ରାଜଧାନୀରେ କାୟା ମେଲାଉଛି କରୋନା: ଦିନକରେ ଅର୍ଦ୍ଧ ଶତକ

କାୟା ମେଲାଉଛି କରୋନା

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ସଂକ୍ରମଣ ଗତବର୍ଷ ନଭେମ୍ବର ମାସର ସ୍ଥିତି ଆଡ଼କୁ ମୁହାଁଇଲାଣି। ଗତ କିଛିଦିନ ହେବ ରାଜଧାନୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଆଜି ‌ଗୋଟିଏ ଦିନରେ ରାଜଧାନୀରେ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସ ଭିତରେ ସର୍ବାଧିକ। ଗତବର୍ଷ ନଭେମ୍ବର ୧୮ତାରିଖରେ ରାଜଧାନୀରେ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରେ ହଠାତ୍ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା କରୋନା ସଂକ୍ରମଣର ଦ୍ବିତୀୟ ଲହରି ଆରମ୍ଭ ହୋଇ ଯାଇଥିବା ନେଇ ଆଶଙ୍କା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏବେ ସଙ୍ଗରୋଧ ଅପେକ୍ଷା ଲୋକାଲ କଣ୍ଟାକ୍ଟସ୍‌ଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ରାଜ୍ୟରୁ ଦୈନିକ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରିବା ଲାଗି ଲୋକମାନଙ୍କୁ ରାଜ୍ୟ ସରକାରଙ୍କଠାରୁ ବିଶେଷଜ୍ଞ ପର୍ଯ୍ୟନ୍ତ ନିବେଦନ କରୁଛନ୍ତି। ଏ ସମୟରେ ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ଛୁଇଁଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଥିବା ବେଳେ ମାତ୍ର ୪ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ ମଧ୍ୟରେ ରସୁଲଗଡ଼ରୁ ସର୍ବାଧିକ ୭ଜଣ ରହିଛନ୍ତି। ଏହାଛଡ଼ା ବରମୁଣ୍ଡା, ଗାଡ଼କଣ, ଘାଟିକିଆ, ପାଣ୍ଡରା, ପଟିଆ, ନୀଳାଦ୍ରିବିହାର, କାନନ ବିହାର, ଜୟଦେବ ବିହାର, ଶୈଳଶ୍ରୀବିହାର, ୟୁନିଟ୍‌-୭, ୮ ଭଳି ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ନୂଆପଲ୍ଲୀ, ପୁରୁଣା ଭୁବନେଶ୍ବର, ପୋଖରୀପୁଟ ଓ ବମିଖାଲ ଅଞ୍ଚଳରୁ ସଙ୍ଗରୋଧରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ଏଥିରେ କେତେକ ସଂଖ୍ୟକ ଆକ୍ରାନ୍ତ ବିଭିନ୍ନ ସ୍କୁଲ ଓ କଲେଜରୁ ରହିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୧୩କୁ ବୃଦ୍ଧି ପାଇଛି। ତେବେ ୧୦ଜଣ ଆକ୍ରାନ୍ତ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୧,୮୬୩ରେ ପହଞ୍ଚିଛି। ରାଜଧାନୀରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭୯ ରହିଛି। କରୋନାରେ ଭୁବନେଶ୍ବରରେ ୨୫୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share Now:

Kalinga News Beuro

Next Post

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ : ନିଆଁ ଡରାଉଛି, ପାଣି ପାଇଁ ଡହଳବିକଳ ବନ୍ୟପ୍ରାଣୀ

Sun Mar 28 , 2021
ଶୁଖିଲା ପଡ଼ିଛି ଜଳାଶୟ, ଅଭୟାରଣ୍ୟରେ ପାଣି ପାଇଁ ବୁଲୁଛନ୍ତି ୩୭ ହାତୀ ମେଣ୍ଢାଶାଳ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ବି ନିଆଁକୁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ଲାଗୁଛି ତ ଆଉ କେତେବେଳେ କୁମ୍ଭାରଖୁଣ୍ଟି ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଦୁଇ ମାସ ହେଲା […]
ପାଣି ପାଇଁ ଡହଳବିକଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial