ରିଙ୍କି ହତ୍ୟା ମାମଲା: ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ

ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୃତ୍ୟୁ ପୂର୍ବରୁ ଧସ୍ତାଧସ୍ତି ହୋଇଥିବା ସନ୍ଦେହ

ଭୁବନେଶ୍ବର : ରାଜଧାନୀର ଏୟାରଫିଲ୍ଡ ଥାନା ଭୀମଟାଙ୍ଗି ହାଉସିଂ ବୋର୍ଡରେ ରିଙ୍କି ଓରଫ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା ଘଟଣାରେ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ରିଙ୍କିଙ୍କ ଶରୀରରେ ଏକାଧିକ ଆଘାତ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାମ ହାତରେ ଛୁରାମାଡ଼ର ଗଭୀର ଆଘାତ ଲାଗିଛି। ଏଥିରୁ ଅନୁମାନ କରାଯାଉଛି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଛାତି କିମ୍ବା ବେକକୁ ଆକ୍ରମଣ କରିବା ସମୟରେ ରିଙ୍କି ବାମ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ପ୍ରଥମ ଛୁରି ଆଘାତ ତାଙ୍କ ବାମ ହାତରେ ବାଜିଥିଲା। ସେହିପରି ରିଙ୍କିଙ୍କ ଶରୀରରେ ନଖର ରାମ୍ପୁଡ଼ା ଦାଗ ରହିଥିବା ଜଗନ୍ନାଥର ଶରୀରରେ ମଧ୍ୟ କିଛି ନଖ ଦାଗ ରହିଛି। ସମ୍ଭବତଃ ଜଗନ୍ନାଥ ହାତରୁ ବର୍ତ୍ତିବା ପାଇଁ ରିଙ୍କି ପ୍ରାଣପଣେ ଉଦ୍ୟମ କରିଥିଲେ। ସେମାନଙ୍କ ଭିତରେ ଧସ୍ତାଧସ୍ତି ସମୟରେ ଏହି ଦାଗ ହୋଇଥାଇପାରେ। ଶେଷରେ ଜଗନ୍ନାଥ ରିଙ୍କିଙ୍କ ଗଳାକୁ ଧାରୁଆ ଛୁରିରେ ଗଭୀର ଭାବେ କାଟି ଦେଇଛି। ଏଥିଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଜଗନ୍ନାଥ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇ ଡିସଚାର୍ଜ ହେଲା ପରେ ପୁଲିସ ତାର ବୟାନ ରେକର୍ଡ କରି ପୂରା ଘଟଣା ଉପରୁ ପରଦା ଉଠାଇବ ବୋଲି ଆଶା ରଖିଛି।
ବାହା ହେବାକୁ ଜିଦ୍ ଧରୁଥିଲା ଜଗନ୍ନାଥ
ରିଙ୍କି ହତ୍ୟା ଘଟଣାକୁ ୮ ଦିନ ବିତିଯାଇଛି। ହତ୍ୟାର କାରଣ ଜାଣିବା ଲାଗି ପୁଲିସ ତଦନ୍ତ ଜାରିଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି। ତଦନ୍ତରୁ ଜଣାଯାଇଛି ଯେ ଅଭିଯୁକ୍ତ ଜଗନ୍ନାଥଙ୍କ ସହ ସମ୍ପର୍କ ଭାଙ୍ଗି ପୁଣି ଯୋଡ଼ି ହେବା ପରେ ପରସ୍ପର ଅତି ନିକଟତର ହୋଇଥିଲେ। ରିଙ୍କିଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ଜଗନ୍ନାଥ ତାଙ୍କୁ ବିବାହ କରିବାକୁ ଏକତରଫା ନିଷ୍ପତ୍ତି ନେଇ ସାରିଥିଲା। ବିବାହ ପାଇଁ ଏକାଧିକ ଥର ପ୍ରସ୍ତାବ ମଧ୍ୟ ଦେଇଥିଲା। କିନ୍ତୁ ରିଙ୍କି ରୋକଠୋକ୍ ମନା କରି ଦେଇଥିଲେ। ଯାହାକୁ ନେଇ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପୁଲିସ ହାତରେ ଅଭିଯୁକ୍ତ ଜଗନ୍ନାଥର ମୋବାଇଲ ହ୍ବାଟ୍‌ସଆପ୍ ଚାଟ୍‌ରୁ ଏଭଳି କିଛି ତଥ୍ୟ ମିଳିଛି। ସେହିପରି ପୂର୍ବରୁ ରିଙ୍କିଙ୍କ ଘରକୁ ଯିବା ଆସିବା କରୁଥିବା ଜଗନ୍ନାଥକୁ ଆଉ ନ ଆସିବା ଲାଗି କହିଥିଲେ ରିଙ୍କି। ଲକ୍‌ଡାଉନ୍‌ରେ ସ୍ବାମୀ ରାକେଶଙ୍କର ‘ୱାର୍କ ଫ୍ରମ୍ ହୋମ୍’ ଆରମ୍ଭ ହୋଇଥିବାରୁ ସେ ଅଧିକାଂଶ ସମୟ ଘରେ ରହୁଥିଲେ। ସେବେଠାରୁ ରିଙ୍କି ତାଙ୍କୁ ଫୋନ୍ କରିବା ପାଇଁ ମଧ୍ୟ ବାରଣ କରିଥିଲେ। ଏପରିକି ଜଗନ୍ନାଥର ଫୋନ୍, ଏସ୍ଏମ୍‌ଏସ୍ କିମ୍ବା ହ୍ବାଟସଆପ୍ ଚାଟ୍‌ର ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦୁଇ ମାସରୁ ଅଧିକ ଦିନ କୌଣସି ଉତ୍ତର ନ ପାଇବାରୁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲା ଜଗନ୍ନାଥ। ଆଉ ଧୋକା ଖାଇଥିବା ଅନୁଭବ କରି ରିଙ୍କି ଓ ତାଙ୍କ ପୁଅଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏପରିକି ଘଟଣା ଦିନ ମଧ୍ୟ ଜଗନ୍ନାଥ ସାଙ୍ଗରେ ସିନ୍ଦୂର ଫରୁଆ, ଶଙ୍ଖା ଧରି ଆସିଥିବା ସନ୍ଦେହ କରାଯାଉଛି। ରିଙ୍କିଙ୍କ ମୃତଦେହ ନିକଟରେ ସିନ୍ଦୂର ଫରୁଆ ପଡ଼ିଥିଲା ଓ ତାଙ୍କ ମଥାରେ ଅସ୍ବାଭାବିକ ଭାବେ ସିନ୍ଦୂର ଲାଗିଥିଲା। ତେଣୁ ମାରିବା ପୂର୍ବରୁ ଜଗନ୍ନାଥ ରିଙ୍କିଙ୍କ ମୁଣ୍ଡରେ ଜୋରଜବରଦସ୍ତ ସିନ୍ଦୂର ପିନ୍ଧାଇଥିବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି।

Share Now:

Kalinga News Beuro

Next Post

ପୃଥିବୀପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼

Tue Jul 13 , 2021
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଖାଇବ ପ୍ରଭାବ! ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏକ ସୌରଝଡ଼ ମାଡ଼ି ଆସୁଥିବା ନେଇ ଗଲା କିଛି ଦିନ ହେଲାଣି ଚର୍ଚ୍ଚା ଚାଲିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି। ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେସନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ ସାଟେଲାଇଟ୍ ଟିଭି ପ୍ରଭାବିତ ହେବା ସହ ବିଦ୍ୟୁତ୍ ସରବରାହ କିଛି ସମୟ […]
ପୃଥିବୀପୃଷ୍ଠକୁ ମାଡ଼ି ଆସୁଛି ସୌରଝଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial