ଅଷ୍ଟହନୁମାନର ସହର ସୁବର୍ଣ୍ଣପୁର

ହନୁମାନ ଜୟନ୍ତୀ ଉପଲକ୍ଷେ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଏକ ସଂସ୍କୃତି ସମ୍ପନ୍ନ ସହର ଭାବରେ ପରିଚିତ। କାହିଁ କେତେ ଦିନରୁଏହି ମାଟିରେ ଶୈବ, ଶାକ୍ତ, ବୈଷ୍ଣବଠୁ ଆରମ୍ଭ କରି ହନୁମାନ ସଂସ୍କୃତି ଯାଏଁ ଉପସାନା ହୋଇଆସୁଛି।ଏଠାରେ ବିଭିନ୍ନ ସଂସ୍କୃତିର ମହନୀୟତା ଦେଖିବାକୁ ମିଳେ। ମାରୁତୀ ନନ୍ଦନ ବୀର ହନୁମାନଙ୍କ ପୂଜା ପରମ୍ପରା ଏଠି ଖୁବ ନିଆରା। ଅନ୍ୟସବୁ ଜାଗାରେ କେବଳ ହନୁମାନ ଜୟନ୍ତୀରେ ବୀର ହନୁମାନଙ୍କର ପୂଜା ଉପାସନା କରାଯାଉଥିବାବେଳେ ଏଠି କିନ୍ତୁ ପ୍ରତିଦିନ ହନୁମାନଙ୍କ ପୂଜା କରାଯାଏ। ଏଠି ଆଠଗୋଟି ହନୁମାନ ବିଭିନ୍ନ ମନ୍ଦିରରେ ପ୍ରତିଷ୍ଠିତ ହୋଇ କାହିଁ କେଉଁଦିନରୁ ପୂଜିତ ହୋଇଆସୁଛନ୍ତି।

ସଦର ଡାକ୍ତରଖାନା ସମ୍ମୁଖରେ ବଡ଼ ହନୁମାନ ମନ୍ଦିରଟି ୧୭୨୧ରୁ ୧୭୫୦ ମଧ୍ୟରେ ତତ୍କାଳିନ ରାଜା ଅଚଳ ସିଂଦେଓ ନିର୍ମାଣ କରିଥିବା ଜଣାଯାଏ। ଗଡ଼ ଭିତର ନବୀନ ସର କୂଳରେ ଆଉ ଏକ ହନୁମାନ ମନ୍ଦିର ରହିଛି ଯାହାକି ଦୁର୍ଗର ପୂର୍ବଦ୍ୱାର ଗଡ଼ରକ୍ଷା ନିମନ୍ତେ ଅବିହିତ ହୋଇଥିବାରୁ ତାକୁ ଗଡ଼ ହନୁମାନ କୁହାଯାଏ। ପଶ୍ଚିମ ସୋମନାଥ ମନ୍ଦିରରେ ବାଟ ହନୁମାନ ଓ ସାତବନ୍ଧ ଖଣ୍ଡିରେ ଘାଟ ହନୁମାନ ପୂଜିତ ହେଉଥିବାବେଳେ ମହାନଦୀ ଓ ତେଲନଦୀର ସଂଗମ ସ୍ଥଳରେ ଧାର ହନୁମାନ ପୂଜା ପାଉଛନ୍ତି। ସେହିଭଳି ଟିକିରିପଡ଼ ମନ୍ଦିରରେ ବୀର ହନୁମାନ ଜଗନ୍ନାଥ ମନ୍ଦିରରେ ଦାସ ହନୁମାନ ଓ ସମଲାଇ ମନ୍ଦିର ସମ୍ମୁଖରେ ଭକ୍ତ ହନୁମାନ ରହିଛି।

ପୁର୍ବେ ହନୁମାନଙ୍କ ସମ୍ମୁଖରେ ସୈନ୍ୟସାମନ୍ତ ଓ ସିପାହୀମାନେ ଯୁଦ୍ଧବିଦ୍ୟା ସାଧନ କରୁଥିଲେ ଏଥିପାଇଁ ସହରରେ ଏତେଗୁଡ଼ିଏ ହନୁମାନ ମନ୍ଦିର ନିର୍ମାଣ ହୋଇଥିବା ଇତିହାସ କହେ। ସୋନପୁରକୁ ପଶ୍ଚିମ ଲଙ୍କା ବୋଲି ମଧ୍ୟ କୁହାଯାଏ।

ହନୁମାନ ରାମାୟଣ କାଳିନ ଯୁଗରେ ଲଙ୍କା ଗଡ଼ର ଦେବୀ ଲଙ୍କେଶ୍ୱରୀଙ୍କୁ ପରାଜିତ କରି ନିଜର ଲାଙ୍ଗୁଡ଼ରେ ଲାଗିଥିବା ନିଆଁରେ ସ୍ୱର୍ଣ୍ଣଲଙ୍କା ଗଡ଼କୁ ପୋଡି ପାଉଁଶ କରିଦେଇଥିଲେ। ସେହି ସ୍ମୃତିକୁ ରକ୍ଷା କରିବାକୁ ଯାଇ ଆଜିବି ସୋନପୁର ସହରରେ ଲଙ୍କାପୋଡ଼ି ଉତ୍ସବ ପାଳନ କରାଯାଉଛି। ତେଣୁ ହନୁମାନଙ୍କୁ ଜ୍ଞାନୀ, ଗୁଣି, ଅଜୟ, ବୀର, ଭକ୍ତ, ଦାସ ଓ ବ୍ରହ୍ମାଜ୍ଞ ଭାବରେ ପୂଜା କରାଯାଏ।

ହନୁମାନ ଉପାସନା ପୀଠ ଭାବରେ ଯଦିଓ ସହରଟି ଲୋକଲୋଚନର ଆଢୁଆଳରେ ରହିଛି, ତଥାପି ଏଠାରେ ଅଷ୍ଟ ହନୁମାନ ଆବାହାମାନ କାଳରୁ ପୂଜା ପାଇଆସୁଛନ୍ତି।

Share Now:

Kalinga News Beuro

Leave a Reply

Next Post

ଏଣିକି ବିଦେଶୀ ବନ୍ଧୁକରେ ଲାଗିବ ‘ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍‌’

Sat Apr 14 , 2018
ନୂଆଦିଲ୍ଲୀ:ବିଦେଶୀ ବନ୍ଧୁକରେ ରହିବ ଭାରତୀୟ ଛାପ। ଅର୍ଥାତ ଆମେରିକା ଓ ୟୁକେର ସେନା ବ୍ୟବହାର କରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ବନ୍ଧୁକ ଓ ରାଇଫଲରେ ‘ମେକ୍‌ ଇନ୍ ଇଣ୍ଡିଆ’ ଟ୍ୟାଗ୍ ଲାଗିବ। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ପଦଯକ୍ଷେପ କାର୍ଯ୍ୟକାରୀ କରାଯାଇପାରେ। କାରଣ ଚେନ୍ନାଇର ଗୋଳାବାରୁଦ ପ୍ଲାଣ୍ଟରେ ଏସବୁ ଦାମ ହତିଆର ତିଆରି ହେବ। ଏନେଇ ୫ଟି ଭାରତୀୟ ଘରୋଇ ହତିଆର ତିଆରି କରୁଥିବା କମ୍ପାନୀ ବିଦେଶୀ କମ୍ପାନୀ ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial