ଦୁଇ ବ୍ୟାଙ୍କ୍‌ ଲୁଟ୍‌ ମାମଲା : ଧାରା ପଡିଲା ଲୁଟିଆ, ଋଣ ଶୁଝିବାକୁ ଲୁଟେରା ସାଜିଲା

ଋଣ ଶୁଝିବାକୁ ଲୁଟେରା ସାଜିଲା

ଭୁବନେଶ୍ୱର : ରାଜଧାନୀରେ ଦୁଇ ଦୁଇଟି ବ୍ୟାଙ୍କରୁ ଏକୁଟିଆ ଲୁଟ୍‌ କରି ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅଭିଯୁକ୍ତକୁ ଶେଷରେ କମିସନରେଟ୍‌ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲା ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତର ସୌମ୍ୟରଞ୍ଜନ ଜେନା ଓରଫ ଟୁଲୁ (୨୫)। ଗତକାଲି ରାତିରେ ସ୍ପେସାଲ୍‌ ସ୍କ୍ବାଡ୍‌ ତାକୁ ଖୋର୍ଦ୍ଧାରୁ ଉଠାଇଛି। ତା’ ନିକଟରୁ ଗୋଟିଏ ଖେଳଣା ଏୟାର୍‌ଗନ୍‌ ବନ୍ଧୁକ ସମେତ ଗୋଟିଏ ଅସଲି ବନ୍ଧୁକ, ୯ ରାଉଣ୍ଡ ଗୁଳି, ୧୦ ଲକ୍ଷ ୭୬ ହଜାର ୬ଶହ ଟଙ୍କା ଓ ଲୁଟ୍‌ରେ ବ୍ୟବହୃତ ସ୍କୁଟି ଜବତ କରାଯାଇଛି। ଆଜି ମଞ୍ଚେଶ୍ବର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ୟାଙ୍କ ଋଣ ଶୁଝିବାକୁ ଯାଇ ଟୁଲୁ ସେହି ଦୁଇ ବ୍ୟାଙ୍କ ଲୁଟିଥିଲା ବୋଲି ଆଜି ପୁଲିସ ସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

କରୋନାକୁ ଦାୟୀ କଲା ଅଭିଯୁକ୍ତ
ଗତକାଲି ଟୁଲୁକୁ ଗିରଫ କରାଯିବା ପରେ ତା’ର ବୟାନ ସ୍ପେସାଲ୍‌ ସ୍କ୍ବାଡ୍‌ ଅଧିକାରୀମାନଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ଯୁକ୍ତ ଦୁଇ ପଢ଼ି ସାରିବା ପରେ ସେ ଗାଁରେ ‘ଜେନା ନ୍ୟୁ ଷ୍ଟାଇଲ୍‌’ ନାମକ ଏକ ଲୁଗା ଓ ଚପଲ ଦୋକାନ ଖୋଲିଥିଲା। ବ୍ୟବସାୟ ପାଇଁ ଉପରୋକ୍ତ ଦୁଇ ବ୍ୟାଙ୍କ୍‌ରୁ ସେ ମୋଟ୍‌ ୧୯ ଲକ୍ଷ ଟଙ୍କା ଋଣ ଆଣିଥିଲା। ବେପାର ଭଲ ଚାଲିଥିଲା ଓ ସେ ଧାର୍ଯ୍ୟ କିସ୍ତି ଶୁଝୁଥିଲା। ମାତ୍ର ହଠାତ୍ କରୋନା ସବୁ ବିଗାଡ଼ି ଦେଲା। ଲକ୍‌ଡାଉନ୍‌ ଯୋଗୁଁ ତା’ ବେପାର ଠପ୍‌ ହୋଇଯାଇଥିଲା। ତେଣୁ ସେ କିସ୍ତି ଟଙ୍କା ଶୁଝିପାରିନଥିଲା। ଏଣେ ୧୯ଲକ୍ଷ ଟଙ୍କା କରଜରୁ ମାତ୍ର ୬ଲକ୍ଷ ଟଙ୍କା ଶୁଝିଥିବା ଟୁଲୁ ପାଖକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଘନଘନ ନୋଟିସ୍ କରୁଥିଲେ। ଏଣୁ ତା’ ମୁଣ୍ଡକୁ ହଠାତ୍ ଦିନେ ସଇତାନ୍‌ ବୁଦ୍ଧି ଜୁଟିଥିଲା। ଋଣ ଆଣିଥିବା ବ୍ୟାଙ୍କ୍‌ଦ୍ବୟକୁ ଲୁଟ୍‌ କରି ସେହି ଟଙ୍କାରେ ଋଣ ଶୁଝିବାକୁ ସେ ଯୋଜନା କରିଥିଲା। ଏତେ ବଡ଼ ଯୋଜନା କଲା ସିନା ଲୁଟ୍‌ର ତରିକା ତାକୁ ଜଣାନଥିଲା। ତେଣୁ ସେ ୟୁ-ଟ୍ୟୁବ୍‌ରୁ ବ୍ୟାଙ୍କ୍‌ ଲୁଟ୍‌ର ବିଭିନ୍ନ କୌଶଳ ଦେଖିଥିଲା। ଘରେ ରିହର୍ସାଲ କଲା। କେଉଁ ସମୟ‌ରେ କର୍ମଚାରୀ ଓ ଗ୍ରାହକ କମ୍‌ ରହୁଛନ୍ତି, ସେହି ସମୟକୁ ଟାର୍ଗେଟ୍‌ କରି ସେ ଲୁଟ୍‌ ପାଇଁ ଯୋଜନା କରିଥିଲା। ଏହା ପରେ ସେ ଗୋଟିଏ ଏୟାରଗନ୍‌ କିଣିଲା ଓ ସେପ୍ଟେମ୍ବର ୭ ତାରିଖରେ ଇନ୍‌ଫୋସିଟି ଥାନା ଅଧୀନ ନନ୍ଦନବିହାର ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ରୁ ଦିନ ଦି’ପହରେ ଲୁଟ୍‌ କରିଥିଲା। ଉକ୍ତ ଅପରେସନ୍‌ ସଫଳ ହେଲା ପରେ ତା’ର ସାହାସ ବଢ଼ି ଯାଇଥିଲା। ଲୁଟ୍‌ ଟଙ୍କାରୁ ୭୫ ହଜାର ଟଙ୍କା ଦେଇ ସେ ଗୋଟିଏ ଅସଲି ମାଉଜର୍‌ କିଣିଥିଲା। ପରେ ତାକୁ ବ୍ୟବହାର କରି ବରିମୁଣ୍ଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ସମାନ ଢଙ୍ଗରେ ଲୁଟ୍‌ କରିଥିଲା। କିନ୍ତୁ ଏଥର ସେ ଗୁଳି ଚାଳନା(ବ୍ଲାଙ୍କ ଫାୟାରିଂ) କରିଥିଲା।
କିସ୍ତି ଶୁଝୁଶୁଝୁ ଧରା ପଡ଼ିଗଲା
ସେପ୍ଟେମ୍ବର ୭ରେ ନନ୍ଦନବିହାର ଆଇଓବି ଶାଖାରୁ ୨ଲକ୍ଷ ୭୮ହଜାର ଓ ସେହି ମାସ ୨୮ରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ୯ ଲକ୍ଷ ୫୩ ହଜାର ଲୁଟିଥିଲା ଅଭିଯୁକ୍ତ ଟୁଲୁ। ରାଜଧାନୀରେ ଏହି ଦୁଇ ବ୍ୟାଙ୍କ୍‌ ଲୁଟ୍‌ କମିସନରେଟ୍‌ ପୁଲିସର ନିଦ ହଜେଇ ଦେଇଥିଲା। ଦାୟିତ୍ବ ନେବା ପରେ ସ୍ପେସାଲ ସ୍କ୍ବାଡ୍‌ ବିଭିନ୍ନ ଦିଗକୁ ନେଇ ଛାନ୍‌ଭିନ୍ ଆରମ୍ଭ କରିଥିଲା। ଆରମ୍ଭରୁ ପୁଲିସ ପାଖରେ କିଛି ବି ସୁରାକ୍‌ ନଥିଲା। କେବଳ ଟୁଲୁର ହେଲମେଟ୍‌ ଓ ନମ୍ବରବିହୀନ ସ୍କୁଟିର ସିସିଟିଭି ଫୁଟେଜ୍‌କୁ ଧରି ପୁଲିସ ଆଗେଇଥିଲା। ତେବେ ଏହା ଭିତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ପୁଲିସକୁ ଏକ ବଡ଼ ସୁରାକ୍‌ ମିଳିଥିଲା। ଦୀର୍ଘ ୬ ମାସ ଧରି ମାସିକିଆ କିସ୍ତି ଦେଇ ପାରୁନଥିବା ଟୁଲୁ ବରିମୁଣ୍ଡ ଶାଖାରେ ଏକାଥରକେ ୬୦ ହଜାର ଟଙ୍କା ଜମା କରିଥିଲା। ଏଥିରୁ ପୁଲିସର ସନ୍ଦେହ ହୋଇଥିଲା। ହଠାତ୍‌ ଟୁଲୁ ପାଖରେ ଏତେ ପଇସା କେଉଁଠୁ ଆସିଲା? ପରେ ସିସିଟିଭିରେ ଲୁଟେରା ଓ ଟୁଲୁର ଚେହେରା ମିଶାଇବାରୁ ତାହା ମିଶି ଯାଇଥିଲା। ଉଭୟ ବ୍ୟାଙ୍କ୍‌ରୁ ଲୁଟିବାବେଳେ ସେ ପିନ୍ଧିଥିବା ହେଲ୍‌ମେଟ୍‌ ମଧ୍ୟ ସମାନ ଥିଲା। ତେଣୁ ଏହି କାଣ୍ଡ ଟୁଲୁ ଭିଆଇଥିବା ନେଇ ପୁଲିସ ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ତାକୁ ପିଛା କରି ପୁଲିସ ଗତରାତିରେ ଖୋର୍ଦ୍ଧାରୁ ଉଠାଇବା ପରେ ସେ ସବୁ ସତ ମାନିଯାଇଥିଲା। ଆଜି ଉଭୟ ବ୍ୟାଙ୍କରୁ ଲୁଟ୍‌ର ଡେମୋ ପ୍ରଦର୍ଶନ କରିଥିଲା।

Share Now:

Kalinga News Beuro

Next Post

ତିର୍ତ୍ତୋଲରୁ ବିଜେପି ଛାଡ଼ିଲେ ରମାକାନ୍ତ ଭୋଇ

Tue Oct 6 , 2020
ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଛନ୍ତି ରମାକାନ୍ତ ଭୋଇ। ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରରୁ ପରିତ୍ୟାଗ କରିଛନ୍ତି। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ବିଜେପି ଛାଡିଛନ୍ତି ରମାକାନ୍ତ,ଯାହା ଜଗତସିଂହପୁର ଜିଲ୍ଲରେ ଦଳରେ ଥିବା କନ୍ଦଳକୁ ପଦାରେ ପକାଇଛି। ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ କଂଗ୍ରେସ […]
ରମାକାନ୍ତ ଭୋଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial