ଗୁମର ଖୋଲୁଛି କିଡ୍‌ନି ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ : ପଶ୍ଚିମବଙ୍ଗ ଲିଙ୍କ୍‌ର ସୁରାକ୍ ପାଇଲା ପୁଲିସ

କିଡ୍‌ନି ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ

ହିମାଂଶୁର ଗୁଡ଼ିଆ ପୋଖରୀ ସୋ’ରୁମ୍ ସିଲ୍

ଭୁବନେଶ୍ବର : ପୁଲିସ ରିମାଣ୍ଡରେ ଥିବା ବହୁଚର୍ଚ୍ଚିତ କିଡ୍‌ନି ଠକେଇ ର‍୍ୟାକେଟ୍‌ର କିଙ୍ଗ୍‌ପିନ୍‌ ହିମାଂଶୁ ଭୂଷଣ ନନ୍ଦକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଦୁଇ ଦିନ ଧରି ତାକୁ ତନାଘନା ଜେରା କରୁଛି। ଆଉ ଜେରାବେଳେ ସେ ଧୀରେ ଧୀରେ ଏହି ଠକେଇ କାରବାରର ଗୁମର ଖୋଲିବାରେ ଲାଗିଛି। ଆଜି ଦୀର୍ଘ ସମୟ ଧରି ହୋଇଥିବା ଜେରାରେ ପୁଲିସ ରାଜ୍ୟ ବାହାରର ଲିଙ୍କ୍‌ର ପ୍ରମାଣ ପାଇଥିବାବେଳେ ର‍୍ୟାକେଟ୍‌ର ଆଉ ଜଣେ ଦଲାଲର ସନ୍ଧାନ ପାଇଛି। ବାଲୁଗାଁର ଦଲାଲ ସଞ୍ଜୟ ପଲେଇ ହିମାଂଶୁର ଅନ୍ୟତମ ସହଯୋଗୀ ବୋଲି ପୁଲିସ ଜାଣିବାକୁ ପାଇଛି। ପଶ୍ଚିମବଙ୍ଗରେ ଏହି ଢଙ୍ଗରେ ଚାଲିଥିବା ଆଉ ଏକ ର‍୍ୟାକେଟ୍‌ରେ ଏମାନେ ଓଡ଼ିଶା ପାଇଁ କାମ କରୁଥିବାବେଳେ ସେଠାରେ କିଡ୍‌ନି ଦରକାର କରୁଥିବା ଲୋକକୁ ଓଡ଼ିଶାରୁ କିଡ୍‌ନି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇ ଲୁଟୁଥିଲେ। ଏଣୁ ସଞ୍ଜୟକୁ ଧରି ଜେରା କରିବା ପାଇଁ ନୂଆପଲ୍ଲୀ ଥାନା ପୁଲିସ ଯୋଜନା କରିଛି। ପଶ୍ଚିମବଙ୍ଗର ଏକ ମେଡିକାଲ ସହ ମଧ୍ୟ ଏମାନଙ୍କର ଯୋଗାଯୋଗ ରହିଛି। କୋଲକତା ମେଡିକାଲରୁ କିଡ୍‌ନି ଆସିବ ବୋଲି କହି ଓଡ଼ିଶାରେ ଲୋକଙ୍କୁ ଲୁଟିବା ସହଜ ହେଉଥିବା ସେ ସ୍ବୀକାର କରିଛି। ତେବେ କେବଳ ସଞ୍ଜୟ ନୁହେଁ, ର‍୍ୟାକେଟ୍‌ରେ ଆଉ ୫ରୁ ୬ ଜଣ ଦଲାଲ ଥିବା ପୁଲିସ ଜାଣିବାକୁ ପାଇଛି।

ଅନ୍ୟପଟେ ଠକେଇ ଟଙ୍କାରେ ହିମାଂଶୁ ଗୁଡ଼ିଆ ପୋଖରୀ ଛକରେ କରିଥିବା ଚାକଚକ୍ୟପୂର୍ଣ୍ଣ ସୋ’ ରୁମ୍‌ (ସାଇ ହୋମ୍‌ ଇଣ୍ଟେରିୟର)କୁ ସିଲ୍‌ କରିଛି ନୂଆପଲ୍ଲୀ ଥାନା ପୁଲିସ। ନୂଆପଲ୍ଲୀ ଥାନା ଇନ୍‌ସ୍‌ପେକ୍ଟର ଶରତ ସାହୁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଯାଇ ଏହି ସୋ’ ରୁମ୍‌ରେ ଦୀର୍ଘ ଏକ ଘଣ୍ଟା ଧରି ଛାନ୍‌ଭିନ୍‌ କରିବା ପରେ ସୋ ରୁମ୍‌କୁ ସିଲ କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ଏଭଳି ଠକେଇରୁ ଆସିଥିବା ପୁଲିସ ଜାଣିବାକୁ ପାଇବା‌ ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଯାଇ ତାହାକୁ ସିଲ୍‌ କରିଛି। କେତେକ ‌ରୋଗୀଙ୍କ ବିବରଣୀ ସହ କେଉଁଠାରୁ କେତେ ପଇସା ଆସିବାର ଅଛି, ତାହାର ଏକ ତାଲିକା ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କମ୍ପ୍ୟୁଟର ହାର୍ଡଡିସ୍କ ମଧ୍ୟ ଜବତ କରିଛି। ସେ ଏଠାରେ ରହିବା ସହ ସାମ୍ନାରେ କରିଥିବା ଦୋକାନକୁ ଅଫିସ୍‌ ଭାବରେ ବ୍ୟବହାର କରୁଥିଲା। ଏଠାରେ ହିଁ ଠକେଇର ଯୋଜନା ପ୍ରସ୍ତୁତ ହେଉଥିଲା। ସେଠାରେ ଥିବା ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ପୁଲିସ ଜେରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି। ଗ୍ରାହକମାନେ ଏଠାକୁ ଆସିଲେ ଠକ ବୋଲି ଯେଭଳି ସନ୍ଦେହ କରିବେ ନାହିଁ, ସେଭଳି ସମସ୍ତ ବ୍ୟବସ୍ଥା ଥିବା ପୁଲିସ ଦେଖିବାକୁ ପାଇଥିଲା। ଏଥିରେ କିଡ୍‌ନିର ଯତ୍ନକୁ ନେଇ କେତେକ ବହି ରହିଥିଲା। ଗ୍ରାହକ ଆସିଲେ ହିମାଂଶୁ ଆଇନ ଅନୁସାରେ କିଡ୍‌ନି କାରବାର କରୁଛି ବୋଲି ଏହି ସବୁ ଥାଟବାଟ ଓ ବହି ଦେଖି ବିଶ୍ବାସ କରୁଥିଲେ। ସେହିଭଳି ବିଭିନ୍ନ ବ୍ୟାଙ୍କ୍‌ରେ ହିମାଂଶୁ ମୋଟା ଅଙ୍କର ଅର୍ଥ ଜମା ରଖିଥିବା ପୁଲିସ ଜାଣିବାକୁ ପାଇଛି। ଏସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। କେତେକ ଅର୍ଥ ଅନ୍‌ଲାଇନ୍‌‌ରେ ମଧ୍ୟ କାରବାର ହୋଇଛି। କେଉଁମାନେ ଜମା କରିଛନ୍ତି, କେଉଁମାନଙ୍କୁ ଅର୍ଥ ସ୍ଥାନାନ୍ତର କରାଯାଇଛି, ଏ ସବୁର ଖୋଳତାଡ଼ ହେଉଛି। ଅଧିକ ତଥ୍ୟ ପାଇଁ ପୁଲିସ ସମ୍ପୃକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କଠାରୁ ବିବରଣୀ ତଲବ କରିଛି। ତେବେ ହିମାଂଶୁକୁ ଆଉ କିଛି ଦିନ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ପୁଲିସ ଯୋଜନା କରିଛି।

Share Now:

Kalinga News Beuro

Next Post

ଗଣତନ୍ତ୍ର ଦିବସରେ ରାଫେଲର ଦମ ଦେଖିବ ବିଶ୍ବ

Mon Jan 18 , 2021
ପରେଡରେ ଫ୍ଲାଏ ପାଷ୍ଟ କରିବ ୪୨ ବିମାନ ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପରେଡ ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ରାଫେଲର ଦମ ଦେଖାଇବାକୁ ଯାଉଛି ଭାରତ। ପରେଡରେ ସାମିଲ ହେବ ଗତବର୍ଷ ଭାରତକୁ ଆସିଥିବା ରାଫେଲ ବିମାନ। ପରେଡ ସମୟରେ ମେକ୍ ଇନ୍ ଇଣ୍ଡିଆ ଥିମ୍ ଅନ୍ତର୍ଗତ ଭାରତୀୟ ବାୟୁସେନାର ପ୍ରମୁଖ ଯୁଦ୍ଧବିମାନଗୁଡ଼ିକର ପ୍ରଦର୍ଶନ କରାଯିବ। ପ୍ରଥମ ଥର ପାଇଁ ରାଫେଲର ପ୍ରଦର୍ଶନ ସର୍ବସାଧାରଣରେ […]
ଗଣତନ୍ତ୍ର ଦିବସରେ ରାଫେଲ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial