ବାଃ ବାଃ ରେ ହସ୍ପିଟାଲ:ଅଲଟ୍ରାସାଉଣ୍ଡ ପାଇଁ ୨ମାସର ଲମ୍ବା ଲାଇନ୍‌

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏମିତି ବ୍ୟବସ୍ଥା
ଭୁବନେଶ୍ୱର: ଅଲଟ୍ରାସାଉଣ୍ଡ୍‌ କରିବାକୁ ହେଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରାୟ ୨ମାସ ଅପେକ୍ଷା କରିବାକୁ ପଡ଼ିବ। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନାରେ ଏମିତ ବ୍ୟବସ୍ଥା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ଏହା ସତ। ପ୍ରତିଦିନ ଅନେକ ରୋଗୀ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଏଭଳି ଅବ୍ୟବସ୍ଥା ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅନେକ ବାଧ୍ୟହୋଇ ଘରୋଇ ଡାଏଗ୍ନୋଷ୍ଟିକ୍‌ ସେଣ୍ଟର୍‌ ପଳାଉଛନ୍ତି। ପ୍ରଭାସିନୀ ମଲ୍ଲିକ୍‌ ନାମକ ଜଣେ ମହିଳା ଗତ ୨୫ତାରିଖରେ କ୍ୟାପିଟାଲ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ୍‌ କରିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ସ୍ୱାମୀ ଅଲଟ୍ରାସାଉଣ୍ଡ୍‌ ବିଭାଗରେ ପହଞ୍ଚିବା ପରେ ତାଙ୍କୁ ନମ୍ବର ନେବା ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା। ନମ୍ବର ଆସିବା ପରେ ସଂପୃକ୍ତ ଡାକ୍ତର ଜଣଙ୍କ ଅଗଷ୍ଟ ମାସ ୧୭ତାରିଖରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯିବ ବୋଲି ପ୍ରେସ୍‌କ୍ରିପସନ୍‌ରେ ଲେଖି ଦେଇଥିଲେ। ପ୍ରେସ୍‌କ୍ରିପସନ୍‌ରେ ଅଗଷ୍ଟ ମାସ ଲେଖାଥିବା ଦେଖିବା ପରେ ତାଙ୍କ ସ୍ୱାମୀ ପରଦିନ ଅର୍ଥାତ୍‌ ୨୬ତାରିଖରେ ହସ୍ପିଟାଲରେ ପହଞ୍ଚିଥିଲେ। ଭୁଲବଶତଃ କାଳେ ତାଙ୍କ ପ୍ରେସକ୍ରିପସନ୍‌ରେ ଅଗଷ୍ଟ ମାସ ଲେଖାଯାଇଛି ବୋଲି ସେ ଅଲଟ୍ରାସାଉଣ୍ଡ ବିଭାଗରେ ପଚାରି ବୁଝିଥିଲେ। ମାତ୍ର ପୁନର୍ବାର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଲେଖା ଯାଇଥିବା ତାରିଖ ଠିକ୍‌ ଅଛି ଓ ସେହିଦିନ ସକାଳେ ସେ ଅଲଟ୍ରାସାଉଣ୍ଡ କରିବାକୁ ଆସନ୍ତୁ ବୋଲି କୁହାଯାଇଥିଲା। ଏଥିରେ ନିରାଶ ହୋଇ ସେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକଙ୍କୁ ଭେଟିଥିଲେ, ମାତ୍ର କୌଣସି ଫଳ ମିଳି ନ ଥିଲା। ବରଂ ଏମ୍‌ସରେ ଅଲ୍‌ଟ୍ରାସାଉଣ୍ଡ ପାଇଁ ୬ମାସ ଲାଗୁଥିବା ଉଦାହରଣ ଦେଇ ତାଙ୍କୁ ଫେରାଇ ଦିଆଯାଇଥିଲା।

କ୍ୟାପିଟାଲ ହସ୍ପିଟାଲରେ ଅଲଟ୍ରାସାଉଣ୍ଡକୁ ନେଇ ଗତ ୬ମାସ ହେବ ସମସ୍ୟା ଲାଗି ରହିଛି। ଅଲଟ୍ରାସାଉଣ୍ଡ ପାଇଁ ଅତିକମ୍‌ରେ ୩ଜଣ ରେଡିଓଲୋଜିଷ୍ଟଙ୍କ ଆବଶ୍ୟକତା ଥିବା ବେଳେ ହସ୍ପିଟାଲରେ ଏବେ ଜଣେ ଏହି ପଦବିରେ ହଛନ୍ତି। ପୂର୍ବରୁ ଏସ୍‌ସିବିରୁ ଜଣେ ରେଡିଓଲୋଜିଷ୍ଟ ଡେପୁଟେସନ୍‌ରୁ ଆସୁଥିଲେ। ମାତ୍ର ତାଙ୍କୁ ପୁନର୍ବାର ଏସ୍‌ସିବି ଫେରାଇ ନିଆଗଲା। ଦିନକୁ ଅତିକମ୍‌ରେ ୮/୧୦ଟି ଅଲ୍‌ଟ୍ରାସାଉଣ୍ଡ କରାଯାଉଛି। ଅପରପକ୍ଷରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତରଙ୍କୁ ସପ୍ତାହରେ ଥରେ ଅଲଟ୍ରାସାଉଣ୍ଡ ପାଇଁ ନିର୍ଦେଶ ଦିଆଯାଇଛି। ତଥାପି ଏହା ଯଥେଷ୍ଟ ହେଉ ନାହିଁ। ଅପରପକ୍ଷରେ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ୍‌ ଚଳାଇବାକୁ ଆବଶ୍ୟକ ସଂଖ୍ୟକ ରେଡିଓଲୋଜିଷ୍ଟ ନାହାନ୍ତି। ହସ୍ପିଟାଲକୁ ଆହୁରି ୨ଟି ନୂତନ ମେସିନ୍‌ ଆଣିବା ପାଇଁ ଯୋଜନା ହୋଇଛି। ତେବେ ଏହି ମେସିନ୍‌କୁ କିଏ ଚଳାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କ୍ୟାପିଟାଲ ହସ୍ପିଟାଲର ଜନୈକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ଜଣେ ମାତ୍ର ରେଡିଓଲୋଜିଷ୍ଟ ରହିଛନ୍ତି। ତେଣୁ ଅଲଟ୍ରାସାଉଣ୍ଡ ନେଇ ସମସ୍ୟା ଦେଖା ଦେଉଛି। ହସ୍ପିଟାଲରେ ଅଧିକ ସଂଖ୍ୟକ ରେଡିଓଲୋଜିଷ୍ଟ ନିଯୁକ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଅପରପକ୍ଷରେ ହସ୍ପିଟାଲକୁ ଆହୁରି ୨ଟି ନୂତନ ଅଲଟ୍ରାସାଉଣ୍ଡ ମେସିନ୍‌ ଆସିବାକୁ ପ୍ରସ୍ତାବ ରହିଛି। ଏହି ମେସିନ୍‌କୁ ଚାଲୁ କରିବା ପାଇଁ ଖୋର୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସ୍ୱତନ୍ତ୍ରଭାବେ ଏକ ଅଲଟ୍ରା ସାଉଣ୍ଡ ମେସିନ୍‌ ରଖାଯିବ। ଯାହାଫଳରେ ଭିଡ଼ ନିୟନ୍ତ୍ରଣ ହୋଇପାରିବ ବୋଲି ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ସାଉଥ କୋରିଆ କିକ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ବିଦା

Thu Jun 28 , 2018
କାଜାନ : ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ। ୨୦୧୪ ବିଶ୍ୱକପ୍‌ର ବିଜେତା ତଥା ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଜର୍ମାନିର ମସ୍କୋ ବିଶ୍ୱକପ୍‌ ଅଭିଯାନ ଅକାଳରେ ଶେଷ ହୋଇଯାଇଛି। ଡଫେଣ୍ଡିଂ ଚାମ୍ପିୟନ ଜର୍ମାନୀକୁ ୨-୦ ଗୋଲରେ ହରାଇ ବିପର୍ଯ୍ୟୟ ଆଣିଛି ସାଉଥ୍‌ କୋରିଆ। ଗ୍ରୁପ-Fର ଶେଷ ଲିଗ୍ ମ୍ୟାଚ୍‌ରେ ହାରି ଜର୍ମାନୀ ଫିଫା ବିଶ୍ୱକପରୁ ବିଦାୟ ନେଇଛି। ୨୦୧୪ ବିଶ୍ୱକପରେ ଚାମ୍ପିୟନ ଦଳ ୨୦୧୮ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial