ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଲୁଟ୍‌ ମାମଲା : ମହିଳା ଆସିଷ୍ଟାଣ୍ଟ୍‌ ମ୍ୟାନେଜର ବି ୪୨୦! ୭ ଅଭିଯୁକ୍ତ କୋର୍ଟ ଚାଲାଣ

ଆଇଆଇଏଫ୍‌ଏଲ୍‌ ଲୁଟ୍‌ ମାମଲା

କଟକ : ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରେ ସୁନା ଅଳଙ୍କାର ଲୁଟ୍‌ ମାମଲାରେ ଆଉ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର‌୍‌(ଗୋଲଡ୍‌ ଆପ୍ରାଇଜର‌୍‌) ଆଜି ସାମ୍‌ନାକୁ ଆସିଛନ୍ତି। ପୁରୀଘାଟ ଥାନା ଭଗତପୁର ଅଞ୍ଚଳର ନୀଳିମା ଲେଙ୍କାଙ୍କୁ କମିସନରେଟ୍‌ ପୁଲିସ ଆଜି ଗିରଫ କରିଛି। ଶାଖାରେ ଆସିଷ୍ଟାଣ୍ଟ୍‌ ମ୍ୟାନେଜର(ଗୋଲଡ୍‌ ଆପ୍ରାଇଜର) ଭାବେ କାର୍ଯ୍ୟରତ ଲାଲା ଅମୃତ ସାଗର ରାୟଙ୍କର ସହଯୋଗୀ ଥିଲେ ନୀଳିମା। ଉଭୟ ୨୦୧୬ରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟି ଆସୁଥିଲେ। ଆଜି ଲାଲାବାଗ ଥାନା ପୁଲିସ ଲାଲା ଅମୃତ ଏବଂ ନୀଳିମାଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଅନ୍ୟତମ ସହଯୋଗୀ ଲାଲା ଅମୃତର ବଡ଼ଭାଇ ଲାଲା ରଞ୍ଜନ ରାୟ ଫେରାର ରହିଛନ୍ତି। ଯେଉଁ ଅଡି ଓ ବୁଲେଟ୍‌ ଅମୃତଙ୍କ ନିକଟରୁ ପୁଲିସ ଜବତ କରିଛି, ଏସବୁ ଜଣେ ବନ୍ଧୁଙ୍କ ନାଁରେ ସେ କିଣିଥିଲେ। ନିଜ ନାଁରେ କିଣିଲେ ଧରାପଡ଼ିଯିବାର ଭୟ ଥିବାରୁ ବନ୍ଧୁଙ୍କ ନାଁରେ କିଣାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନୟାସଡ଼କ ଆଇଆଇଏଫଏଲ୍‌ ଫାଇନାନ୍ସ ଶାଖାରୁ ଗଲା ୧୯ ତାରିଖରେ ଡକାୟତି ଘଟଣାରେ ଟେରିଟୋରି ମ୍ୟାନେଜର ତାପସ ରଞ୍ଜନ ସ୍ବାଇଁ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ପୂରା ତଥ୍ୟ ଆଜି ଲାଲବାଗ ଥାନାରେ ଡିସିପି ପ୍ରତୀକ ସି˚ହ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି। ସେଦିନ ଡକାୟତି ପରେ କମିସନରେଟ୍‌ ପୁଲିସ ଫାଇନାନ୍ସ ଶାଖା ବାହାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଏବଂ ସମସ୍ତ କର୍ମଚାରୀଙ୍କ ସିଡିଆର‌୍‌ ଯାଞ୍ଚ କରିଥିଲା। ଶାଖାର ସମସ୍ତ କର୍ମଚାରୀଙ୍କ ପୁଲିସ ରେକର୍ଡ ଯାଞ୍ଚ କରାଯାଇଥିଲା। ଲାଲା ଅମୃତ ବିରୋଧରେ ମଙ୍ଗଳାବାଗ ଥାନାରେ ୨୦୧୯ ମେ’ ୩୧ ତାରିଖରେ ଏକ ଠକେଇ ମାମଲା ଥିବା ଜଣାପଡ଼ିଥିଲା। ବଜ୍ରକବାଟି ମାନାପୁରମ୍‌ ଫାଇନାନ୍ସ ଲିଃ ଶାଖାରେ ସେହି ସମୟରେ କାର୍ଯ୍ୟ କରୁଥିବା ବଡ଼ଭାଇ ଲାଲା ରଞ୍ଜନ ରାୟ ସହିତ ମିଶି ଲାଲା ଅମୃତ ୪୦ ଲକ୍ଷ ଟଙ୍କାର ଋଣ ହେରଫେର‌୍‌ କରିଥିବା ଅଭିଯୋଗ ହୋଇଥିଲା। କୌଣସି ସୁନା ମାନାପୁରମରେ ବନ୍ଧକ ନରଖି ବି ୪୦ ଲକ୍ଷ ଟଙ୍କାର ଋଣ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ସାମ୍‌ନାକୁ ଆସିବା ପରେ ପ୍ରଥମେ ଗତ ୨୦ ତାରିଖରେ ପୁଲିସ ସ୍କାନର୍‌କୁ ଆସିଥିଲେ ଲାଲା ଅମୃତ। ନୟାସଡ଼କ ଫାଇନାନ୍ସରେ ୨୦୧୧ରୁ କାର୍ଯ୍ୟ କରିଆସୁଥିବା ଅମୃତଙ୍କୁ ପୁଲିସ ଜେରା କରିବା ସହିତ ସିଡିଆର‌୍‌ ଯାଞ୍ଚ ପରେ ପୂରା ଘଟଣା ସାମ୍‌ନାକୁ ଆସିଥିବା ଜଣାପଡ଼ିଛି। ଆଇଆଇଏଫଏଲ୍‌ ଶାଖାରେ ଅମୃତ ଏବଂ ନୀଳିମା ସଂସ୍ଥାରୁ ସୁନା ଅଳଙ୍କାର ଓ ଟଙ୍କା ୨୦୧୬ରୁ ଲୁଟି ଆସୁଥିଲେ। ଉଭୟଙ୍କ ନିକଟରେ ଲକର‌୍‌ ଚାବି ରହୁଥିବାରୁ ଏମାନେ ଅନେକ ସମୟରେ ଗ୍ରାହକ ଜମା କରୁଥିବା ସୁନା ଅଳଙ୍କାର ଲୁଟି ନେଇ ସେହି ସ୍ଥାନରେ ନକଲି ସୁନା ଅଳଙ୍କାର ରଖି ଦେଉଥିଲେ। ଆଉ କିଛି ଅଳଙ୍କାର ସେଠୁ ଲୁଟି ବଜ୍ରକବାଟି ମାନାପୁରମ୍‌ ଶାଖାରେ ବନ୍ଧକ ରଖି ଋଣ ନେଉଥିଲେ। ଆଜି ପୁଲିସ ଟିମ୍‌ ଅମୃତଙ୍କୁ ଧରି ବଜ୍ରକବାଟି ମାନାପୁରମ୍‌ ଶାଖାକୁ ଆସିଥିଲା। ଏହି ଶାଖାରେ ପୂର୍ବରୁ କେତେ ପରିମାଣରେ ସୁନା ସେ ଜମା ରଖିଥିଲେ, ସେ ନେଇ ଖୋଳତାଡ଼ କରାଯାଇଥିଲା। ଅନ୍ୟପଟେ ନକଲି ପରିଚୟପତ୍ରରେ ଆଇଆଇଏଫ୍‌ଏଲ୍‌ରେ ଭୂତ ଆକାଉଣ୍ଟ ଖୋଲି କାଗଜପତ୍ରରେ ସୁନା ଜମା ହୋଇଥିବା ଦର୍ଶାଉଥିଲେ। ସେହି ଜମା ସୁନା ବଦଳରେ ସଂସ୍ଥାର ଟଙ୍କା ଋଣ ଆକାରରେ ବି ନେଉଥିଲେ। ଏଭଳି କେଳେଙ୍କାରୀ ଏହି ଦୁଇଜଣ ୪ ବର୍ଷ ହେବ କରିଆସୁଥିଲେ। ଗଲା ୧୮ ତାରିଖରେ ନୂଆ ଅଡିଟର‌୍‌ ଆସିବା ପରେ ଡକାୟତି ଉଭୟ ରଚିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ପୁଲିସ ଲାଲା ଅମୃତ ଓ ମହିଳା ସହକର୍ମୀ ନୀଳିମା ସମେତ ଅମୃତଙ୍କ ପିଲାଦିନର ସାଙ୍ଗ ରଞ୍ଜନ ବେହେରା(କିଶନନଗର ଅଞ୍ଚଳରେ ଆଶ୍ରମ ଖୋଲି ବାବା ହୋଇଛି), ଚାରି ଡକାୟତ ରାଜକିଶୋର ସାହୁ, ବିଜୁ ଓରଫ ପ୍ରକାଶ ସାହୁ, ପଦିଆ ଓରଫ ପ୍ରଦୀପ୍ତ ବେହେରା, ବାପୁ ଓରଫ ସନ୍ତୋଷ ଭୋଇକୁ ଏସ୍‌ଡିଜେଏମ୍‌ ସଦର କୋର୍ଟରେ ହାଜର କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଲାଲା ଅମୃତଙ୍କୁ ୭ ଦିନିଆ ରିମାଣ୍ତରେ ଆଣିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଛି। ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଡକାୟତି ମାମଲାରେ ୭ ଜଣଙ୍କୁ ମାତ୍ର ୭ ଦିନରେ ଗିରଫ ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ଡିଜି ଅଭୟ ଆଜି ପୁଲିସ ମୁଖ୍ୟାଳୟରେ ପୁଲିସ କମିସନର ସୁଧା˚ଶୁ ଷଡ଼ଙ୍ଗୀଙ୍କ ସମେତ ପୂରା ପୁଲିସ ଟିମ୍‌କୁ ସମ୍ବର୍ଦ୍ଧିତ କରିଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ପୁରୀରେ ଜାରି ହେବ ୧୪୪ ଧାରା: ରାତି ୨ଟାରୁ ଆସନ୍ତାକାଲି ନାଗାର୍ଜୁନ ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା

Thu Nov 26 , 2020
ପୁରୀ: ନାଗାର୍ଜୁନ ବେଶ ଓଲାଗି ପାଇଁ ପୁରୀରେ ୧୪୪ ଧାରା ଜାରି କରାଯିବ। ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ତେଣେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ନାଗାର୍ଜୁନ ବେଶ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି […]
ପୁରୀରେ ଜାରି ହେବ ୧୪୪ ଧାରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial