟସେନାବାହିନୀ ବଦ୍ଧ ପରିକର। ତେବେ ଏଥି ସହିତ ନିଜର ସାର୍ବଭୌମତ୍ବ ବଜାୟ ରଖିବାକୁ ମଧ୍ୟ ଅଙ୍ଗୀକାରବଦ୍ଧ ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ଏହି ସଦ୍ୟ ବିବାଦର ସମାଧାନ ପାଇଁ ଚୁସୁଲ ଠାରେ ଦୁଇ ଦେଶର କମାଣ୍ଡର ସ୍ତରୀୟ ଆଲୋଚନା ଜାରି ରହିଥିବା ଜଣାଯାଇଛି।
ସୂଚନା ଥାଉ କି, ଗତ ମେ’ ମାସରେ ଘଟିଥିବା ମୁହାଁମୁହିଁ ସ୍ଥିତି ପାଇଁ ପାଙ୍ଗଙ୍ଗ ସୋ ହ୍ରଦର ଉତ୍ତର ଉପକୂଳ ହିଁ ବିବାଦର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏଯାଏ ଏହାର ଦକ୍ଷିଣ ଉପକୂଳ କଥା ନିର୍ବିବାଦୀୟ ହୋଇ ରହିଥିଲା। ତେବେ ଏହାର ଉତ୍ତର ଉପକୂଳରେ ଫିଙ୍ଗର ପଏଣ୍ଟ୍‌ ୪ରୁ ଫିଙ୍ଗର ପଏଣ୍ଟ୍‌ ୮ (ପାଙ୍ଗଙ୍ଗ ସୋ ହ୍ରଦଠାରୁ ପାର୍ବତ୍ୟାଞ୍ଚଳ) ଯାଏ ଦୀର୍ଘ ୮ କିମି ଅଞ୍ଚଳ ଗତ ମେ’ ମାସରୁ ଚୀନ ସେନା ଦଖଲରେ ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ପାଙ୍ଗଙ୍ଗ ସୋ ହ୍ରଦ ସନ୍ନିକଟ ଫିଙ୍ଗର ପଏଣ୍ଟ୍‌ ୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ଆରମ୍ଭ ବୋଲି ଭାରତ କହି ଆସୁଥିବା ବେଳେ ଫିଙ୍ଗର ପଏଣ୍ଟ୍‌ ୨କୁ ଚୀନ୍‌ ଏଲ୍‌ଏସି ବୋଲି ଦାବି କରୁଛି। ନିରପେକ୍ଷ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସହମତି ଅନୁସାରେ ଫିଙ୍ଗର ପଏଣ୍ଟ୍‌ ୪ରୁ ଚୀନ ସେନା ଫିଙ୍ଗର ପଏଣ୍ଟ୍‌ ୫ ଯାଏ ପଛକୁ ହଟିଛି। ଏପରିକି ଭାରତୀୟ ସେନା ଫିଙ୍ଗର ପଏଣ୍ଟ୍‌ ୨ ଯାଏ ମଧ୍ୟ ପଛକୁ ହଟିଛି। ତେବେ ଚୀନ ସେନା ଆଉ ପଛକୁ ହଟିବାକୁ ହେଲେ ଭାରତୀୟ ପ୍ରତିପକ୍ଷକୁ ମଧ୍ୟ ଆହୁରି ପଛକୁ ଘୁଞ୍ଚିବା ଲାଗି ନୂଆ ସର୍ତ୍ତ ଲଗାଇଛି। ମାତ୍ର ଭାରତ ଫିଙ୍ଗର ପଏଣ୍ଟ୍‌ ୨ରୁ ଆଉ ପଛକୁ ହଟିବନି ବୋଲି ଜଣାଇବା ସହ ଚୀନ୍‌କୁ ଫିଙ୍ଗର ପଏଣ୍ଟ୍‌ ୮ ଯାଏ ହଟିଯିବାକୁ ବାଧ୍ୟ କରିଚାଲିଛି। ସେଠାରୁ ଚୀନ ସେନା ଆଦୌ ପଛଘୁଞ୍ଚା ଦେଉନଥିବାରୁ ଭାରତ ନିଜକୁ ତଦନୁସାରେ ପ୍ରସ୍ତୁତ କରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ବାଧ୍ୟ ହେଉଛି। ସେହିପରି ଗୋଗ୍ରା ଇଲାକାରୁ ମଧ୍ୟ ଚୀନ ସେନାମାନେ ପଛକୁ ହଟୁନାହାନ୍ତି। ଅପରପକ୍ଷେ, ପ୍ରକୃତ ନିୟନ୍ତ୍ରଣ ରେଖାର ୧୮ କିମି ପଶ୍ଚିମକୁ ଦେପସଙ୍ଗ ଅଞ୍ଚଳରେ ଚୀନ ସେନା ଆଡ଼ା କରି ରହିବା ସହ ଭାରତର ଗୁରୁତ୍ବପୂର୍ଣ୍ଣ ପାଞ୍ଚଟି ପାଟ୍ରୋଲିଂ ପଏଣ୍ଟ୍‌କୁ ଅବରୋଧ କରି ରଖିଛି। ସାମରିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ବପୂର୍ଣ୍ଣ ଏହି ପଇଁନ୍ତରା ସ୍ଥଳଗୁଡ଼ିକ କାରାକୋରମ ଗିରିପଥ ନିକଟ ଦୌଲତବାଗ ଓଲ୍‌ଡି ଘାଟିର ଆଖପାଖ ଇଲାକାରେ ରହିଛି।
ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଅଗଷ୍ଟ ୨୯ ତାରିଖ ରାତି ୧୧ଟା ବେଳକୁ ପାଙ୍ଗଙ୍ଗ୍‌ ସୋ ହ୍ରଦ ନିକଟକୁ ଚୀନ ସେନାର ପ୍ରାୟ ୨୦୦ ଯବାନ ମାଡ଼ି ଆସିଥିଲେ। ସେମାନେ ସେନାର ଏସୟୁଭି ଗାଡ଼ିରେ ଆସି ଏକ ବିବାଦୀୟ ପୋଷ୍ଟ ନିକଟକୁ ମାଡ଼ି ଯାଇଥିଲେ। ଭାରତୀୟ ସେନା ନିକଟରେ ଚୀନ ସେନା ମାଡ଼ି ଆସିବା ନେଇ ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲା। ଫଳରେ ସେମାନେ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିଥିଲେ। ଚୀନ ସେନା ବିବାଦୀୟ ପୋଷ୍ଟ ନିକଟକୁ ମାଡ଼ି ଆସିବା ପରେ ଭାରତୀୟ ସେନା ଏହାର ଦୃଢ଼ ପ୍ରତିବାଦ କରିଥିଲା। ଏହି ସମୟରେ ଦୁଇ ଦେଶର ସେନା ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ଏବଂ ଠେଲାପେଲା ହୋଇଥିଲା। ଦୁଇ ଦେଶର ସେନା କିଛି ସମୟ ପାଇଁ ମୁହାଁମୁହିଁ ସ୍ଥିତିରେ ରହିବା ପରେ ଚୀନ ସେନା ଫେରିଯାଇଥିଲା। ତେବେ ଏହି ଧସ୍ତାଧସ୍ତି ଓ ଠେଲାପେଲାରେ ଦୁଇ ପକ୍ଷରୁ କେହି ଆହତ ହୋଇ ନଥିବା କୁହାଯାଉଛି। ଚଳିତବର୍ଷ ଜୁନ୍‌ ୧୫ ତାରିଖର ଗଲୱାନ ସଂଘର୍ଷ ପରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଏହା ଥିଲା ଆଉ ଏକ ବଡ଼ଧରଣର ସାମ୍ନାସାମ୍ନି ଘଟଣା।

Share Now:

Kalinga News Beuro

Next Post

ରିୟାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲା ଏନ୍‌ସିବି

Tue Sep 1 , 2020
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ନିଶା ସେବନ ଓ କାରବାର ପ୍ରସଙ୍ଗ ପଦାକୁ ଆସିବା ପରେ ଏହାର ଖୋଳତାଡ଼ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ରିୟା ଓ ଅନ୍ୟମାନଙ୍କ ନାମରେ ଏନସିବି ଏ ନେଇ ଏକ ମାମଲା ଗତ ୨୬ ତାରିଖରେ ରୁଜୁ କରିଥିଲା। କିନ୍ତୁ ଏନସିବି ଏବେ ରିୟାଙ୍କ ବିରୋଧରେ ଏକ ଆପରାଧିକ ମାମଲା ମଧ୍ୟ ରୁଜୁ କରିଛି। ତେବେ ରିୟାଙ୍କ ବିରୋଧରେ ଡ୍ରଗ୍ସ […]
ରିୟାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲା ଏନ୍‌ସିବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial