କାହିଁକି ରାସ୍ତା ସମ୍ପ୍ରସାରଣ ନାଁରେ ଗଛ ବଳି ? କାଟିଦେଲେ ଆଉ ୪୦୦

ରାସ୍ତା ସମ୍ପ୍ରସାରଣ ପାଇଁ ଗଛ ବଳି

ଚନ୍ଦ୍ରଶେଖରପୁର : ରାସ୍ତା ସମ୍ପ୍ରସାରଣ ପାଇଁ ଉତ୍କଳ ହସ୍ପିଟାଲରୁ ଓଇଆର୍‌ସି ପର୍ଯ୍ୟନ୍ତ ରାସ୍ତା ମେଡିଆନ୍‌ରେ ଥିବା ଗଛ ବଳି ଜାରି ରହିଛି। ଗତ ସପ୍ତାହରେ ହଜାରେ ଗଛ କାଟିଥିଲେ। ଆଉ ଏବେ ୪୦୦ ଗଛ କାଟି ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଶୈଳଶ୍ରୀବିହାର ଆଡ଼କୁ ଯାଇଥିବା ଉକ୍ତ ରାସ୍ତାର ୪୦୦ ମିଟର ମଧ୍ୟରେ ଥିବା ଗଛ କଟାଯାଇଛି। ଗଛକୁ ସୁରକ୍ଷା ଦେଉଥିବା ତାର ବାଡ଼ଗୁଡ଼ିକୁ ଶନିବାର ହଟାଇବା ପରେ ସେହି ଦିନ ରାତିରେ ୪ଶହ ଗଛକୁ କାଟି ଦେଇଛନ୍ତି। ତେବେ ଗଛ ବଳି ନେଇ ଗତ ୧୨ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଅଧିକାରୀମାନେ ଟିକିଏ ସଜାଗ ହୋଇଛନ୍ତି। ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କାଟିବା ନିଷ୍ପତ୍ତିରୁ ଓହରି ନାହାନ୍ତି। ମାତ୍ର ମେଡିଆନ୍‌ର ମଧ୍ୟ ଭାଗରେ ଥିବା ଗଛଗୁଡ଼ିକୁ କାଟି ନାହାନ୍ତି। ବରଂ ଉଭୟ ପାର୍ଶ୍ବରେ ଆବଶ୍ୟକୀୟ ଥିବା ଗୋଟିଏ ଲେନ୍‌ ଲାଗି ଯେତିକି ଜାଗା ଆବଶ୍ୟକ ସେହି ଅନୁଯାୟୀ ଗଛ କାଟିଛନ୍ତି। ଯାହାକି ପୂର୍ବଥର ଦେଖିବାକୁ ମିଳି ନ ଥିଲା। ମିଳିଥିବା ସୂଚନା ଅନୁଯାୟୀ ଗଛ କଟାଯିବା ନେଇ ଖବର ପ୍ରକାଶ ପରେ ବାବୁମାନଙ୍କ ନିଦ ଭାଙ୍ଗିଥିଲା। ରାସ୍ତା ପାଇଁ ଏତେ ସଂଖ୍ୟକ ଗଛ କାଟିବାକୁ ପଡ଼ୁଛି ଜାଣି ଅଧିକାରୀମାନେ ବ୍ୟାପକ ଆଲୋଚନା କରିଥିଲେ। ବନ ବିଭାଗର ଅଧିକାରୀମାନେ ବାସ୍ତବ ସ୍ଥିତି ପରଖିଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିଲା। ନେତା ଓ ସରକାରୀ ବାବୁଙ୍କ ଚାପ ଆଗରେ ସବୁ କିଛି ଫିକା ପଡ଼ିଥିଲା। ରାସ୍ତା ସମ୍ପ୍ରସାରଣ ହେବା ଏକପ୍ରକାର ଥୟ। ତେଣୁ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଥିଲା। ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଅଧିକାରୀମାନେ ଗଛ କଟା ହେବାକୁ ଥିବା ଅଞ୍ଚଳ ବୁଲି ଦେଖିଥିଲେ। ମେଡିଆନ୍‌ରେ ୩ଟି ଧାଡ଼ିରେ ଗଛ ରହିଛି। ତେଣୁ ମଝିରେ ଥିବା ଧାଡ଼ିର ଗଛଗୁଡ଼ିକୁ ବାଦ୍‌ ଦେଇ ଦୁଇ ପାର୍ଶ୍ବ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ କର୍ମଚାରୀମାନେ ଗଛ କାଟିଛନ୍ତି। ଏହାଦ୍ବାରା କିଛି ଗଛ ରକ୍ଷା ପାଇଛି ସତ। ମାତ୍ର ଆବଶ୍ୟକ ନ ଥାଇ ରାସ୍ତା ସମ୍ପ୍ରସାରଣ ନାଁରେ ପାଖାପାଖି ଦେଢ଼ ହଜାର ଗଛ କାଟିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ଯେ ଏହି ରାସ୍ତାରେ ରହିଥିବା ଗଛଗୁଡ଼ିକ ବେଶି ବଡ଼ ହୋଇ ନ ଥିଲା। ୪ରୁ ୫ ବର୍ଷର ହୋଇଥିବାରୁ ତାହାକୁ ଅତ୍ୟାଧୁନିକ ପ୍ରଣାଳୀରେ ‌ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥାନ୍ତା। ଅବଶ୍ୟ ଏଥିପାଇଁ ଅର୍ଥ ‌ଖର୍ଚ୍ଚ ହୋଇଥାନ୍ତା। ମାତ୍ର ଗଛଗୁଡ଼ିକ ବଳି ପଡ଼ି ନ ଥା’ନ୍ତା। ଏବେ ସିନା ଗଛର ଆବଶ୍ୟକତା ଜଣାପଡ଼ୁନି। ଦୁଇ ମାସ ପରେ ରାଜଧାନୀ ତାପମାତ୍ରା ୪୦ ଡିଗ୍ରି ଛୁଇଁବା ବେଳେ ଜଣାପଡ଼ିବ ଏହି ଗଛର ଉପକାରିତା। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟ୍‌, ଆଦର୍ଶ ବସ୍ତି, ସୋମନାଥ ବସ୍ତି, ସିତାନାଥ ନଗର, ହରେକୃଷ୍ଣ ନଗର, ପଣ୍ଡା ପାର୍କ, ରିକ୍ସା କଲୋନି, ସାଇନ୍ସ ପାର୍କ ବସ୍ତି, ଓମ୍‌ଫେଡ୍‌ ବସ୍ତି, ସତର ଘରିଆ ବସ୍ତି ଆଦି ଅଞ୍ଚଳର ଲୋକେ ଏବର୍ଷ ଅଧିକ ପ୍ରଭାବିତ ହେବେ। ଖରା ଦିନେ ଟିକିଏ ଛାଇ ମିଳିବ ନାହିଁ।

Share Now:

Kalinga News Beuro

Next Post

ପଞ୍ଚାୟତ ନିର୍ବାଚନ : ମଦ,ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିସନ

Wed Jan 19 , 2022
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା […]
ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial