ଗନ୍ଧେଇଲାଣି ସହର : ସୈନିକ ସ୍କୁଲ କ୍ୟାମ୍ପସରେ ଦୁର୍ଗନ୍ଧ କର୍ଫ୍ୟୁ, ରୋଗ ବାଂଟୁଛି ଟିଟିଏସ୍‌

ସୈନିକ ସ୍କୁଲ କ୍ୟାମ୍ପସରେ ଦୁର୍ଗନ୍ଧ କର୍ଫ୍ୟୁ

ଛାତ୍ରଛାତ୍ରୀ ଅସୁସ୍ଥ, ସ୍କୁଲର ୭ ଏକର ଜମି ନେଇଗଲେ

ଚନ୍ଦ୍ରଶେଖରପୁର: ବିଏମ୍‌ସି ଅଳିଆ ଗଦାର ଦୁର୍ଗନ୍ଧରେ ଅତିଷ୍ଟ ହେଲେଣି ସୈନିକ ସ୍କୁଲ ଛାତ୍ରଛାତ୍ରୀ। କ୍ଲାସରେ ବସିପାରୁ ନାହାନ୍ତି କି ହଷ୍ଟେଲରେ ରହିପାରୁ ନାହାନ୍ତି। ନିୟମିତ ଭାବେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। କାହାର ଦେହ କୁଣ୍ଡେଇ ହୋଇ ଫଳିଯାଉଛି ତ କାହାର ବାନ୍ତି ହେଉଛି। ଏହି କ୍ୟାମ୍ପସରେ ପିଲାଏ ପାଠପଢ଼ିବେ କ’ଣ, ଏବେ ସେମାନଙ୍କୁ ରୋଗ ଆତଙ୍କ ମାଡ଼ିବସିଲାଣି। ସ୍ଥିତି ଏମିତି ହେଲାଣି ଯେ ନାକରେ ମାସ୍କ ନ ଦେଲେ କ୍ଲାସରୁମ୍‌ରେ ବସିବା ପିଲାଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ସକାଳୁ ସନ୍ଧ୍ୟା, ରାତିରୁ ଭୋର- ସବୁବେଳେ ରୁମ୍‌ର କବାଟ, ଝରକାରେ ବନ୍ଦ ନରଖିଲେ ନଚଳେ। ଦେଖିଲେ ଲାଗୁଛି, ସେ ଉତ୍କଟ ଦୁର୍ଗନ୍ଧ ପାଇଁ ସ୍କୁଲ କ୍ୟାମ୍ପସରେ ଦିବାରାତ୍ର କର୍ଫ୍ୟୁ ଜାରି ହୋଇଛି! ବର୍ଷ ବର୍ଷ ଧରି ଅଳିଆ ଦୁର୍ଗନ୍ଧରେ ଏଭଳି ହନ୍ତସନ୍ତ ହେଉଛନ୍ତି ସୈନିକ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ। ଏବେ ସ୍ଥିତି ସାଂଘାତିକ ହୋଇଛି ଯାହା। ଅଭିଯୋଗ କଲେ ଶୁଣିବାକୁ କେହି ନାହାନ୍ତି। ଗଲା ୫ ବର୍ଷ ଭିତରେ ୧୫ରୁ ଅଧିକ ଥର ଚିଠି ଲେଖି ଡର୍ମ୍ପିଂୟାର୍ଡ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସୈନିକ ସ୍କୁଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଅନୁରୋଧ କରିଛନ୍ତି। କିନ୍ତୁ କିଛି ଲାଭ ମିଳିନି। ଅଳିଆ ଉଠିବ କ’ଣ, ସ୍ଥିତି ଏମିତି ହେଲାଣି ଯେ ୧୯୬୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ନିଜେ ଅନ୍ୟ ସ୍ଥାନକୁ ଉଠିଯିବା ଅବସ୍ଥାକୁ ଆସିଯାଇଛି। ବିଭିନ୍ନ କାରଣ ପାଇଁ ଏ ସ୍କୁଲ କ୍ୟାମ୍ପସ ବର୍ଷକୁ ବର୍ଷ ସଙ୍କୁଚିତ ହେବାରେ ଲାଗିଛି। ୧୪୨ ଏକରରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନର କିଛି ଜମି ରାସ୍ତା ସମ୍ପ୍ରସାରଣ କରିବାକୁ ନିଆଯାଇଥିଲା। ଏବେ ୭ ଏକର ଜମି ଅଳିଆ ରଖିବାଲାଗି ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ୍‌ (ଟିଟିଏସ୍‌)କୁ ଦିଆଯାଇଛି। ଇଚ୍ଛା ନଥିଲେ ମଧ୍ୟ ଚାପ ଆଗରେ ଚେପା ହୋଇ ଯାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ବାଂଟୁ
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେ ୭ ଏକର ଜମି ହସ୍ତାନ୍ତର ହେବା କ୍ଷଣି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ତାହାକୁ ଅକ୍ତିଆର କରାଯାଇଛି। ଜମି ଅଧିଗ୍ରହଣ କରିବା ସହ ପାଚେରିବୁଲା କାମ ଇତି ମଧ୍ୟରେ ଆରମ୍ଭ ହୋଇଛି। ଆଉ ଏଥିପାଇଁ ବିଭିନ୍ନ ପ୍ରଜାତିର ଶତାଧିକ ବୃକ୍ଷ ବଳି ପଡ଼ିଛି। ଯେଉଁ ଗଛଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିଥାନ୍ତା, ସେଗୁଡ଼ିକୁ ମୂଳରୁ କଟାଯିବା ସହ ଗଛର ଚେର ଓପାଡ଼ି ଫୋପାଡ଼ି ଦିଆଯାଇଛି। ଏତେ ସଂଖ୍ୟକ ଗଛ କଟିଥିଲେ ମଧ୍ୟ ସେଥିପ୍ରତି କାହାର ମଧ୍ୟ ନିଘା ନାହିଁ। ଗୋଟିଏ ପଟେ ଅଳିଆ ଦୁର୍ଗନ୍ଧରେ ବାୟୁ ପ୍ରଦୂଷଣ ବଢ଼ୁଥିବା ବେଳେ ଅନ୍ୟପଟେ ଗଛ କଟା ହେବାଦ୍ବାରା ପରିବେଶ ପାଇଁ ଆହୁରି ବିପଦ ସୃଷ୍ଟି ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଅଳିଆ ଗଦା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଅତିଷ୍ଟ ହେବା ସହ ରୋଗରେ ପଡ଼ୁଥିବାବେଳେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଗତମାସରେ ବିଦ୍ୟାଳୟକୁ ଗସ୍ତ କରିବା ସହ ଆଶ୍ବାସନା ଦେଇଛନ୍ତି ଯେ ଦୁର୍ଗନ୍ଧ ଯେପରି କ୍ୟାମ୍ପସରେ ନ ବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କମିସନର କହିଥିଲେ, ‌କ୍ୟାମ୍ପସରେ ୫,୦୦୦ରୁ ଅଧିକ ବୃକ୍ଷ ରୋପଣ ହେବ। ଅଳିଆ ପ୍ରଭାବ ଯେପରି କ୍ୟାମ୍ପସ ଉପରେ ନ ପଡ଼ିବ, ସେଥିପାଇଁ ପାଚେରି ନିର୍ମାଣ କରାଯାଇ ସୈନିକ ସ୍କୁଲଠାରୁ ଅଳିଆ ପକାଯାଉଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ଅଲଗା କରାଯିବ। ଇଟା ପାଚେରି ଉପରେ ଦସ୍ତା ଦିଆଯାଇ ଉଚ୍ଚତା ବୃଦ୍ଧି କରାଯିବ। ତେଣୁ ପିଲାମାନେ ବ୍ୟସ୍ତ ନହୋଇ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ। କିନ୍ତୁ ଏ ଆଶ୍ବାସନାର କିଛି ଲାଭ ହୋଇନାହିଁ, ଦୁର୍ଗନ୍ଧ କମିବା ବଦଳରେ ବଢ଼ି ଚାଲିଛି। ପିଲାଙ୍କ ପାଠପଢ଼ାକୁ ତାହା ଭୀଷଣ ପ୍ରଭାବିତ କରୁଛି ତଥା ସେମାନଙ୍କ ମାନସିକ ସନ୍ତୁଳନକୁ ମଧ୍ୟ ଦୋହଲାଇ ଦେଉଛି। ପିଲାଙ୍କ ବାପାମାଆଙ୍କ ଭିତରେ ମଧ୍ୟ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି।
ସମସ୍ୟାର ସମାଧାନ ପାଇଁ କମିସନର ଦେଇଥିବା ପ୍ରତିଶ୍ରୁତିର ଯୁକ୍ତିଯୁକ୍ତତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏ ଅଳିଆଗଦାର ଦୁର୍ଗନ୍ଧ ରସୁଲଗଡ଼ କି ତା’ଠୁ ଆହୁରି ଦୂର ପର୍ଯ୍ୟନ୍ତ ଇଲାକାକୁ ଆକ୍ରାନ୍ତ କରୁଥିବାବେଳେ ଇଟା ବା ଦସ୍ତା ପାଚେରି ଭିତରେ ତା’କୁ ଯେ ଅଟକାଇ ହେବ, ସେଥିରେ ଘୋର ସନ୍ଦେହ ଅଛି। ପୂର୍ବରୁ ଥିବା ଗଛଗୁଡ଼ିକୁ କାଟି ବୃକ୍ଷରୋପଣର ଯେଉଁ ଆଶା ଦିଆ ଯାଇଛି, ତାହା ମଧ୍ୟ ହାସ୍ୟକର ମନେହୁଏ। କାରଣ ଗଛ ଲାଗିଲେ ବି ତାହା ବଢ଼ିବ କେବେ? ପିଲାମାନେ କେବେ ତାହାର ଉପକାର ପାଇବେ? ସେପର୍ଯ୍ୟନ୍ତ କ’ଣ ପିଲାଙ୍କୁ ରୋଗ ଓ ମାନସିକ ଅଶାନ୍ତିରେ ଘାଣ୍ଟି ହେବାଲାଗି ଛାଡ଼ି ଦିଆଯିବ?

Share Now:

Kalinga News Beuro

Next Post

ଲିଜ୍‌ ହୋଲ୍ଡ ହେବ ଫ୍ରି ହୋଲ୍ଡ : ଜିଏକୁ ଆବେଦନ କରିବେ ବିଡିଏ, ଓଏସ୍‌ଏଚ୍‌ବି

Tue Oct 31 , 2023
ଏନ୍‌ଓସି ପାଇଁ ଆଉ ଦେବାକୁ ପଡ଼ିବନି ହାତଗୁଞ୍ଜା, ଉପକୃତ ହେବେ ହଜାର ହଜାର କ୍ରେତା ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ(ଓଏସ୍‌ଏଚ୍‌ବି) ଠାରୁ ଜମି/ଘର କିଣିଥିବା ଲୋକଙ୍କ ପାଇଁ ଖୁସି ଖବର। ଜମିଗୁଡ଼ିକ ‘ଲିଜ୍‌ ହୋଲ୍ଡ’ରୁ ‘ଫ୍ରି ହୋଲ୍ଡ’କୁ ରୂପାନ୍ତରଣ କରାଯିବ। ଏହି ରୂପାନ୍ତର ପରେ ସେମାନେ ଜମିରେ ଘର ନିର୍ମାଣ ହେଉ କି ଘରର ସମ୍ପ୍ରସାରଣ କିମ୍ବା କିଣାବିକା ହେଉ, ଆଉ ବିଡିଏ […]
ଲିଜ୍‌ ହୋଲ୍ଡ ହେବ ଫ୍ରି ହୋଲ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial