ସାହାସିକତା ଦେଖାଇଲେ ସୁଲ୍‌ତାନା : ଭୁଜାଲିରେ ହାଣି ଖସିଗଲେ ୨ ଦୁର୍ବୃତ୍ତ

ସାବାସ୍ ସୁଲ୍‌ତାନା

ବାଲିଅନ୍ତା : ନିଛାଟିଆ ରାସ୍ତା। ଏକାକୀ ଥିଲେ ଯୁବତୀ ସୁଲ୍‌ତାନା। ମାରଣାସ୍ତ୍ରରେ ସଜ୍ଜିତ ୨ ଲୁଟେରା ତାଙ୍କୁ ଅଟକାଇ ଲୁଟିବାକୁ ଉଦ୍ୟମ କ‌ଲେ। ମାତ୍ର ସୁଲ୍‌ତାନା ଡରିଗଲେ ନାହିଁ। ଟଙ୍କା ବ୍ୟାଗ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଦୁର୍ବୃତ୍ତଙ୍କ ସହ ଲଢ଼ିଲେ। ଏମିତିକି ଜଣେ ଦୁର୍ବୃତ୍ତକୁ କାବୁ କରିନେଲେ। ଶେଷରେ ଖସିବା ପାଇଁ ସେମାନେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ଓ ଫେରାର୍ ହୋଇଯାଇଥିଲେ। ଆହତ ହେଲେ ବି ସୁଲ୍‌ତାନା ଲୁଟ୍‌ ଉଦ୍ୟମକୁ ବିଫଳ କରିବାରେ ସଫଳ ହୋଇଥିଲେ। ଆଜିର ଏହି ଘଟଣାଟି ବାଲିଅନ୍ତା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଯୁବତୀଙ୍କ ଏଭଳି ସାହସକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। କଟକ ସାଲେପୁର ଅଞ୍ଚଳର ଆଜ୍‌ମୀ ସୁଲ୍‌ତାନା ବାଳକାଟିସ୍ଥିତ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ ଚାକିରି କରନ୍ତି। ବୁଧବାର ମଧ୍ୟାହ୍ନରେ ‌ସେ ବ୍ରାହ୍ମଣସୁଆଁଲୋ, ସରକଣା, ରଣପୁର ଅଞ୍ଚଳର ବିଭିନ୍ନ ମହିଳା ମଣ୍ଡଳରୁ ଋଣ ଟଙ୍କା(ଲକ୍ଷାଧିକ ଟଙ୍କା) ସଂଗ୍ରହ କରି ବ୍ରାହ୍ମଣଷଡ଼ଙ୍ଗୀ- ଶିଶିଲୋ ରାସ୍ତାରେ ବାଳକାଟି ଅଭିମୁଖେ ଯାଉଥିଲେ। ବାଇକ୍‌ରେ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ। ସୁଲ୍‌ତାନା ସ୍କୁଟି ଅଟକାଇବା ମାତ୍ରେ ଦୁର୍ବୃତ୍ତଦ୍ବୟ ଗୋଇଠା ମାରି ଗାଡ଼ିକୁ ଫୋପାଡ଼ି ଦେଇଥିଲେ। ସେମାନେ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍‌କୁ ଟାଣିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁଲ୍‌ତାନା ସାହସ ଜୁଟାଇ ଲୁଟେରା ଦୁହିଁଙ୍କ ସହ ଲଢ଼ିଥିଲେ। ଶେଷରେ ତାଙ୍କ ସାହସ ଆଗରେ ହାର୍‌ ମାନି ଦୁର୍ବୃତ୍ତଦ୍ବୟ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସୁଲ୍‌ତାନା ଜଣକୁ ଜାବୁଡ଼ି ଧରି ନଛାଡ଼ିବାରୁ ଅନ୍ୟ ଜଣକ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲା। ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହେବାରୁ ସୁଲ୍‌ତାନା ଦୁର୍ବୃତ୍ତକୁ ଛାଡ଼ି ଦେବାକୁ ବାଧ୍ୟ ହୋଇଥିଲେ। ବିକଳରେ ଦୁର୍ବୃତ୍ତଦ୍ବୟ ସେଠାରୁ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗିଥିବା ବେଳେ ପାଟି ଶୁଣି ସ୍ଥାନୀୟ ଲୁଣା ଗାଁର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ମାତ୍ର ସେତେବେଳକୁ ଲୁଟେରାମାନେ ଫେରାର୍ ହୋଇସାରିଥିଲେ। ସ୍ଥାନୀୟ ଲୋ‌କେ ଆମ୍ବୁଲାନ୍‌ସ ଯୋଗେ ସୁଲ୍‌ତାନାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ସେ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

୩୮.୪୭ କୋଟିର ଜିଏସ୍‌ଟି ବକେୟା : ୩ ଗାଡ଼ି ସୋ’ ରୁମ୍‌ରେ ଚଢ଼ଉ

Thu Dec 30 , 2021
୬୨୦ ବାଇକ୍ ଓ କାର୍ ଜବତ, ୧.୮ଏକରର ଜମି ଜବତ ଭୁବନେଶ୍ୱର : ଭୁବନେଶ୍ୱରର ପାହାଳ, ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗରସ୍ଥିତ ଭାରତ ମୋଟର୍ସ ଓ ଶ୍ରୀ ଭାରତ ମୋଟର୍ସ ଉପରେ ବୁଧବାର ରାଜ୍ୟ ବାଣିଜ୍ୟକର ବିଭାଗର ଏନଫୋର୍ସମେଣ୍ଟ ଶାଖା ପକ୍ଷରୁ ଚଢ଼ଉ କରାଯାଇଛି। ୨୦୦୮ରୁ ୨୦୧୭ମଧ୍ୟରେ ପ୍ରବେଶ ଶୁଳ୍କ ଜିଏସ୍‌ଟି ଅର୍ଥ ବକେୟା ଥିବାରୁ ଏହି ଚଢ଼ଉ ହୋଇଛି। ପାହାଳସ୍ଥିତ ଶ୍ରୀ ଭାରତ ମୋଟର୍ସ ପ୍ରାୟ ୬.୧୭କୋଟି ଟଙ୍କା ବକେୟା […]
୩ ଗାଡ଼ି ସୋ’ ରୁମ୍‌ରେ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial